କନକ ବ୍ୟୁରୋ: ପାକିସ୍ତାନ ପାଇଁ ଗୁପ୍ତଚରଗିରି କରୁଥିବା ଅଭିଯୋଗରେ ଗିରଫ ହରିୟାଣାର ଜ୍ୟୋତି ମାଲହୋତ୍ରାଙ୍କ ସହ ରହିଛି ପୁରୀର ୟୁଟ୍ୟୁବର୍ ପ୍ରିୟଙ୍କା ସେନାପତିଙ୍କ ନିବିଡ଼ ସମ୍ପର୍କ । ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଜ୍ୟୋତି ଗତ ସେପ୍ଟେମ୍ବରରେ ପୁରୀ ବୁଲିବାକୁ ଆସିଥିଲେ । ପୁରୀର ବେଳାଭୂମି, ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ । ଆଉ ଏହି ସମୟରେ ପୁରୀର ପ୍ରିୟଙ୍କା ସେନାପତିଙ୍କ ସହ ସେ ବନ୍ଧୁତା କରିଥିଲେ । 

Advertisment

ପ୍ରିୟଙ୍କା ହେଉଛନ୍ତି ପୁରୀ ଶ୍ରୀମନ୍ଦିର ନିକଟ କାଳିକାଦେବୀ ସାହିର ବାସିନ୍ଦା । ଜ୍ୟୋତି ପୁରୀ ଆସିଥିବାବେଳେ ପ୍ରିୟଙ୍କାଙ୍କ ସହ ତାଙ୍କ ଫଟୋ ଭାଇରାଲ ହୋଇଛି । ତେଣୁ ଜ୍ୟୋତିଙ୍କ ସହ ତାଙ୍କ ସମ୍ପର୍କ କ’ଣ ସେ ନେଇ ପୁରୀ ପୁଲିସ ଖୋଳତାଡ଼ ଆରମ୍ଭ କରିଛି । ଦୁଇଦିନ ହେଲା ପ୍ରିୟଙ୍କା ଓ ପରିବାରକୁ ପୁଲିସ ପଚରାଉଚରା କରୁଛି । ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି । ଜ୍ୟୋତିଙ୍କୁ ଜେରା କରାଯାଉଛି । ରାଜ୍ୟ ଏବଂ କେନ୍ଦ୍ର ଗୁଇନ୍ଦା ବିଭାଗ ସହ ଆମେ ଯୋଗାଯୋଗରେ ଅଛୁ । ତଦନ୍ତ ପରେ ସବୁ କଥା ସାମ୍ନାକୁ ଆସିବ ।

ପାକିସ୍ତାନ ଗୁପ୍ତଚର ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ କେବଳ ସମ୍ପର୍କ ନଥିଲା । ପ୍ରିୟଙ୍କା ବି ପାକିସ୍ତାନ ଯାଇ ଅନେକ ଭିଡିଓ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ତେଣୁ ଏହା ତଦନ୍ତକାରୀ ସଂସ୍ଥାର ସନ୍ଦେହକୁ ଅଧିକ ଘନୀଭୂତ କରିଛି । ବିବାଦକୁ ଆସିବା ପରେ ପ୍ରିୟଙ୍କା ଇନଷ୍ଟାଗ୍ରାମରେ ସ୍ପଷ୍ଟୀକରଣ ରଖିଛନ୍ତି । ପ୍ରିୟଙ୍କା କହିଛନ୍ତି, ୟୁଟ୍ୟୁବ୍ ମାଧ୍ୟମରେ ଜ୍ୟୋତିଙ୍କୁ ଚିହ୍ନିଥିଲି । ସେ ପାକିସ୍ତାନ ଗୁପ୍ତଚର ଭାବେ କାମ କରୁଛନ୍ତି ବୋଲି ଜାଣିଥିଲେ କେବେ ବି ତାଙ୍କ ସହ ଯୋଗାଯୋଗରେ ଆସିନଥାନ୍ତି । ତଦନ୍ତକାରୀ ସଂସ୍ଥାକୁ ପୂରା ସହଯୋଗ କରିବି ବୋଲି କହିଛନ୍ତି ପ୍ରିୟଙ୍କା । ସେପଟେ ପ୍ରିୟଙ୍କାଙ୍କ ବାପା ବି କହିଛନ୍ତି, ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରାଯିବ ।

ଏବେ ପ୍ରିୟଙ୍କାଙ୍କୁ ଘନ ଘନ ଜେରା ଚାଲିଛି । ହରିୟାଣା ପୁଲିସ ସହ ଯୋଗାଯୋଗରେ ଅଛି ପୁରୀ ପୁଲିସ । ଆବଶ୍ୟକ ହେଲେ ସାଇବର ବିଶେଷଜ୍ଞଙ୍କ ସହାୟତା ନିଆଯିବ । ଏପରିକି ଏନଆଇଏ ଆସି ଛାନଭିନ୍ କରିପାରେ । ପୁଲିସ ସ୍କାନରରେ ଅଛନ୍ତି ପ୍ରିୟଙ୍କା । ହେଲେ ପ୍ରଶ୍ନ ଉଠୁଛି...

  • କାହିଁକି ପାକିସ୍ତାନ ଯାଇଥିଲେ ପ୍ରିୟଙ୍କା?
  • କାହା ଲିଙ୍କରେ ସେ ପାକିସ୍ତାନ ଯାଇଥିଲେ?
  • ପାକିସ୍ତାନରେ କାହାକୁ ଭେଟିଛନ୍ତି ପ୍ରିୟଙ୍କା?
  • ପୁରୀରେ ପ୍ରିୟଙ୍କାକୁ କାହିଁକି ଭେଟିଥିଲେ ଜ୍ୟୋତି?
  • ପାକିସ୍ତାନ ପାଇଁ କିଛି ବଡ଼ ଯୋଜନା ଥିଲା କି?
  • ପ୍ରିୟଙ୍କାଙ୍କ ପାଇଁ କିଭଳି ସହଜ ହୋଇଥିଲା ପାକିସ୍ତାନ ଯାତ୍ରା?
  • ତଦନ୍ତ ପାଇଁ ଓଡ଼ିଶା ଆସିବ କି ଏନଆଇଏ?