କନକ ବ୍ୟୁରୋ : ୨୦୨୦ ଡିସେମ୍ବର ୨୨ ରେ ବିବାହ କରିଥିଲେ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ କୋରିଓଗ୍ରାଫର୍ ଧନଶ୍ରୀ ବର୍ମା । କିନ୍ତୁ ଦୁହିଁଙ୍କ ସମ୍ପର୍କ ଅଧିକ ସମୟ ଧରି ତିଷ୍ଠି ପାରିନଥିଲା ଏବଂ ୨୦ ମାର୍ଚ୍ଚ ୨୦୨୫ ରେ ଦୁହେଁ ଅଲଗା ହୋଇଯାଇଥିଲେ । ତେବେ ବର୍ତ୍ତମାନ ଧନଶ୍ରୀ ଏକ ରିଆଲିଟି ଶୋ’ରେ ଭାଗ ନେଇଛନ୍ତି ଯେଉଁଥିରେ ଚହଲ ତାଙ୍କୁ ପ୍ରତାରଣା କରିଥିବା କଥା ମଧ୍ୟ ସେ କହିଛନ୍ତି । ଧନଶ୍ରୀଙ୍କ ଏହି ଅଭିଯୋଗର ଜବାବ ବର୍ତ୍ତମାନ ଦେଇଛନ୍ତି କ୍ରିକେଟର ୟୁଜବେନ୍ଦ୍ର ଚହଲ । ସେ ଧନଶ୍ରୀଙ୍କ ଦ୍ବାରା ଲଗାଯାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଜାତୀୟ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ଚହଲ କହିଛନ୍ତି, " ମୁଁ ଜଣେ ଖେଳାଳି ଏବଂ ମୁଁ ଠକିବା ଶିଖି ନାହିଁ କି କାହାକୁ ଠକି ନାହିଁ । ଯଦି କେହି ଦୁଇ ମାସ ମଧ୍ୟରେ ଠକିଦିଏ, ତେବେ ସମ୍ପର୍କ କେତେ ଦିନ ରହିବ ? ମୋ ପାଇଁ ଧନଶ୍ରୀଙ୍କ ଅଧ୍ୟାୟ ଶେଷ ହୋଇଯାଇଛି । ମୁଁ ମୋ ଜୀବନ ସହିତ ଆଗକୁ ବଢ଼ିଛି ଏବଂ ଅନ୍ୟମାନଙ୍କୁ ମଧ୍ୟ ଏଭଳି କରିବା ଉଚିତ । "
ଚହଲ ଆହୁରି କହିଛନ୍ତି, " ଆମର ବିବାହ ସାଢ଼େ ୪ ବର୍ଷ ଚାଲିଲା । ଯଦି ମତେ ଦୁଇ ମାସ ମଧ୍ୟରେ ଠକାମିର ଶିକାର କରାଯାଏ ତେବେ କିଏ ଆଗକୁ ବଢ଼ିବ ? ମୁଁ ପୂର୍ବରୁ କହିସାରିଛି ଯେ ମୁଁ ଅତୀତରୁ ଆଗକୁ ବଢ଼ିଯାଇଛି । କିନ୍ତୁ କିଛି ଲୋକ ଏବେ ବି ସେଠାରେ ଫସି ରହିଛନ୍ତି । ମୋ ନାଁରେ ସେମାନଙ୍କ ଘର ଚଳୁଛି ତେଣୁ ସେମାନେ ଏହା ଜାରି ରଖିପାରିବେ । ମୁଁ ଏହାକୁ ନେଇ ଚିନ୍ତିତ ନୁହେଁ ଏବଂ ମତେ କିଛି ଫରକ ପଡ଼େ ନାହିଁ ।
ତେବେ ଧନଶ୍ରୀ କିଛି ଦିନ ପୂର୍ବରୁ ରିଆଲିଟି ଶୋ’ ରାଇଜ ଆଣ୍ଡ ଫଲରେ ଚହଲଙ୍କୁ ପରୋକ୍ଷରେ ଅଭିଯୋଗ କରିଥିଲେ । ଅଭିନେତ୍ରୀ କୁବ୍ବ୍ରା ସୈତ ଧନଶ୍ରୀଙ୍କୁ ପଚାରିଥିଲେ ଯେ ସେ କେବେ ଜାଣିଲେ ଯେ ତାଙ୍କ ବିବାହ ଭାଙ୍ଗୁଛି । ଏହାର ଉତ୍ତରରେ ଧନଶ୍ରୀ କହିଥିଲେ " ମୁଁ ଚହଲଙ୍କୁ ବିବାହର ଦେଢ଼ ବର୍ଷ ଭିତରେ ଧରିଥିଲି ।’’