କନକ ବ୍ୟୁରୋ :କୁହାଯାଏ ଯେ କଠିନ ପରିଶ୍ରମ କେବେ ବ୍ୟର୍ଥ ଯାଏନି । ହାର ନ ମାନୁଥିବା ବ୍ୟକ୍ତିକୁ ଦିନେ ନା ଦିନେ ସଫଳତା ନିଶ୍ଚୟ ମିଳେ । ଏପରି କିଛି କାହାଣୀ ଥିଲା କେରଳର ୟାସିନ ଶାହ ମହମ୍ମଦଙ୍କର ।
ୟାସିନ ଶାହ ମହମ୍ମଦ... କେରଳ ନ୍ୟାୟିକ ସେବା ପରୀକ୍ଷା ୨୦୨୪ରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । କିନ୍ତୁ ତାଙ୍କର ଏହି ସଫଳତା ପାଇବା ପଛର କାହାଣୀ କୌଣସି ଫିଲ୍ମ କାହାଣୀଠାରୁ କମ୍ ନୁହେଁ । 'କେବେ ହାର ନ ମାନିବା' ମନୋଭାବ ହିଁ ତାଙ୍କୁ ଜଣେ ଡେଲିଭରି ବୟରୁ ବିଚାରପତି ହେବା ପର୍ଯ୍ୟନ୍ତ ଏକ ଅଦ୍ଭୁତ ପୂର୍ବକ ଯାତ୍ରାରେ ନେଇଯାଇଥିଲା ।
ପିଲାଦିନରୁ ୟାସିନଙ୍କ ଜୀବନ ଅନେକ ଝଡ ଝଞ୍ଜା ଦେଇ ଗତି କରିଥିଲା । ଯେତେବେଳେ ତାଙ୍କୁ ମାତ୍ର ୩ ବର୍ଷ ବୟସ ତାଙ୍କ ବାପା ଛାଡି ଚାଲିଗଲେ ଆରପାରିକୁ । ସେତେବେଳେ ତାଙ୍କ ମାଙ୍କୁ ମାତ୍ର ୧୯ ବର୍ଷ ବୟସ । ଦୁଇ ପୁଅ ଓ ଜେଜେମାଙ୍କୁ ଧରି ଏକ ଭଙ୍ଗା ଦଦରା ଘରେ ରହୁଥିଲେ ୟାସିନଙ୍କ ମା ।
ୟାସିନର ୬ ବର୍ଷ ବୟସରୁ ୧୬ ବର୍ଷ ବୟସ ପର୍ଯ୍ୟନ୍ତ ଦିନ ଗୁଡିକ କିଛି ଏପରି କଟୁଥିଲା...ସେ ସକାଳ ୪ଟାରେ ଉଠି ୧୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ଗୁଡିରେ ଖବରକାଗଜ ବାଣ୍ଟୁଥିଲେ । ପୁଣି ସକାଳ ୭ଟାରୁ ସେ ଆଖ ପାଖ ପଡ଼ୋଶୀରେ କ୍ଷୀର ପହଞ୍ଚାଉଥିଲେ ଏବଂ ତା ପରେ ସ୍କୁଲ ଯାଉଥିଲେ ।
ପ୍ରକୃତରେ ଯେତେବେଳେ ସେ ୬ ବର୍ଷ ବୟସର ଥିଲେ ତାଙ୍କ ମାଆ ଜୀବିକା ନିର୍ବାହ କରିବା ପାଇଁ ଗାଈ ରଖି କ୍ଷୀର ବିକ୍ରି କରୁଥିଲେ । ୟାସିନ ମଧ୍ୟ ଛୋଟ ବେଳୁ ତାଙ୍କ ମାଙ୍କ ସହ ପାଦରେ ପାଦ ମିଶେଇ କାମରେ ସାହାଯ୍ୟ କରୁଥିଲେ । ସେ କେବେବି କଠିନ ପରିଶ୍ରମରୁ ପଛଘୁଞ୍ଚା ଦେଇ ନଥିଲେ ।
