କନକ ବ୍ୟୁରୋ : ଲଣ୍ଡନରେ ଜଣେ ବ୍ରିଟିଶ ୟୁଟ୍ୟୁବର୍ ଔଦ୍ଧତ୍ୟର ସବୁ ସୀମା ଟପି ଯାଇଛନ୍ତି । ବିଦେଶରେ ଥିବା ଏକ ISKCON ରେଷ୍ଟୁରାଣ୍ଟରେ ପ୍ରବେଶ କରି ସେ ଚିକେନ୍ ଖାଇବା ସହ ଲୋକଙ୍କୁ ଖାଉଥିବାର ମଧ୍ୟ ଦେଖାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡ଼ିଓରେ ଦେଖାଯାଉଛି ଯେ ଜଣେ କୃଷ୍ଣକାୟ ଯୁବକ ହାତରେ ଗୋଟିଏ ଛୋଟ ବ୍ୟାଗ୍ ଧରି ISKCON ରେଷ୍ଟୁରାଣ୍ଟକୁ ଯାଉଛନ୍ତି । ସେ ପ୍ରଥମେ ସେଠାକାର କର୍ମଚାରୀଙ୍କ ସହ କଥାବାର୍ତ୍ତା କରୁଛନ୍ତି , କଥାବାର୍ତ୍ତା ବେଳେ ୨ ଜଣ କର୍ମଚାରୀ କହୁଛନ୍ତି ଯେ ଏହା ଏକ ଭେଗାନ୍ ରେଷ୍ଟୁରାଣ୍ଟ୍ । ଏଇଠି ଆମିଷ , ପିଆଜ ଏବଂ ରସୁଣ ଖାଦ୍ୟପଦାର୍ଥ ମିଳେ ନାହିଁ । କର୍ମଚାରୀଙ୍କଠାରୁ ଏଭଳି କଥା ଶୁଣିବା ପରେ ୟୁଟ୍ୟୁବର୍ ବ୍ୟାଗରେ ଆଣିଥିବା ଖାଦ୍ୟପଦାର୍ଥକୁ ବାହାର କରୁଛନ୍ତି । କିନ୍ତୁ ଏ କ’ଣ ସାତ୍ତ୍ବିକ ଭୋଜନାଳୟରେ KFC ଚିକେନ୍ ..
/filters:format(webp)/kanak/media/media_files/2025/07/24/iskon-resturant-2025-07-24-12-25-51.jpg)
ଯୁବକ ଜଣକ ଶୁଦ୍ଧ ଶାକାହାରୀ ISKCON ରେଷ୍ଟୁରାଣ୍ଟରେ KFC ଚିକେନ୍ ଖାଇଛନ୍ତି । ଜାଣିଶୁଣି ଏଭଳି କାମ କରି ନିନ୍ଦାର ପାତ୍ର ହୋଇଛନ୍ତି ଉକ୍ତ ୟୁଟ୍ୟୁବର୍ । ଭେଗାନ୍ ରେଷ୍ଟୁରାଣ୍ଟ୍ ଜାଣିବା ସତ୍ତ୍ବେ ସେ କର୍ମଚାରୀଙ୍କୁ ଉସୁକାଇବା ପାଇଁ ତାଙ୍କ ଆଗରେ ଚିକେନ୍ ଖାଇଥିଲେ । ମହିଳା କର୍ମଚାରୀ ଯୁବକଙ୍କୁ ସାଇନ୍ ବୋର୍ଡ ଦେଖାଇଥିଲେ ଯେଉଁଥିରେ ଶାକାହାରୀ ରେଷ୍ଟୁରାଣ୍ଟ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ମଧ୍ୟ କରାଯାଇଥିଲା କିନ୍ତୁ ଯୁବକଙ୍କ ଚିନ୍ତାଧାରା ତ କିଛି ଭିନ୍ନ ଥିଲା । କର୍ମଚାରୀଙ୍କ ସହ କଥା ହୋଇ ଯୁବକ ବ୍ୟାଗରୁ KFC ଫ୍ରାଏଡ୍ ଚିକେନ୍ ବାହାର କରି ଶାକାହାରୀ ଭୋଜନର କାଉଣ୍ଟର ଉପରେ ରଖିଲେ ଏବଂ ବାକ୍ସରୁ ଚିକେନ୍ ଲେଗ୍ ପିସ୍ ବାହାର କରି ଖାଇବାକୁ ଲାଗିଲେ । କର୍ମଚାରୀ ଯେତେବେଳେ ପଚାରିଲେ ଏହା କ’ଣ ଯୁବକ ଚିକେନ୍ କହିବା ସହିତ ଖାଇବ କି ବୋଲି ପ୍ରଶ୍ନ କରିଥିଲେ । ରେଷ୍ଟୁରାଣ୍ଟର ଅନ୍ୟ କର୍ମଚାରୀ ତାଙ୍କୁ ତୁରନ୍ତ ବାହାରକୁ ଯିବାକୁ କହିଥିଲେ କିନ୍ତୁ ଏହା ପରେ ମଧ୍ୟ ସେଠାରେ ଥିବା ଗ୍ରାହକଙ୍କୁ ଦେଖାଇ ଦେଖାଇ ୟୁଟ୍ୟୁବର୍ ଚିକେନ୍ ଖାଇବାକୁ ଲାଗିଥିଲେ । ଖାଲି ଖାଇ ନଥିଲେ ଗ୍ରାହକଙ୍କୁ ଦେଖି ଖାଇବ କି , ଖାଇବ କି ବୋଲି ମଧ୍ୟ ପ୍ରଶ୍ନ କରୁଥିଲେ ଯୁବକ ।
ଏହାକୁ ଦେଖି ଜଣେ ଗ୍ରାହକ ଚିଡ଼ିଯାଇ କହିଥିଲେ ଯେ "ଏକ୍ସକ୍ୟୁଜ୍ ମି, ଆପଣ କାହାର ଧାର୍ମିକ ଖାଦ୍ୟପେୟର ଏମିତି ଅପମାନ କରିପାରିବେ ନାହିଁ । ଏହା ଠିକ୍ ନୁହେଁ ।’’ ଏହା ଶୁଣି ୟୁଟ୍ୟୁବର୍ ଜଣକ ରେଷ୍ଟୁରାଣ୍ଟରୁ ଯିବା ସହ କହିଥିଲେ ‘‘ ଫ୍ରି ଦ ଚିକେନ୍ ।’’ ତେବେ ଏହି ଭିଡ଼ିଓଟି ଭାଇରାଲ୍ ହେବା ପରେ ଭାରତୀୟଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଅନେକ ୟୁଜର୍ସ ରେଷ୍ଟୁରାଣ୍ଟ ମାଲିକଙ୍କୁ ୟୁଟ୍ୟୁବରଙ୍କ ନାଁରେ ଥାନାରେ ଏତଲା ଦେବା ପାଇଁ କହିଥିଲେ । ଆଉ କିଛି ୟୁଜର୍ସ ସମାଲୋଚନା କରି କହିଥିଲେ ଯେ ‘‘ଏହା ଅପରିଷ୍କାର ଏବଂ ଅସୁସ୍ଥ ମାନସିକତାର ପରିଚୟ । ଲୋକମାନଙ୍କୁ ହଇରାଣ କରି ସେ କିଛି ହାସଲ କଲେ ନାହିଁ ! ସଫଳତା ତ ମିଳିଲା ନାହିଁ, କେବଳ ଅସୁବିଧା ସୃଷ୍ଟି କଲେ ।" ତେବେ ଘଟଣାକୁ ବଲିଉଡ୍ ରାପର୍ ବାଦଶାହା ମଧ୍ୟ ନିନ୍ଦା କରିଛନ୍ତି । ଘଟଣାରେ ଉକ୍ତ ୟୁଟ୍ୟୁବର୍ କ୍ଷମା ମାଗିଥିବାର ସୂଚନା ମଧ୍ୟ ଆସୁଛି । କିନ୍ତୁ ପ୍ରଶ୍ନ ଉଠୁଛି ଶାକାହାରୀ ରେଷ୍ଟୁରାଣ୍ଟ ଭିତରେ ଚିକେନ୍ ଖାଇବାର ଅର୍ଥ କ’ଣ ? କ’ଣ ଲୋକଙ୍କୁ ଶାକାହାରୀ ହେବା ପାଇଁ ମଧ୍ୟ ଅନ୍ୟ କାହାର ଅନୁମତି ଆବଶ୍ୟକ ।