କନକ ବ୍ୟୁରୋ: ପାକିସ୍ତାନ ପାଇଁ ଗୁପ୍ତଚର କାମ କରିବା ଅଭିଯୋଗରେ ଗିରଫ ୟୁଟ୍ୟୁବର୍ ଜ୍ୟୋତି ମାଲହୋତ୍ରାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ହରିୟାଣା ପୁଲିସ । ହିସାର ଏସପି ପ୍ରେସମିଟ୍ କରି ଜ୍ୟୋତିଙ୍କ ସମ୍ପର୍କରେ ଅନେକ ଖୁଲାସା କରିଛନ୍ତି । ପାକିସ୍ତାନର ଅନେକ ବଡ଼ ବଡ଼ିଆଙ୍କ ସହ ଜ୍ୟୋତି ମାଲହୋତ୍ରାଙ୍କର ବସାଉଠା ଓ ଘନିଷ୍ଠ ସମ୍ପର୍କ ଥିଲା ବୋଲି ସେ କହିଛନ୍ତି ।
- ପୁଲିସ ରିମାଣ୍ଡରେ ୟୁଟ୍ୟୁବର୍ ଜ୍ୟୋତି ମାଲହୋତ୍ରା
- ଖୋଳତାଡ଼ କରୁଛି ହରିୟାଣା ହିସାର ପୁଲିସ
ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଗିରଫ ଟ୍ରାଭେଲ୍ ବ୍ଲଗର୍ ଜ୍ୟୋତି ମାଲହୋତ୍ରାଙ୍କୁ ରିମାଣ୍ଡରେ ନେଇଛି ହରିୟାଣାର ହିସାର ପୁଲିସ । ୫ ଦିନିଆ ରିମାଣ୍ଡରେ ନେଇ ଚଳାଇଛି ଖୋଳତାଡ଼ । ହିସାର ଏସପି ଶଶାଙ୍କ କୁମାର, ଜ୍ୟୋତିଙ୍କୁ ନେଇ କରିଛନ୍ତି ବଡ଼ ଖୁଲାସା । ପାକିସ୍ତାନର ସବୁ ବଡ଼ବଡ଼ିଆଙ୍କ ସହ ଜ୍ୟୋତିଙ୍କର ଥିଲା ଘନିଷ୍ଠ ସମ୍ପର୍କ । ତେବେ କାହା କାହା ସହ ସମ୍ପର୍କ ଥିଲା? ସେନେଇ ପୁଲିସ ତନାଘନା ଚଳାଇଛି । ଗିରଫ ୩୪ ବର୍ଷୀୟା ୟୁଟ୍ୟୁବର୍ ଜ୍ୟୋତି, ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅଙ୍କୁ ମଧ୍ୟ ଭେଟିଥିବା ଜଣାପଡ଼ିଛି । ସେନାର ଅନେକ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଭେଟିଛନ୍ତି, ଯାହାର ତଦନ୍ତ କରୁଛି ଗୁଇନ୍ଦା ବିଭାଗ ।
ସୂଚନାଯୋଗ୍ୟ ଯେ, ଭାରତରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନଙ୍କ ସହାୟତାରେ ଭିସା କରି ୨୦୨୩ରେ ପାକିସ୍ତାନ ଯାଇଥିଲେ ଜ୍ୟୋତି ମାଲହୋତ୍ରା । ହାଇକମିଶନଙ୍କ ସହ ଇଫତାର ପାର୍ଟିରେ ଯୋଗଦେଇଥିଲେ । ସବୁବେଳେ ନିଜର ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପାକିସ୍ତାନର ପ୍ରଶଂସା କରୁଥିଲେ । ଭାରତର ସମସ୍ତ ସମ୍ବେଦନଶୀଳ ପ୍ରସଙ୍ଗକୁ ପାକିସ୍ତାନ ଗୁଇନ୍ଦାକୁ ସେୟାର୍ କରୁଥିଲେ । ଫେକ୍ ଆଇଡି କରି ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇର କିଛି କର୍ମଚାରୀଙ୍କ ନମ୍ବରକୁ ଗୁପ୍ତ ଭାବେ ରଖିଥିବା ଅଭିଯୋଗ ହୋଇଛି । ଏମିତି କି ଜ୍ୟୋତି ମାଲହୋତ୍ରା ଯେତେଥର ପାକିସ୍ତାନ ଯାଇଛନ୍ତି, ସବୁ ଗସ୍ତ ଖର୍ଚ୍ଚ ପାକ୍ ଗୁଇନ୍ଦା ସଂସ୍ଥା କରିଥିବା ଜଣାପଡିଛି ।
ଗତ ସେପ୍ଟେମ୍ବରରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଜ୍ୟୋତି । ସିଂହଦ୍ୱାରରେ ଫଟୋ ଓ ଭିଡିଓ ଉଠାଇଥିଲେ । ପୁରୀ ବେଳାଭୂମି ବୁଲିବା ସହିତ ସେଠାରେ ମଧ୍ୟ ଭିଡିଓ ଏବଂ ଫଟୋ ଉଠାଇ ନିଜ ଇନ୍ଷ୍ଟାଗ୍ରାମରେ ଛାଡ଼ିଛନ୍ତି ।