କନକ ବ୍ୟୁରୋ: ‘ଏମିତି ଏକ ସମୟ ମୋ ଜୀବନରେ ଆସିଥିଲା । ଯେଉଁ ସମୟରେ ମୋତେ ଆତ୍ମହତ୍ୟା କରିଦେବାକୁ ଇଛା ହେଉଥିଲା । ବଞ୍ଚିବାକୁ ଇଛା ନଥିଲା ।‘ ଏଭଳି ହୃଦୟବିରାକ ଆଉ ମର୍ମାହତ କଲାଭଳି କଥା କହିଛନ୍ତି ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ । କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ତାଙ୍କ ଛାଡପତ୍ରକୁ ନେଇ ଦୀର୍ଘ ଦିନର ନୀରବତା ଭାଙ୍ଗିଛନ୍ତି । ଏକ ସାକ୍ଷାତକାରରେ ସେ ନିଜର ବ୍ୟକ୍ତିଗତ ଜୀବନର ସେହି କଠିନ ସମୟ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି । ଯେଉଁଥିରେ ସେ ନିଜ ମାନସିକ ସ୍ୱାସ୍ଥ୍ୟ ଏବଂ ଆତ୍ମହତ୍ୟାର ଭାବନା ସହ ଲଢୁଥିବା କଥା ସ୍ୱୀକାର କରିଛନ୍ତି । ଚହଲ ଓ ଧନଶ୍ରୀ ୨୦୨୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ବିବାହର ପ୍ରାୟ ତିନି ବର୍ଷ ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଚଳିତ ବର୍ଷ ମାର୍ଚ୍ଚ ମାସରେ ଉଭୟ ଆଇନଗତ ଭାବେ ଅଲଗା ହୋଇଯାଇଥିଲେ । ଏକ ପଡକାଷ୍ଟରେ ଚହଲ କହିଛନ୍ତି ଯେ ଛାଡପତ୍ର ପ୍ରକ୍ରିୟା ସମୟରେ ତାଙ୍କୁ "ପ୍ରତାରକ" ବା "ଧୋକାବାଜ"ର ଆଖ୍ୟା ଦିଆଯାଇଥିଲା, ଯାହା ତାଙ୍କୁ ଗଭୀର ଭାବେ ଆଘାତ ଦେଇଥିଲା । ସେ କହିଛନ୍ତି, "ମୁଁ ମୋ ଜୀବନରେ କେବେ କାହାକୁ ଧୋକା ଦେଇନାହିଁ। ମୁଁ ସେପରି ବ୍ୟକ୍ତି ନୁହେଁ । ମୋଠାରୁ ଅଧିକ ବିଶ୍ୱସ୍ତ ବ୍ୟକ୍ତି ଆପଣ ବୋଧେ ପାଇବେ ନାହିଁ ।"
ଏହି ମିଥ୍ୟା ଅଭିଯୋଗ ଏବଂ ସାମାଜିକ ଗଣମାଧ୍ୟମରେ ହେଉଥିବା ଟ୍ରୋଲିଂ ତାଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଥିଲା। ସେ ସ୍ୱୀକାର କରିଛନ୍ତି ଯେ ସେ ଏକ ଅନ୍ଧକାରମୟ ସମୟ ଦେଇ ଗତି କରୁଥିଲେ । ଚହଲ କହିଛନ୍ତି, "ମୋ ମନରେ ଆତ୍ମହତ୍ୟାର ଭାବନା ଆସୁଥିଲା । ମୁଁ ମୋ ଜୀବନରେ ବହୁତ ଥକି ଯାଇଥିଲି । ମୁଁ ଦିନକୁ ଦୁଇ ଘଣ୍ଟା କାନ୍ଦୁଥିଲି ଏବଂ ମାତ୍ର ଦୁଇ ଘଣ୍ଟା ଶୋଉଥିଲି । ଏହିଭଳି ପ୍ରାୟ ୪୦ ଦିନରୁ ଅଧିକ ସମୟ ଚାଲିଥିଲା । ମୋତେ ଆଙ୍ଗଜାଇଟି ଆଟାକ୍ ଓ ଡିପ୍ରେସନ ହେଉଥିଲା। ଏହି କାରଣରୁ ସେ କ୍ରିକେଟରୁ ମଧ୍ୟ କିଛି ସମୟ ପାଇଁ ବିରତି ନେବାକୁ ଚିନ୍ତା କରିଥିଲେ। ଚହଲଙ୍କ ଅନୁଯାୟୀ, ସେମାନଙ୍କ ସମ୍ପର୍କରେ ଫାଟ ହଠାତ୍ ଆସି ନଥିଲା, ବରଂ ଏହା କିଛି ସମୟ ଧରି ଚାଲିଥିଲା । ସେ କହିଛନ୍ତି ଯେ ଉଭୟ ନିଜ ନିଜ କ୍ୟାରିୟରରେ ବହୁତ ବ୍ୟସ୍ତ ରହୁଥିବାରୁ ସମ୍ପର୍କ ପାଇଁ ସମୟ ଦେଇପାରୁନଥିଲେ, ଯାହା ଧୀରେ ଧୀରେ ଦୂରତା ସୃଷ୍ଟି କରିଥିଲା । ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଛାଡପତ୍ରର ନିଷ୍ପତ୍ତି ଚୂଡ଼ାନ୍ତ ହେବା ପର୍ଯ୍ୟନ୍ତ ସେମାନେ ସାମାଜିକ ଗଣମାଧ୍ୟମରେ ସବୁକିଛି ଠିକ୍ ଥିବାର ଅଭିନୟ କରୁଥିଲେ । ଏହି କଠିନ ସମୟ ସତ୍ତ୍ୱେ, ଚହଲ କହିଛନ୍ତି ଯେ ଛାଡପତ୍ର ଶାନ୍ତିପୂର୍ଣ୍ଣ ଭାବରେ ହୋଇଥିଲା । ସେ ବର୍ତ୍ତମାନ ନିଜକୁ ସମୟ ଦେବାକୁ ଚାହୁଁଛନ୍ତି ଏବଂ ପୁଣି ଥରେ ଭଲ ପାଇବାକୁ ଭୟ କରୁନାହାନ୍ତି, କିନ୍ତୁ କାହାକୁ ହରାଇବାକୁ ଡରୁଛନ୍ତି ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/08/01/chahal-2025-08-01-15-18-38.jpg)