ୟାସିନ୍ ଘର ଚଳାଇବା ପାଇଁ କ୍ଷୀର ବିକ୍ରି କରିବା,ପଥର କାଟିବା,ଖବର କାଗଜ ବିକିବା, ଚିତ୍ର କରବା, କ୍ୟାଟରିଂ କର୍ମଚାରୀ, ଜୋମାଟୋ ବୟ ଏବଂ ଏପରି ଅନେକ ଛୋଟ ଛୋଟ କାମ କରି ଟଙ୍କା ରୋଜଗାର କରୁଥିଲେ । ସେ ଅନ୍ୟର ପୁରୁଣା ପୁସ୍ତକରୁ ପାଠ ପଢ଼ୁଥିଲେ, ଅନ୍ୟମାନଙ୍କର ପୁରୁଣା ପୋଷାକ ପିନ୍ଧୁଥିଲେ ଏବଂ ଯାହା ପାଉଥିଲେ ତାହା ଖାଉଥିଲେ ।
ଦ୍ୱାଦଶ ଶ୍ରେଣୀ ପରେ ସେ ସୋନପୁରର ଏକ ପଲିଟେକ୍ନିକ କଲେଜରେ ଇଲେକଟ୍ରୋନିକ୍ସରେ ଡିପ୍ଲୋମା କଲେ । ତାଙ୍କ ଡିଗ୍ରୀର ଶେଷ ବର୍ଷରେ ସେ ରାଜ୍ୟ ଆଇନ ପ୍ରବେଶ ପରୀକ୍ଷା ବିଷୟରେ ଶୁଣିଲେ ଏବଂ ସେଥିପାଇଁ ପ୍ରସ୍ତୁତ ହେବାକୁ ନିଷ୍ପତ୍ତି ନେଲେ । ୟାସିନ କେରଳ ଏର୍ଣ୍ଣାକୁଲମର ପ୍ରତିଷ୍ଠିତ ସରକାରୀ ଲ କଲେଜରେ ଆଡମିଶନ କଲେ। କଲେଜ ପରେ ସେ ରାତି ୨ଟା ପର୍ଯ୍ୟନ୍ତ ଫୁଡ ଡେଲିଭରି ଆପ୍ସ ମାଧ୍ୟମରେ ଜୋମାଟୋ ଡେଲିଭରି ବୟ ଭାବରେ କାମ କରୁଥିଲେ ।
ୟାସିନ ନିଜର ପାଠ ପଢାର ଯାତ୍ରାରେ କୁହନ୍ତି...ଗଣିତ,ଇଂଗ୍ରାଜି ଓ ହିନ୍ଦିରେ ଲଗାତାର ଭାବରେ ଫେଲ୍ ହେବା ଓ ଦ୍ୱାଦଶରେ ଫେଲ ହୋଇ ପାଠ ଛାଡିଥିବା ଛାତ୍ର ଯେ ଆଜି ଜଜ୍ ତାହା ଯିଏ ବି ଶୁଣିବ ଅବିଶ୍ୱାସ କରିବ । କେବେ ଖବର କାଗଜ ବିକି ତ କେବେ କ୍ଷୀର ବିକି ତ ଆଉ କେବେ ଡେଲିଭରୀ ବୟ ଭାବରେ ଗୁଜୁରାଣ ମେଣ୍ଟାଉଥିବା ୟାସିନ ୨୯ ବର୍ଷ ବୟସ ପର୍ଯ୍ୟନ୍ତ ସଂଙ୍ଘର୍ଷ ଓ ସ୍ୱପ୍ନ ସହ ବଞ୍ଚୁଥିଲେ କିନ୍ତୁ କେବେ ହାର ମାନି ନଥିଲେ । ସେଇଥିପାଇଁ ତ କୁହାଯାଏ ସଙ୍କଟରୁ ସଙ୍କଳ୍ପ ଆଉ ଅଭାବରୁ ବିକଳ୍ପ ।