କନକ ବ୍ୟୁରୋ : କଥାରେ ଅଛି ଗରିବ ହୋଇ ଜନ୍ମ ହେବା ଦୁର୍ଭାଗ୍ୟ ନୁହେଁ କିନ୍ତୁ ଗରିବ ହୋଇ ମରିବା ନିହାତି ଭାବେ ଦୁର୍ଭାଗ୍ୟର କଥା । ଆପଣ ଏମିତି ଅନେକ ଲୋକଙ୍କ ଉଦାହରଣ ଦେଖିଥିବେ ଯେଉଁମାନେ ସମାଜକୁ ପ୍ରେରଣା ଯୋଗାଇଥା’ନ୍ତି । ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିବା ଜାକିର୍ ଖାନ୍ ଏହାର ଏକ ଜ୍ବଳନ୍ତ ଉଦାହରଣ । ପେସାରେ ଜଣେ ଷ୍ଟାଣ୍ଡଅପ୍ କମେଡିଆନ୍ ଥିବା ଜାକିର୍ କିଛି ବର୍ଷ ମଧ୍ୟରେ ନିଜର ବ୍ୟବହାର ଏବଂ ଦକ୍ଷତା ବଳରେ ଯୁବ ସମାଜଠାରୁ ଆରମ୍ଭ କରି ଆବାଳବୃଦ୍ଧ ବନିତା ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟ ଜିତି ପାରିଛନ୍ତି । କେବଳ କମେଡି ନୁହେଁ ତାଙ୍କର ଉଚ୍ଚକୋଟିର ଚିନ୍ତାଧାରା ଏବଂ କଥାକୁ ମଧ୍ୟ ସେ ପଡକାଷ୍ଟ୍ ମାଧ୍ୟମରେ ପ୍ରେଜେଣ୍ଟ୍ କରନ୍ତି ଯାହାକୁ ସମସ୍ତେ ପସନ୍ଦ କରନ୍ତି । ତେବେ ଜାକିର୍ ବର୍ତ୍ତମାନ ଇତିହାସ ରଚିଛନ୍ତି କହିଲେ କିଛି ଭୁଲ୍ ହେବନି ।

Advertisment

ନ୍ୟୁୟର୍କର ମାଡିସନ୍ ସ୍କୋୟାର୍ ଗାର୍ଡେନରେ ପ୍ରଥମଥର ପାଇଁ ଜଣେ ଭାରତୀୟ କମେଡିଆନ୍ ହିନ୍ଦୀରେ କମେଡି କରି ବାଃ ବାଃର ପାତ୍ର ହୋଇଛନ୍ତି । ଆଉ ସେ କମେଡିଆନ୍ ଆଉ କେହି ନୁହଁନ୍ତି ନିଜେ ଜାକିର୍ ଖାନ୍ । ଖାଲି ପ୍ରଶଂସା ନୁହେଁ ଟାଇମ୍ ସ୍କୋୟାରରେ ତାଙ୍କର ଫିଚର୍ ମଧ୍ୟ ପ୍ରଦର୍ଶିତ ହୋଇଥିଲା ଯାହାକୁ ଦେଖି ଜାକିର୍ ନିଜେ ଭାବବିହ୍ବଳ ହୋଇପଡ଼ିଥିଲେ । କାରଣ ଜଣେ ମଧ୍ୟବିତ୍ତ ପରିବାରର ଯୁବକ ଏତେ ବଡ଼ ସଫଳତା ପାଇବା କିଛି ସାଧାରଣ କଥା ନୁହେଁ । ୧୭ ଅଗଷ୍ଟ , ୨୦୨୫ ରେ ମାଡିସନ୍ ସ୍କୋୟାର୍ ଗାର୍ଡେନରେ ଜାକିର୍ ଖାନଙ୍କ ହିନ୍ଦୀରେ କମେଡି ଶୋ’ ଆୟୋଜନ ହୋଇଥିଲା ଏବଂ ସେ ପ୍ରଥମଥର ପାଇଁ ବିଦେଶରେ ହିନ୍ଦୀରେ ପ୍ରୋଗ୍ରାମ କରିବାର ରେକର୍ଡ ସୃଷ୍ଟି କଲେ । ଜାକିର୍ ଇତିହାସର ପ୍ରଥମ ଭାରତୀୟ ଷ୍ଟାଣ୍ଡଅପ୍ କମେଡିୟାନର ରେକର୍ଡ ବ୍ରେକ୍ କଲେ ଯେ ମାଡିସନ୍ ସ୍କୋୟାର୍ ଗାର୍ଡେନରେ ନିଜ କମେଡିର ଯାଦୁ ଦେଖାଇଲେ । ଜାକିରଙ୍କ ଏହି ଶୋ’କୁ ନା’ କେବଳ ଭାରତୀୟ ଦର୍ଶକ , ବିଦେଶୀ ମଧ୍ୟ ଭୁରି ଭୁରି ପ୍ରଶଂସା କଲେ । ଯେତେବେଳେ ଶୋ’ ଶେଷ ହେଲା ସମସ୍ତେ ନିଜ ନିଜ ସ୍ଥାନରୁ ଉଠି ତାଳି ବଜାଉଥିଲେ । ଦର୍ଶକ ତାଙ୍କ ସିଟରୁ ଉଠି ଜାକିରଙ୍କୁ ସମ୍ମାନ ଦେଉଥିଲେ ଆଉ ଜଣେ କଳାକାରଙ୍କ ପାଇଁ ଏହାଠୁ ବଡ଼ ସମ୍ମାନ ଆଉ କ’ଣ ହୋଇପାରେ । ଏଭଳି ସମ୍ମାନ ପାଇ ଜାକିର ମଧ୍ୟ ଭାବବିହ୍ବଳ ହୋଇ ମୁଣ୍ଡ ନୁଆଁଇ ସମସ୍ତଙ୍କୁ ଧନ୍ୟବାଦ ଦେଲେ । ଜାକିରଙ୍କ ଏ ସଫଳତାରେ ତାଙ୍କର ବନ୍ଧୁ ଏବଂ ବଲିଉଡ୍ ଜଗତର କିଛି ଖାସ୍ ତାରକା ମଧ୍ୟ ଶୁଭକାମନା ଜଣାଇଛନ୍ତି ।