କନକ ବ୍ୟୁରୋ: ଯୁବରାଜ ସିଂ ... କେବଳ ନାଁ ହିଁ କାଫି । ଦିନିକିଆ ହେଉ କି ଟି-ଟ୍ୱେଣ୍ଟି ବ୍ୟାଟ ଧରିଲେ ସେ ସବୁ ଫର୍ମାଟରେ ରାଜ୍ କରନ୍ତି । ସେଥିପାଇଁ ତ ତାଙ୍କ ନାଁ ଯୁବରାଜ । କ୍ରିକେଟରେ ତାଙ୍କୁ କୁହାଯାଏ ସିକ୍ସର କିଙ୍ଗ୍‌ । ଟିମ୍‌ ଇଣ୍ଡିଆ ପାଇଁ ସେ ଥିଲେ ସଙ୍କଟ ମୋଚକ । ସେ ଯେତେବେଳେ ପଡ଼ିଆ ମଝିରେ ବ୍ୟାଟ ଧରି ଛିଡ଼ା ହୁଅନ୍ତି ସେତେବେଳେ ବଡ଼ ବଡ଼ ବୋଲରଙ୍କ ନିଦ ହଜିଯାଏ । ତାଙ୍କ ଷ୍ଟାଇଲିସ ବ୍ୟାଟିଂ ଆଉ ଚିତା ପରି ଫିଲ୍ଡିଂ ଆଗରେ ବିରୋଧୀ ଚିତ୍ ହୋଇଯାଆନ୍ତି । 

Advertisment

୧୯ ସେପ୍ଟେମ୍ବର ଭାରତୀୟ କ୍ରିକେଟ ଇତିହାସ ପାଇଁ ବେଶ ସ୍ମରଣୀୟ । ୧୯ ସେପ୍ଟେମ୍ବର ୨୦୦୭, ଆଜିକୁ ଠିକ୍ ୧୫ ବର୍ଷ ପୂର୍ବେ ଦକ୍ଷିଣ ଆଫ୍ରିକାର ଡରବାନ ଷ୍ଟାଡିୟମରେ ବିଶ୍ୱ କ୍ରିକେଟରେ ନୂଆ ଇତିହାସ ରଚିଥିଲେ ପୂର୍ବତନ ଭାରତୀୟ ଅଲ୍‌ରାଉଣ୍ଡର୍‌  ଯୁବରାଜ ସିଂ ।  ଦକ୍ଷିଣ ଆଫ୍ରିକା ମାଟିରେ ଯୁବରାଜଙ୍କ ବ୍ୟାଟ ଗର୍ଜିଥିଲା, ଭାରତ ମ୍ୟାଚ୍ ଜିତିଥିଲା ଏବଂ ଯୁବରାଜଙ୍କ ନାଁ କ୍ରିକେଟ୍‌ ଇତିହାସରେ ଲିପିବଦ୍ଧ ହୋଇଯାଇଥିଲା । ଇଂଲଣ୍ଡ ବିପକ୍ଷ ଟି-୨୦ ବିଶ୍ୱକପ ମ୍ୟାଚ୍‌ରେ ଯୁବରାଜଙ୍କ ବିସ୍ଫୋରକ  ଇନିଂସ ଦେଖିଥିଲା ପୂରା ବିଶ୍ୱ । ଗୋଟିଏ ଓଭରର ୬ଟି ବଲ୍‌ରେ ଲଗାତାର ୬ଟି ଛକା ମାରି ସିକ୍ସର କିଙ୍ଗ୍‌ ଭାବେ ପରିଚିତ ହୋଇଥିଲେ ଯୁବରାଜ । ଆଉ ମାତ୍ର ୧୨ଟି ବଲରେ ଦ୍ରୁତତମ ଅର୍ଦ୍ଧଶତକ ପୂରଣ କରି ଯୁବରାଜ ନୂଆ ରେକର୍ଡ କରିଥିଲେ ।

