କନକ ବ୍ୟୁରୋ: ୟୁଟ୍ୟୁବ ଚ୍ୟାନେଲ ଦେଖାଇଛି ଟଙ୍କା ରୋଜଗାରର ବାଟ । ଆଜିକାଲି ଅନେକ ଲୋକ ନିଜର ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି । ଆଉ ବିଭିନ୍ନ ପ୍ରକାର କଣ୍ଟେଣ୍ଟ ତିଆରି କରୁଛନ୍ତି । ଯାହା ତାଙ୍କୁ ରୋଜଗାରର ବାଟ ଦେଖାଉଛି । ଗତ ୩ ବର୍ଷ ମଧ୍ୟରେ ଭାରତୀୟ କଣ୍ଟେଣ୍ଟ କ୍ରିଏଟର ୟୁଟ୍ୟୁବରୁ ୨୧ ହଜାର କୋଟି ଟଙ୍କା କମାଇଛନ୍ତି । ୟୁଟ୍ୟୁବ ସିଇଓ ନୀଲ ମୋହନ ଚଳିତ ବର୍ଷ ମେ’ ମାସରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ କଣ୍ଟେଣ୍ଟ କ୍ରିଏଟର ପାଇଥିବା ପେମେଣ୍ଟ ବିଷୟରେ ସୂଚନା ଦେଇଥିଲେ ।
ମୋହନଙ୍କ ଅନୁଯାୟୀ, ଗତ ତିନି ବର୍ଷ ମଧ୍ୟରେ ଭାରତୀୟ କ୍ରିଏଟର, କଳାକାର ଏବଂ ମିଡିଆ କମ୍ପାନିଗୁଡ଼ିକୁ ୨୧,୦୦୦ କୋଟି ଟଙ୍କାରୁ ଅଧିକ ପ୍ରଦାନ କରାଯାଇଛି । ଭାରତୀୟମାନଙ୍କ ମଧ୍ୟରେ ୟୁଟ୍ୟୁବର ବ୍ୟବହାର ଓ ବୃଦ୍ଧି ପାଉଥିବା ଲୋକପ୍ରିୟତା ସମ୍ପର୍କରେ ନୀଲ କହିଛନ୍ତି ଯେ ଗତ ବର୍ଷ ଭାରତରେ ୧୦ କୋଟି ଚ୍ୟାନେଲ ଅପଲୋଡ୍ ତିଆରି ହୋଇଥିଲା । ଯେଉଁଥିରୁ ୧୫ ହଜାର କ୍ରିଏଟର ୧୦ ଲକ୍ଷ ସବସ୍କ୍ରାଇବର ସଂଖ୍ୟା ଅତିକ୍ରମ କରିସାରିଛନ୍ତି ।
ସିଇଓ ପୂର୍ବରୁ କହିଛନ୍ତି ଯେ ୟୁଟ୍ୟୁବ ବିଶ୍ୱବ୍ୟାପୀ ଦର୍ଶକଙ୍କ ସହ ସଂଯୋଗ ସ୍ଥାପନ କରିବାର ଏକ ମାଧ୍ୟମ ପାଲଟିଛି । ଭାରତ ଏହାର ଲାଭ ଏତେ ପ୍ରଭାବଶାଳୀ ଭାବରେ ନେଇପାରିଥିବାରୁ ସେ ଭାରତକୁ ପ୍ରଶଂସା କରିଥିଲେ । ହେଲେ ବହୁତ କମ ଦେଶ ଏହାର ବ୍ୟବହାର ଠିକ ଭାବରେ କରିପାରିନାହାନ୍ତି । ମେ ମାସରେ, ନୀଲ ମୋହନ ଘୋଷଣା କରିଥିଲେ ଯେ ତାଙ୍କ ପ୍ଲାଟଫର୍ମ ଭାରତୀୟ କ୍ରିଏଟର ଅର୍ଥନୀତିରେ ଅଧିକ ନିବେଶ କରୁଛି । ସେ କହିଥିଲେ ଯେ ଆଗାମୀ ଦୁଇ ବର୍ଷ ମଧ୍ୟରେ ୮୫୦ କୋଟି ନିବେଶ କରାଯିବ ।
ଅନେକ କ୍ରିଏଟର ୟୁଟ୍ୟୁବ ଚ୍ୟାନେଲଗୁଡ଼ିକରୁ ଲକ୍ଷ ଲକ୍ଷ ଏପରିକି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଯଦି ଆପଣ ମଧ୍ୟ ନିଜର ଚ୍ୟାନେଲ୍ ତିଆରି କରି ଏଥିରୁ ଟଙ୍କା ରୋଜଗାର କରିବାକୁ ଚାହାନ୍ତି ତେବେ ପ୍ରଥମେ ଆପଣଙ୍କ ଆକାଉଣ୍ଟ ତିଆରି କରନ୍ତୁ, ତାପରେ ୟୁଟ୍ୟୁବ ପାର୍ଟନର ପ୍ରଗ୍ରାମରେ ଯୋଗଦାନ କରନ୍ତୁ । ଏଠାରେ କିଛି ସର୍ତ୍ତ ରହିଥିବ, ଏହି ସର୍ତ୍ତ ପୂରଣ କରିବା ପରେ ଆପଣ ଆଡସେସରୁ ଟଙ୍କା ରୋଜଗାର କରିପାରିବେ ।
ତେବେ ୟୁଟ୍ୟୁବ ଗତ କିଛି ଦିନ ତଳେ ନିଜର କିଛି ନିୟମରେ ପରିବର୍ତ୍ତନ କରିଥିଲା । ପୂର୍ବରୁ ମନିଟାଇଜେସନ୍ ପାଇଁ ୧୦୦୦ ସବସ୍କ୍ରାଇବର ଏବଂ ୪୦୦୦ ଘଣ୍ଟା ୱାଚ୍ ଟାଇମ୍ ଆବଶ୍ୟକ ଥିବାବେଳେ, ବର୍ତ୍ତମାନ ଏହାକୁ କମ୍ କରାଯାଇ ୫୦୦ ସବସ୍କ୍ରାଇବର ଏବଂ ୩୦୦୦ ଘଣ୍ଟା ୱାଚ୍ ଟାଇମ୍ କରାଯାଇଛି । ଏହା ନୂଆ କ୍ରିଏଟରମାନଙ୍କୁ ଶୀଘ୍ର ରୋଜଗାର କରିବା ପାଇଁ ସୁଯୋଗ ଦେବ ।
ଏହି ନୂଆ ନିୟମଗୁଡ଼ିକ ୟୁଟ୍ୟୁବ୍ ଇକୋସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି । କ୍ରିଏଟରମାନଙ୍କୁ ଏହି ନୂଆ ନିୟମଗୁଡ଼ିକୁ ଭଲ ଭାବରେ ବୁଝି ସେହି ଅନୁସାରେ ନିଜର କଣ୍ଟେଣ୍ଟ ପ୍ରସ୍ତୁତ କରିବାକୁ ପଡ଼ିବ ।