yograj-Singh Photograph: (kanak news)
କନକ ବ୍ୟୁରୋ : ପୂର୍ବତନ କ୍ରିକେଟର୍ ଯୁବରାଜ ସିଂହଙ୍କ ବାପା ତଥା ଅଭିନେତା ଯୋଗରାଜ ସିଂ ନିକଟରେ ନିଜ ଜୀବନକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି । ସେ ଯୁବରାଜଙ୍କ ସହ ପିଲାଦିନରେ ଘଟିଥିବା ମତଭେଦ ବିଷୟରେ କହିଛନ୍ତି । ଯୋଗରାଜ ଏହାକୁ ନିଜ ଜୀବନର ସବୁଠାରୁ ବଡ଼ ଧକ୍କା ବୋଲି କହିଛନ୍ତି । ଭିଣ୍ଟେଜ୍ ଷ୍ଟୁଡିଓ ସହିତ ଏକ ସାକ୍ଷାତକାର କରିବା ସମୟରେ ସେ ତାଙ୍କ ପ୍ରଥମ ପତ୍ନୀ ଶବନମ୍ କୌର ଏବଂ ପୁଅ ଯୁବରାଜ ତାଙ୍କୁ ଛାଡ଼ି ଚାଲିଯିବା ବିଷୟରେ ମୁହଁ ଖୋଲିଥିଲେ ଏବଂ ଏହାକୁ ନିଜ ଜୀବନର ବଡ଼ ଧକ୍କା ବୋଲି ମଧ୍ୟ କହିଥିଲେ । ଇମୋସନାଲ୍ ହୋଇ ସେ କହିଥିଲେ ଯେ ମୁଁ ଆଉ ମୋ ଜୀବନରେ କିଛି ଚାହୁନାହିଁ ତେଣୁ ଏବେ ମରିବାକୁ ପ୍ରସ୍ତୁତ । ଯୋଗରାଜ ନିଜ ଜୀବନ ଉପରେ ପଡ଼ିଥିବା ପ୍ରଭାବକୁ ନେଇ କହିଥିଲେ ଯେ ଯଦିଓ ସିନେମା ଏବଂ କ୍ରିକେଟ ମତେ ଭୁଲ୍ ବାଟରେ ନେଇଯାଇଥାଇପାରେ କିନ୍ତୁ ମତେ ଲାଗୁଛି ଯେ ମୋ ଜୀବନ ପୁଣିଥରେ ସେହି ସ୍ଥାନକୁ ଚାଲିଯାଇଛି ଯେଉଁଠି ଏହାର ଆରମ୍ଭ ହୋଇଥିଲା । ମୁଁ ମୋ ନିଷ୍ପତ୍ତିରେ ଖୁସି କିନ୍ତୁ ବେଳେବେଳେ ଏକାକୀ ଅନୁଭବ କରେ ।
ଆହୁରି ପଢ଼ନ୍ତୁ : ନୀତୀଶ ସରକାର; ଏଥର ଟିମ୍ ବଦଳିବ? ନା ପୁରୁଣା ହେବେ ରିପିଟ୍?
ପ୍ରଥମ ପତ୍ନୀଙ୍କ ସହ ସମ୍ପର୍କକୁ ନେଇ ଯୋଗରାଜ କୁହନ୍ତି , "ଯେଉଁ ସମୟରେ ଯୁବି ଏବଂ ଶବନମ୍ ମୋତେ ଛାଡ଼ି ଚାଲିଗଲେ, ତାହା ସବୁଠାରୁ ବଡ଼ ଆଘାତ ଥିଲା । ଯେଉଁ ମହିଳାଙ୍କ ପାଇଁ ମୁଁ ମୋର ପୂରା ଜୀବନ, ଯୌବନକୁ ବଳିଦାନ ଦେଇଥିଲି ; ସେ ମୋତେ ଛାଡ଼ି ଚାଲିଗଲେ । ଜୀବନରେ ଅନେକ ଜିନିଷ ନଷ୍ଟ ହୋଇଗଲା ପରି ଲାଗିଲା । ତା’ପରେ ମୁଁ ଭଗବାନଙ୍କୁ ପଚାରିଲି ଯେ ମୁଁ ତ କାହା ସହ କିଛି ଖରାପ କରୁନି ,ମୋ ସହିତ ଏପରି କାହିଁକି ଘଟୁଛି । ମୁଁ ଅଜାଣତରେ କେଉଁଠି କିଛି ଭୁଲ୍ କରିଦେଲି କି ? ମୁଁ ଜଣେ ନିର୍ଦ୍ଦୋଶ ବ୍ୟକ୍ତି ,କେବେ କିଛି ଭୁଲ୍ କରିନି ତଥାପି ଭଗବାନ ମତେ ଏତେ କଷ୍ଟ କାହିଁକି ଦେଲେ ?’’
ଭାଗ ମିଲଖା ଭାଗରେ ଅଭିନୟ କରିଥିବା ଯୋଗରାଜ ଆହୁରି କୁହନ୍ତି ଯେ , ‘‘ଯେତେବେଳେ ଭଗବାନ ଚାହିବେ, ମୋତେ ଦୁନିଆରୁ ନେଇଯିବେ । ମୁଁ ଭଗବାନଙ୍କୁ ଧନ୍ୟବାଦ ଦିଏ ଏବଂ ସେ ମୋତେ ଯାହା ଦିଅନ୍ତି ତାହା ପାଇଁ ପ୍ରାର୍ଥନା କରେ । ବଡ଼ ପୁଅ ମୋ ସହ ସଂପର୍କ ରଖିବାକୁ ଚାହୁନି ଆଉ ସାନ ପୁଅ ମଧ୍ୟ ଆମେରିକା ଚାଲିଯାଇଛି । ପେଟକୁ ଦାନା ପାଇଁ ମୁଁ ଏବେ ଅଜଣା ଲୋକଙ୍କ ଉପରେ ନିର୍ଭରଶୀଳ । ମୋ ଘରେ ଏବେ କେହି ନାହାନ୍ତି ସମସ୍ତେ ମତେ ଏକୁଟିଆ ଛାଡ଼ି ଯେ ଯାହା ବାଟରେ ଚାଲିଯାଇଛନ୍ତି ।’’
ତେବେ ଆପଣଙ୍କୁ କହିରଖୁଛୁ ଯେ ଯୋଗରାଜ ସିଂହ ଶବନମ୍ କୌରଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଏକ ପୁଅ ମଧ୍ୟ ରହିଛନ୍ତି ଯୁବରାଜ ସିଂହ । ଯୋଗରାଜ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ଭାଗ ମିଲଖା ଭାଗରେ ସେ କୋଚ୍ ରଣବୀର ସିଂହଙ୍କ ଭୁମିକାରେ ନଜର ଆସିଥିଲେ ।
Follow Us