୨୦୦୭ରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟି-୨୦ ବିଶ୍ୱକପ ଖେଳାଯାଉଥିଲା । ଭାରତ ଦିନିକିଆ ବିଶ୍ୱକପରେ ଲିଗ୍ ପର୍ୟ୍ୟାୟରେ ପରାଜିତ ହୋଇଥିବାରୁ ବେଶ ଚାପରେ ରହିଥିଲା ।  କିନ୍ତୁ ୨୦୦୭ ବିଶ୍ୱକପ ଯେ ଭାରତ ପାଇଁ ସ୍ମରଣୀୟ ହୋଇ ରହିବ ତାହା କେହି କେବେ କଳ୍ପନା ମଧ୍ୟ କରିନଥିଲେ । ଭାରତ ଟି-୨୦ ବିଶ୍ୱକପ୍‌ର ପ୍ରଥମ ଚାମ୍ପିୟନ ହୋଇଥିଲା ଏବଂ ଏହି ବିଶ୍ୱକପର ଏକ ମ୍ୟାଚ୍ ମଧ୍ୟ ସବୁବେଳ ପାଇଁ କ୍ରିକେଟପ୍ରେମୀଙ୍କ ହୃଦୟରେ ରହି ଯାଇଥିଲା । ମ୍ୟାଚ୍ ଥିଲା ଭାରତ-ଇଂଲଣ୍ଡ ମଧ୍ୟରେ । ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।  ବୀରେନ୍ଦ୍ର ସେହୱାଗ ଓ ଗୌତମ ଗମ୍ଭୀରଙ୍କ ଧୂଆଁଧାର ଇନିଂସ ବଳରେ ଟିମ୍ ଇଣ୍ଡିଆ ମାତ୍ର ୧୫ ଓଭର ଭିତରେ ୧୩୬ ରନ୍ କରି ସାରିଥିଲା । ଟିମ୍ ଇଣ୍ଡିଆର ୩ଟି ୱିକେଟ ପତନ ପରେ ମୈଦାନକୁ ଓହ୍ଲାଇଥିଲେ ଯୁବରାଜ ସିଂ ।  ତେବେ ମ୍ୟାଚ୍ ଚାଲୁଥିବା ବେଳେ ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫଙ୍କ ସହ ଯୁବରାଜଙ୍କର ବାକ୍ ଯୁଦ୍ଧ ହୋଇଥିଲା । ଆଉ ଏହାର ପରିଣାମ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ଭୋଗିବାକୁ ପଡିଥିଲା ।

ମ୍ୟାଚର ୧୯ତମ ଓଭର ବୋଲିଂ କରିବାକୁ ଆସିଥିଲେ ଷ୍ଟୁଆର୍ଟ ବ୍ରଡ୍‌ । ପ୍ରଥମ ବଲରୁ ହିଁ ପ୍ରହାର ଆରମ୍ଭ କରିଥିଲେ ଯୁବରାଜ । ପ୍ରଥମ ବଲରେ ଡିପ୍ ମିଡ ୱିକେଟ ଦେଇ ବିଶାଳ ଛକା ମାରିଥିଲେ ଯୁବରାଜ । ଆଉ ଏହାର ପରବର୍ତ୍ତୀ ୫ଟି ବଲରେ ଛକାର ବର୍ଷା କରିଥିଲେ ଯୁବରାଜ । ପଡ଼ିଆର ବିଭିନ୍ନ ଦିଗକୁ ଛକା ମାରି କ୍ରିକେଟପ୍ରେମୀଙ୍କ ପାଇଁ ଯୁବରାଜ ପାଲଟି ଯାଇଥିଲେ ସିକ୍ସର କିଙ୍ଗ୍ । ଓଭର ଶେଷ ହେବା ବେଳକୁ ଯୁବରାଜ କ୍ରିକେଟ ଇତିହାସରେ ଲେଖି ସାରିଥିଲେ ନୂଆ ଇତିହାସ । ୬ଟି ବଲରେ ଲଗାତାର ୬ଟି ଛକା ଓ ତା’ ସାଙ୍ଗକୁ ୧୨ ବଲରେ ଦ୍ରୁତତମ ଅର୍ଦ୍ଧଶତକ ପୂରଣ କରି ରେକର୍ଡର ପାହାଡ଼ ଉପରେ ଛିଡ଼ା ହୋଇଥିଲେ ଯୁବରାଜ ।

ଆଉ ଯୁବରାଜଙ୍କ ଏହି ବିଧ୍ୱଂସି ଇନିଂସ ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨୧୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ଇଂଲଣ୍ଡ ଏହି ମ୍ୟାଚ୍ ଜିତିବାକୁ ଜୋର ଲଗାଇ ଦେଇଥିଲେ ମଧ୍ୟ ୧୮ ରନ୍‌ରେ ମାତ୍ ଖାଇଥିଲା । ତେବେ ୧୮ ବର୍ଷର ଏହି ପୁରୁଣା ସ୍ମୃତି ଆଜି ପୁଣି ତାଜା ହୋଇଯାଇଛି । ଯୁବରାଜ ଅବସର ନେଇଯାଇଛନ୍ତି ସତ ହେଲେ ତାଙ୍କ ଭଳି ନିର୍ଭିକ ଆଉ ବିଧ୍ୱସିଂ ବ୍ୟାଟ୍ସମ୍ୟାନ୍ ଆଉ ଦେଖିବାକୁ ମିଳୁନାହାନ୍ତି ।