କନକ ବ୍ୟୁରୋ : ଅମାନିଆ ୟୁଟ୍ୟୁବର,ଅସୁରକ୍ଷିତ ଜଳପ୍ରପାତ । ବଣଭୋଜି କରିବାକୁ ଯାଇ ପୁଣି ଜଣେ ୟୁଟ୍ୟୁବର ନିଖୋଜ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବୁରାତାଲ ପଞ୍ଚାୟତରେ ଥିବା ପର୍ଯ୍ୟଟନ ସ୍ଥଳ, ମହେନ୍ଦ୍ରଗିରି ପର୍ବତର ପାଦଦେଶରେ ଥିବା ବାରହା ପଥର ଜଳପ୍ରପାତକୁ ଆସିଥିବା ୟୁଟ୍ୟୁବ୍ ଓ ଫେସବୁକ୍ ବ୍ଳଗର ଯୁବକ ନିଖୋଜ ହୋଇଯାଇଛନ୍ତି । ଯୁବକ ଜଣଙ୍କ ପୋଲସରା ଥାନା କଳମ୍ବ ଗାଁର ନରେନ୍ଦ୍ର ସାହୁ ବୋଲି ଜଣାପଡ଼ିଛନ୍ତି । ସେ ୟୁଟ୍ୟୁବ୍ ଓ ଫେସବୁକରେ ବ୍ଳଗ କରିବା ସହିତ ବ୍ରହ୍ମପୁର ସହରରେ ଏକ ଗ୍ରୋସରୀ ହୋମ୍ ଡେଲିଭେରି କମ୍ପାନୀରେ କାର୍ଯ୍ୟ କରନ୍ତି । ଗତ ରବିବାର ସାଙ୍ଗଙ୍କ ସହ ମିଶି ବାରହା ପଥର ଜଳପ୍ରପାତକୁ  ବ୍ଳଗ କରିବା ପାଇଁ ଯାଇଥିଲେ । ସନ୍ଧ୍ୟାରେ ନରେନ୍ଦ୍ର ଶୌଚ କରିବା ପାଇଁ ଯାଇଥିବା ବେଳେ ଆଉ ଫେରିନଥିଲେ । ସାଙ୍ଗମାନେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ନପାଇ ଜରଡ଼ା ଥାନା ପୁଲିସକୁ ଜଣାଇଥିଲେ । ଜରଡ଼ା ଥାନା ପୁଲିସ ଓ ପାତ୍ରପୁର ଦମକଳ ବାହିନୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳି ପାରିନାହିଁ । ୨ ଦିନ ତଳେ କୋରାପୁଟ ଡୁଡୁମା ଜଳପ୍ରପାତରେ ବୁଡ଼ି ଯାଇଥିଲେ ୟୁଟ୍ୟୁବର ।