କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବକ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଏହି ଘଟଣାଟି ଖଣ୍ଡଗିରି ଥାନା ଅଧୀନରେ ଥିବା ଏକ ଘରୋଇ କଲେଜ ପରିସରରେ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ । ପାରିବାରିକ କଳହକୁ କେନ୍ଦ୍ର କରି ସେ ଏଭଳି ଚରମ ପଦକ୍ଷେପ ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ଘଟଣା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରର ପ୍ରାୟ ୧୫ ପ୍ରତିଶତ ପୋଡ଼ିଯାଇଥିବା ସୂଚନା ମିଳିଛି । ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।