କନକ ବ୍ୟୁରୋ: ସଙ୍ଗଠନକୁ ଟ୍ରାକକୁ ଆଣିବାକୁ ୨ ଦିନ ତଳେ ଯୁବ ଓ ଛାତ୍ର ସଭାପତିଙ୍କ ନାଁ ଘୋଷଣା କରିଛନ୍ତି ନବୀନ । ଏବେ ବି ମହିଳା କାର୍ଡ ଖୋଲିନାହାନ୍ତି ବିଜେଡି ସୁପ୍ରିମୋ । କିନ୍ତୁ ଏହା ଭିତରେ ଦଳର ବରିଷ୍ଠ ନେତାଙ୍କ ଚେତାବନୀ, ବିଜେଡିରେ ସବୁକିଛି ଠିକ୍ ଚାଲିନଥିବା ଆଡକୁ ଇଙ୍ଗିତ କରୁଛି । ଆଉ ଦର୍ଶାଉଛି ଯେ, ପୂର୍ବ ପରାଜୟରୁ କିଛି ବି ଶିଖିନି ଦଳ ।
ନବୀନଙ୍କ ଅସୁସ୍ଥତା ଭିତରେ ବିଜେଡି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଦଳରେ ସବୁକିଛି ଠିକ୍ ଚାଲିନଥିବା ଅନୁଭବ କରି ଶୀର୍ଷସ୍ତରରେ ନେତା ଦେଉଥିବା ବୟାନ ଏବେ ବିଜେଡିକୁ ଅକଳରେ ପକାଉଛି । ଭିନ୍ନଭିନ୍ନ ଢଙ୍ଗରେ ଦଳର ସୁପ୍ରିମୋଙ୍କୁ ଚେତାଉଛନ୍ତି ପୁରୁଣା ସହଯୋଗୀ । ଏବେଠୁ ସତର୍କ ନହେଲେ ଆଗକୁ ସ୍ଥିତି ସାଂଘାତିକ ହୋଇପାରେ । ମତ ଗୋଟିଏ, କର୍ମୀଙ୍କ କଥାକୁ ଅଣଦେଖା କଲେ ୨୪ ସ୍ଥିତି ଭୋଗିବ ଦଳ । ପ୍ରଥମେ ଦେବାଶିଷ ସାମନ୍ତରାୟ, ପରେ ରାଜା ସ୍ୱାଇଁ, ବୁଧବାର ବଦ୍ରି ପାତ୍ର ଓ ଆଜି ଅଶୋକ ପଣ୍ଡା ସିଧାସଳଖ କହିଛନ୍ତି, ଦଳ ସମସ୍ତଙ୍କୁ ନେଇ ଚାଲିବ, ନିର୍ଦ୍ଦିଷ୍ଟ ବର୍ଗଙ୍କୁ ନେଇ ନୁହେଁ ।
ଗୋଟିଏ ପଟେ ତୃଣମୂଳସ୍ତରରେ ବିଜେଡ଼ିର ଗଡ ଭାଙ୍ଗି ଚାଲିଛି । ଗୋଟିଏ ପରେ ଗୋଟିଏ ବ୍ଲକ ଦଖଲ କରୁଛି ବିଜେପି । ଏସବୁ ଭିତରେ ବିଜେଡିର ବରିଷ୍ଠ ନେତାଙ୍କ ବୟାନବାଜି, ଶୀର୍ଷ ନେତୃତ୍ବଙ୍କୁ ନେଇ ତୃଣମୂଳସ୍ତରର କର୍ମୀଙ୍କ ମନରେ ଶଙ୍କା ସୃଷ୍ଟି କରିଛି । ଦଳୀୟ ନିଷ୍ପତ୍ତି ପଛରେ ଅଘୋଷିତ କାର୍ପଟଦାରଙ୍କ ପ୍ରଭାବକୁ ନେଇ ବିଜେଡି ଭିତରେ ଅସନ୍ତୋଷ ଓ ମତଭେଦ ଉଗ୍ର ହେଲାଣି । ହେଲେ ପ୍ରଶ୍ନ ଉଠୁଛି,
- ଦଳ ଭିତରେ ଅସନ୍ତୋଷ ବଢୁଥିବା ବେଳେ ନବୀନ କାହିଁକି ଚୁପ୍ ?
- ତୃଣମୂଳସ୍ତରରେ ଦଳର ସ୍ଥିତି ବାବଦରେ ନବୀନ ଜାଣୁଛନ୍ତି ତ ?
- ନବୀନ ନିବାସରେ ଅସନ୍ତୁଷ୍ଟ ନେତାଙ୍କୁ ଭେଟିଲେଣି ତ ସୁପ୍ରିମୋ ?
୨୪ ନିର୍ବାଚନରେ ପରାଜୟ ପରେ ଅନେକ ବରିଷ୍ଠ ନେତା ହାରିବା ପଛର ଗୁମର ଖୋଲିଥିଲେ। ଏବେ ପୁଣିଥରେ ସେହି ସମାନ ପ୍ରସଙ୍ଗ ଉଠାଇ ବିଜେଡି ରାଜନୀତିରେ କିଛି ବି ବଦଳିନଥିବା ସଂକେତ ଦେଇଛନ୍ତି।