କନକ ବ୍ୟୁରୋ : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଆସିଛି ଏମିତି ଏକ ଛାତି ଥରାଇ ଦେବା ଭଳି ଖବର । କିରୋସିନି ଢାଳି ହୋଇ ଜଳିଯାଇଛନ୍ତି ଜଣେ ଛାତ୍ରୀ । ପରିବାର ଲୋକ ଦେଖିବା ପୂର୍ବରୁ ପୋଡ଼ି ହୋଇ ଆଖି ବୁଜି ଦେଇଛନ୍ତି ଯୁକ୍ତ ତିନିର ଛାତ୍ରୀ । ଏହି ଦୁଃଖଦ ଖବର ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି । ପରିବାର ଲୋକଙ୍କ କହିବା ଅନୁସାରେ,
- ସକାଳ ସାଢ଼େ ୭ଟାରେ ବାପା-ମା’ ପାଖ ବଜାରକୁ ଯାଇଥିଲେ
- ସାଢ଼େ ୧୧ଟାରେ ଘରକୁ ଫେରି ଡାକିଥିଲେ ବି ଝିଅ କବାଟ ଖୋଲିନଥିଲେ
- ଝିଅ କବାଟ ନଖୋଲିବାରୁ କବାଟ ଭାଙ୍ଗି ଘରେ ପଶିଥିଲେ ବାପା-ମା’
ଭିତରକୁ ଯାଇ ଦେଖିବା ବେଳକୁ ସବୁ କିଛି ସରି ଯାଇଥିଲା । ଛାତ୍ରୀ ଜଣଙ୍କ ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିଲେ । ଝିଅ ମୃତ୍ୟୁ ପରେ ବାପା ଆଣିଛନ୍ତି ସାଂଘାତିକ ଅଭିଯୋଗ । ଝିଅଟି ଅସହାୟ ହୋଇ ଜୀବନ ହାରି ଦେଇଛି ବୋଲି କହିଛନ୍ତି । ଅଭିଯୋଗ ଅନୁସାରେ, ଛାତ୍ରୀ ଜଣଙ୍କୁ ଜଣେ ଯୁବକ କିଛି ମାସ ହେଲା ବ୍ଲାକମେଲ୍ କରୁଥିଲା । ମୋବାଇଲରେ ଅଶ୍ଳୀଳ ଭିଡିଓ ଓ ମେସେଜ ପଠାଇ ହଇରାଣ କରୁଥିଲା । ଏନେଇ ଛଅ ମାସ ତଳେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ ପରିବାର । କିନ୍ତୁ ଏଏସ୍ଆଇ ପଲେଇ ବାବୁ ମାମଲା ରୁଜୁ କରିବା ପରିବର୍ତ୍ତେ ମୋବାଇଲ୍ ନମ୍ବର ବ୍ଲକ କରି ଦେବାକୁ କହିଥିଲେ ଏବଂ ମାମଲା ରୁଜୁ କରିନଥିଲେ ।
ଛାତ୍ରୀ ଜଳିଯିବା ଖବର ଆସିବା ପରେ ତୁରନ୍ତ ହସ୍ତକ୍ଷେପ କରିଥିଲେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ । କେନ୍ଦ୍ରାପଡ଼ା ଏସ୍ପିଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଏସ୍ପି । ମୃତ ଛାତ୍ରୀଙ୍କ ବାପା-ମା’ଙ୍କୁ ପଚରାଉଚରା କରିଛନ୍ତି । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତୃଣମୂଳସ୍ତରରେ ତଦନ୍ତ କରୁଛି । ପ୍ରଶ୍ନ ଉଠୁଛି, କାହିଁକି ଏଫ୍ଆଇଆର୍ ଗ୍ରହଣ କଲେନି ପଲେଇ ବାବୁ? କାହିଁକି ଜାଣିପାରିଲେନି କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କଟାରିୟା ? ଥାନା ସମୀକ୍ଷା କରୁନାହାନ୍ତି କି ଏସ୍ପି ? ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି କି ପୁଲିସ ବାବୁ?