କନକ ବ୍ୟୁରୋ : ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ତଦନ୍ତ ସମୟରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଜୁବିନଙ୍କ ମ୍ୟାନେଜର ସିର୍ଦ୍ଧାର୍ଥ ଶର୍ମାଙ୍କୁ ଗୁରୁଗ୍ରାମ ଏବଂ ସିଙ୍ଗାପୁରରେ ହୋଇଥିବା ଇଭେଣ୍ଟ ଅର୍ଗାନାଇଜର ଶ୍ୟାମକାନୁ ମହନ୍ତଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ପୁଲିସ ଗିରଫ କରିଛି । ଉଭୟଙ୍କୁ ଗୁହାଟି ନିଆଯାଇଛି ଏବଂ ଆଜି କୋର୍ଟରେ ହାଜର କରାଯିବ ।

Advertisment

ସୂଚନା ଅନୁସାରେ ଜୁବିନ ଗର୍ଗଙ୍କ ପତ୍ନୀ ଗରିମା ସୈକିଆ ଗର୍ଗ ତାଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ କରିଥିଲେ । ଏହାସହ ଜୁବିନ ଗର୍ଗଙ୍କ ଶେଷ ସମୟରେ ଘଟିଥିବା ଘଟଣାଗୁଡ଼ିକର ସଠିକ୍ ତଦନ୍ତ ପାଇଁ ଦାବି କରିଛନ୍ତି । ଜାତୀୟ ଗଣମାଧ୍ୟମରେ ସେ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ତାଙ୍କୁ କି ତାଙ୍କ ପରିବାରକୁ ସ୍ପଷ୍ଟ ଉତ୍ତର ଦିଆଯାଇ ନାହିଁ । ସେ କହିଛନ୍ତି, "ଜୁବିନ ଗର୍ଗଙ୍କ ସହ ପ୍ରକୃତରେ କ’ଣ ହେଲା, ଆମେ ଜାଣିନାହୁଁ । ତାଙ୍କ ମୃତ୍ୟୁ କିପରି ଘଟିଲା, ଏହା ଏପର୍ଯ୍ୟନ୍ତ ଏକ ରହସ୍ୟ । ଆମକୁ ଏହାର ଉତ୍ତର ଦରକାର । ସେ ଅବହେଳାର ଶିକାର ହୋଇଛନ୍ତି, ଏହା ନିଶ୍ଚିତ, କିନ୍ତୁ ତାଙ୍କ ପରି ଜଣେ ବ୍ୟକ୍ତିଙ୍କୁ କାହିଁକି ଅବହେଳା କରାଗଲା ? ମୁଁ ତଦନ୍ତ ଉପରେ ବିଶ୍ୱାସ କରେ।"

ୟାଟ ପାର୍ଟି ଉପରେ ପ୍ରଶ୍ନ ଉଠାଇଲେ ଜୁବିନଙ୍କ ପତ୍ନୀ

ଗରିମା କହିଛନ୍ତି ଯେ ସେ ଶେଷ ଥର ପାଇଁ ସେପ୍ଟେମ୍ବର ୧୮ରେ ତାଙ୍କ ସ୍ୱାମୀଙ୍କ ସହ କଥା ହୋଇଥିଲେ । କିନ୍ତୁ ସେ ସିଙ୍ଗାପୁରରେ ହେବାକୁଥିବା କୌଣସି ୟାଟ ପାର୍ଟି ବିଷୟରେ କହିନଥିଲେ । ଯଦି ସେ ଜାଣିଥାନ୍ତେ ତେବେ ମୋତେ ନିଶ୍ଚୟ କହିଥାନ୍ତେ । ତାଙ୍କୁ ୟାଟ ପାର୍ଟି ବିଷୟରେ ଜଣା ନଥିଲା । ମୁଁ ଆଶା କରୁଛି ତଦନ୍ତରେ ଏହା ବିଷୟରେ ଜଣାପଡ଼ିବ ଏବଂ ଆମକୁ ଉତ୍ତର ମିଳିବ ।"