କନକ ବ୍ୟୁରୋ : ଚର୍ଚ୍ଚା ବଢାଇଲା ଚହଲଙ୍କ ଇଂଷ୍ଟାଗ୍ରାମ୍ ଷ୍ଟୋରୀ । ଦୀର୍ଘଦିନ ହେବ ଭାରତୀୟ କ୍ରିକେଟର୍ ତଥା ସ୍ପିନ୍ ବୋଲର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ଚର୍ଚ୍ଚାରେ ରହିଆସିଛନ୍ତି । ଉଭୟଙ୍କ ସମ୍ପର୍କକୁ ନେଇ ସୋସିଆଲ୍ ମିଡିଆରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ଏହାକୁ ନେଇ ଗତ କିଛି ଦିନ ତଳେ ଧନଶ୍ରୀ ମୁହଁ ଖୋଲିଥିବା ବେଳେ ଆଜି ସୋସିଆଲ୍ ମିଡିଆରେ ଷ୍ଟୋରୀ ଦେଇ ଚର୍ଚ୍ଚାକୁ ଆହୁରି ବଢାଇଦେଇଛନ୍ତି ୟୁଜବେନ୍ଦ୍ର ଚହଲ ।
ଚହଲ ଏବଂ ଧନଶ୍ରୀଙ୍କ ଛାଡପତ୍ରକୁ ନେଇ ଅନେକ ରିପୋର୍ଟରେ ପ୍ରକାଶ ପାଇଛି । ଏପରିକି ଛାଡପତ୍ର ନିଶ୍ଚିତ ବୋଲି ଅନେକ ଦାବି କରିଛନ୍ତି । କିନ୍ତୁ ଏସବୁ ଭିତରେ ନିକଟରେ ଧନଶ୍ରୀ ନିଜେ ଏହି ସବୁ ଖବର ଉପରେ ପ୍ରତିକ୍ରିୟା ଦେଇଥିଲେ । ସବୁ ଖବରକୁ ଗୁଜବ କହିବା ସହ ନିଜର ତାଗିଦ୍ କରି କହିଥିଲେ, ମୋ ନୀରବତାକୁ ମୋ ଦୁର୍ବଳତା ଭାବନାହିଁ । ଧନଶ୍ରୀଙ୍କ ପ୍ରତିକ୍ରିୟା ପରେ ଏବେ ଚହଲଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି, ଯାହା ସବୁ ଚର୍ଚ୍ଚା ହେଉଛି ତାହା ସତ ହୋଇପାରେ ନହୋଇ ବି ପାରେ ।
ଚହଲ ଇଂଷ୍ଟାଗ୍ରାମ୍ ଷ୍ଟୋରୀରେ ଲେଖିଛନ୍ତି, ଫ୍ୟାନ୍ସଙ୍କ ଅତୁଟ ଭଲପାଇବା, ପ୍ରେମ ଏବଂ ସମର୍ଥନ ପାଇଁ ମୁଁ କୃତଜ୍ଞ । ଯାହା ବିନା ମୁଁ ଏଠାରେ କେବେ ପହଞ୍ଚିପାରିନଥାନ୍ତି । ଏହି ଯାତ୍ରା ସମାପ୍ତ ହୋଇନି । ଗତ କିଛି ଦିନ ହେବ ସୋସିଆଲ୍ ମିଡିଆ ଏବଂ ନ୍ୟୁଜରେ ଆମ ସମ୍ପର୍କକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ସେ ସବୁକୁ ମୁଁ ନୋଟିସ୍ କରିଛି । ଛାଡପତ୍ର କଥା ସତ ହୋଇପାରେ ନହୋଇ ବି ପାରେ । ତେଣୁ ମୁଁ ଜଣେ ପୁଅ, ଭାଇ ଏବଂ ସାଙ୍ଗ ହିସାବରେ ସମସ୍ତଙ୍କୁ ନିବେଦନ କରୁଛି, ଚର୍ଚ୍ଚା ଆଗକୁ ବଢାନ୍ତୁ ନାହିଁ । ଏହା ଦ୍ୱାରା ମତେ ଏବଂ ମୋ ପରିବାରକୁ ବହୁତ ଦୁଃଖ ହେଉଛି ।