କନକ ବ୍ୟୁରୋ: ମାଆଙ୍କ ପାଇଁ ଭାର । ଲୋପ ପାଉଥିବା ପରମ୍ପରାକୁ ଅପଣାଇଛନ୍ତି ଯୁବ ଗୋଷ୍ଠୀ । ଦୀର୍ଘ ବର୍ଷ ପରେ ଫେରିଛି ପୁରାତନ ପରମ୍ପରା । ପରମ୍ପରାକୁ ମନେ ରଖିବା ପାଇଁ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣିଙ୍କୁ ନିଜ ଝିଅ ଭାବି ୧୦୮ ପ୍ରକାର ମିଠା ଓ ପିଠା ଭାର ସହ ଝିଅ ମାନେ ପିନ୍ଧୁଥିବା ଅଳଙ୍କୃତ ଜିନିଷ ଦେଇ ସମାଜର ମଙ୍ଗଳ କାମନା କରୁଥିବା ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହରରେ ।
ମା’ଙ୍କ ପ୍ରିୟ ବାଜା ଚାଙ୍ଗୁର ଶବ୍ଦରେ କମ୍ପିଲା ମନ୍ଦିର ପରିସର । ବାଜାର ତାଳେତାଳେ ଝିଅକୁ ବିଦାୟ ଦେବା ପାଇଁ ଖାଲିପାଦରେ ଘରୁ ବାହାରି ଆସିଛନ୍ତି ମହିଳା । ମୁଣ୍ଡରେ ଧରିଥିଲେ ୧୦୮ ପ୍ରକାର ମିଠାପିଠା ସହିତ ଝିଅର ଶୃଙ୍ଗାର ସାମଗ୍ରୀ । ଏମିତି ଆଡ଼ମ୍ବର ହୋଇଥିଲା ଝିଅ ବିଦା ପାଇଁ । ଆଜି ବାପଘରୁ ଶାଶୂଘରକୁ ଯାଉଛନ୍ତି ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣି ।
ଦକ୍ଷିଣ ଭାରତ ପ୍ରଥା ଅନୁଯାୟୀ ଆଷାଢ଼ ମାସରେ ଝିଅ ବାପାଘରକୁ ବୁଲି ଆସିଥାନ୍ତି । ଶ୍ରାବଣରେ ବାପଘରୁ ଶାଶୂ ଘରକୁ ଯାଇଥାଏ । ସେତେବେଳେ ଝିଅକୁ ବିଭିନ୍ନ ପ୍ରକାର ଭାର ଦେଇ ବିଦା କରିଥାଆନ୍ତି ବାପଘର ଲୋକ । ଠିକ୍ ସେହି ପ୍ରଥା ଅନୁସାରେ ମାଆଙ୍କୁ ନିଜ ଝିଅ ଭାବେ ସ୍ୱୀକାର କରି ବିଦା କରିଛନ୍ତି ରାୟଗଡ଼ା ସହରର କସ୍ତୁରୀ ନଗର ଓ ରାଣୀଗୁଡ଼ା ଫାର୍ମର ମହିଳାମାନେ । ଆରିସା, କାକରା, ଲଡ଼ୁ, ମୁଆଁ, ରସଗୋଲା, କଦଳୀ ଭଳି ୧୦୮ ପ୍ରକାର ମିଠା ଓ ପିଠା ସହ ଶାଢ଼ି, ସିନ୍ଦୂର, ଅଳତା, ଚୁଡ଼ି ଓ ମାଳି ଅଳଙ୍କାର ନେଇ ମଝିଘରିଆଣିଙ୍କ ମନ୍ଦିରରେ ଅର୍ପଣ କରିଛନ୍ତି ।
ବାପା-ଅଜା ଅମଳରୁ ହୋଇଆସୁଥିବା ଏହି ପରମ୍ପରା ମଝିରେ କିଛି ବର୍ଷ ବନ୍ଦ ହୋଇଯାଇଥିଲା । ହେଲେ ଏବେ ପୁଣି ସେହି ପରମ୍ପରାକୁ ଆପଣାଇଛନ୍ତି ଯୁବପିଢ଼ି । ଏହା କରିବା ଚାଷ ଭଲ ହେବା ସହ ବାଣିଜ୍ୟରେ ଉନ୍ନତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।
(ରାୟଗଡାରୁ ସ୍ମୃତି ରଞ୍ଜନ ମହାନ୍ତିଙ୍କ ରିପୋର୍ଟ)