କନକ ବ୍ୟୁରୋ: ଯୁଆଡେ ଦେଖିବ ସିଆଡେ ଝୁଲୁଛି ପେନ୍ଥା ପେନ୍ଥା ପାଚିଲା ବରକୋଳି । ଥାଇଗ୍ରୀନ, କାଶ୍ମୀର ରେଡ, ବଲସୁନ୍ଦରୀ ଭଳି ତିନୋଟି ପ୍ରଜାତିର କୋଳି ଚାଷ ହୋଇଛି । ଦେଖିଲେ ମନ ଖୁସିରେ ଭରିଯାଉଛି । ୟୁଟ୍ୟୁବ ଯେ ଦିନେ ଭାଗ୍ୟ ବଦଳାଇଦେବ ତାହା କେବେ ଭାବି ନଥିଲେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଝାରମାଲ ଗାଁର ଚାଷୀ ପ୍ରେମାନନ୍ଦ କିଶାନ । ଆଗରୁ କିଛି ରୋଜଗାର କରିବା ପାଇଁ ମୁଲ ମଜୁରୀ ଲାଗିବାକୁ ପଡ଼ୁଥିଲା । ଏବେ କୋଳି ଚାଷ କରି ନିଜେ ରୋଜଗାର କରି ପରିବାର ପ୍ରତିପୋଷଣ କରିବା ସହ ଅନ୍ୟକୁ ଦେଇଛନ୍ତି ରୋଜଗାର । ୩ ବର୍ଷ ତଳେ ୟୁଟ୍ୟୁବ ଦେଖି ବରକୋଳି ଚାଷ କରିବା ପାଇଁ ମନସ୍ତ କରିଥିଲେ ।
ଚାଷ ବିଷୟରେ ଜାଣିବା ସହ ଅନଲାଇନରେ ଗଛ ମଗାଇ ନିଜର ୨ ଏକର ପରିମିତ ଜମିରେ ପ୍ରାୟ ୮ ଶହ ଗଛ ଲଗାଇଥିଲେ । ପ୍ରଥମ ବର୍ଷରୁ ଅଳ୍ପ ଅମଳ ପାଇଥିବା ବେଳେ ଏବେ ଏହି ଚାଷରୁ ଲକ୍ଷାଧିକ ଟଙ୍କା ଲାଭ ପାଉଛନ୍ତି । ସ୍ତ୍ରୀ ଯଶୋଦା ଏବଂ ପୁତୁରା ସଞୟଙ୍କ ସହ ମିଶି ୨ଏକର ଜମିରେ ଅନେକ କିସମର କୋଳି ଚାଷ କରି ବେଶ ଖୁସିଥିବା କହିଛନ୍ତି । ପ୍ରେମାନନ୍ଦଙ୍କ ଜମିରେ ଫଳୁଥିବା ସୁଆଦିଆ କୋଳି ଆଖପାଖ ବଜାରରେ ଭଲ ଚାହିଦା ରହିଛି । ପ୍ରତ୍ୟେକ ଦିନ ବେପାରୀ ଓ ଗ୍ରାହକଙ୍କ ଭିଡ ଜମୁଛି । ଏପରିକି ଏଠାରୁ କୋଳିନେଇ ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା, ବଣେଇ ଆଦି ଅଂଚଳରେ ଭଲ ଦାମରେ ବିକ୍ରି କରିଥାାଅନ୍ତି ବ୍ୟବସାୟୀ । ଆଖ ପାଖ ଲୋକେ ମଧ୍ୟ ନିଜ ଦୁରଦୁରାନ୍ତର ବନ୍ଧୁବାନ୍ଧବଙ୍କ ପାଖକୁ ପଠାଇଥାନ୍ତି ଏହି କେଳି । ରୋଜଗାର କରିବା ପାଇଁ ଅନ୍ୟ ପାଖରେ ରହି କାମ କରିବା ଅପେକ୍ଷା ନିଜସ୍ବ ଉଦ୍ୟମରେ ଏଭଳି ଉନ୍ନତ ପ୍ରଣାଳିରେ ଚାଷ କରିବା ବେଶ ଲାଭଦାୟକ । ଯାହା ପ୍ରମାଣିତ କରିଛନ୍ତି ପ୍ରେମାନନ୍ଦ ।