କନକ ବ୍ୟୁରୋ: ଯେଉଁ ସମୟରେ ବଢିଲା ପୁଅ ରୋଜଗାର କରି ବାପା, ମାଙ୍କ ହାତରେ ଖୁସିର ଆଞ୍ଜୁଳା ଦେବା କଥା ସେ ସମୟରେ ଆଜି ପୁଳା ପୁଳା ଦୁଃଖ । ଏ ଦୁଃଖ ସହିବା କଷ୍ଟ , କହିବା ବି କଷ୍ଟ । କଷ୍ଟ ପୁଣି ଏତେ ଯେ ଆଖିରୁ ଲୁହ ବି  ପାଷାଣ ହୋଇଯାଏ । ଲୁହ ବି ଡରେ ଆଖିରୁ ଝରିବାକୁ । ରୋଗ ଶଯ୍ୟାରେ ପଡି କଲବଲ ହେଉଥିବା  ଯବାନ୍ ପୁଅର ଯନ୍ତ୍ରଣା ଦେଖି ଏ ମା’ର ଠିକ ଏଇ ଅବସ୍ଥା । 

Advertisment

ମେଡିକାଲ ବେଡରେ ନିସ୍ତେଜ ହୋଇ ପଡିଥିବା ଏ ଯୁବକ  ହେଉଛନ୍ତି ପୁରୀ ଜିଲ୍ଲା ପିପିଲି ରୂପଦେଇପୁର ଅଞ୍ଚଳର ରାକେଶ କୁମାର ସାହୁ । ଗୋଟିଏ ବୋଲି ପୁଅକୁ ଭାରି ଗେହ୍ଲାରେ ବଢାଇଥିଲେ ବାପା ପୂର୍ଣ୍ଣଚନ୍ଦ୍ର ସାହୁ ମା’ ପ୍ରମିଳା ସାହୁ । ଇଚ୍ଛା କରିଥିଲେ , ପୁଅକୁ ଏତେ କଷ୍ଟରେ ପାଳି ପାଠ ଦି ଅକ୍ଷର ପଢେଇଲେ, ପୁଅ ରୋଜଗାର କରି ତାଙ୍କ କାନ୍ଧକୁ ବଳ ଦେବ । ଘରକୁ ଦି ପଇସା ଦେବ , ବାପର ବୋଝ ହାଲକା ହେବ, ମା’ ଓଠରେ ଠିକେ ହସ ଫୁଟିବ । ହେଲେ ଈଚ୍ଛାର କଢ  ଫୁଲ ହୋଇ  ଫୁଟିବା ପୂର୍ବରୁ କଢଟା ହିଁ ଝାଉଁଳି ଝରିପଡିଲା । ବାପା, ମା’ଙ୍କ ସବୁ ଆଶା ମଉଳିଗଲା । ଏବେ ମନରେ ଖାଲି କୋହ, ଆଉ ଭିଜା ଭିଜା ଆଖି । ଗୋଟିଏ ବୋଲି ବୋଲି ପୁଅକୁ ଯନ୍ତ୍ରଣାରେ ଦେଖି ମା ‘ ଆଖିର ଲୁହ ବି ଝରିବାକୁ ଡରୁଛି । ବାପା, ନିର୍ବାକ୍ । 

ଘରର ଗୋଟିଏ ବୋଲି ପୁଅର ଯୌବନାଟା ମେଡିକାଲ ବେଡରେ ପଡି ଯନ୍ତ୍ରଣା ଭୋଗୁଛି । ଦିନେ ସୁନ୍ଦର ସୁଢୋଳ ଚେହେରା ଥିବା ପୁଅ ଆଜି କଳାକାଠ ପଡିଯାଇଛି । ସବୁବେଳେ ସ୍ଫୁର୍ତ୍ତି ରହୁଥିବା ପୁଅ ରାକେଶ ଦେହରେ ଆଉ  ଜୁ ନାହିଁ । ନା ଦେହରେ ବଳ ନା ପାଟିରେ ବଚନ । ଖାଲି ଶେଯରେ ପଡି ବଲ ବଲ ହୋଇ ଚାହୁଁଛି । ରାକେଶଙ୍କ ଦୁଇଟି ଯାକ କିଡନୀ ଡ୍ୟାମେଜ୍ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପଡି ଜୀବନ , ମୃତ୍ୟୁ ମଝିରେ ଲଢେଇ କରୁଛନ୍ତି । ହେଲେ ନିଃଶ୍ୱାସର ଏ ଲଢେଇ ଭିତରେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି ରାକେଶ । ଲଗାତାର ଚାଲିଛି ଡାଇଲେସିସ୍ ।

ଡାକ୍ତର କହିଛନ୍ତି କିଡନୀ ଟ୍ରାନ୍ସପ୍ଲାଣ୍ଟ ହେଲେ ବଞ୍ଚିବ ପୁଅ ରାକେଶର ଜୀବନ । ନିଜ ଏକୋଇରବଳାକୁ ନିଜ କିଡନୀ ଦେଇ ଜୀବନ ଦେବାକୁ ମା’ ପ୍ରମିଳା ପ୍ରସ୍ତୁତ । ଦୁହିଁଙ୍କ କିଡନୀ ମ୍ୟାଚ୍ ନିଶ୍ଚିତ କରିବାକୁ ଦୁହିଁଙ୍କ ବ୍ଲଡ ପରୀକ୍ଷା ପାଇଁ ଯାଇଛି  । ଭଗବାନ୍ ଚାହିଁଲେ ରାକେଶଙ୍କୁ ମା’ଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ହେବ । ହେଲେ ଏଥିପାିଁ ଆବଶ୍ୟକ ୨୦ ଲକ୍ଷରୁ ଅଧିକ ଟଙ୍କା । ଏତେ ଟଙ୍କା କଥା ଶୁଣି ବାପା, ମା’ଙ୍କ ମୁର୍ଣ୍ଣ ଘୁରିଯାଉଛି । ଏବେ କେବଳ ସରକାର ଓ ଜନସାଧାରଣଙ୍କ ସାହାଯ୍ୟକୁ ଅପେକ୍ଷା । ଆପଣଙ୍କ କିଛି କିଛି ସାହାଯ୍ୟ ସହଯୋଗ ହୁଏତ ରାକେଶଙ୍କୁ ନୂଆ ଜୀବନ ଦେବ । ଅସହାୟ ହୋଇପଡିଥିବା ବାପା, ମା’ଙ୍କ ମୁହଁରେ ଟିକେ ଆଶ୍ୱସ୍ତି ଆଣିଦେବ । 

ରାକେଶଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ ଠିକଣା ହେଲା:

Purna Chandra Sahu

State Bank Of India

Ac. No- 32390951327

IFSC- SBIN0013571

Balanga Branch

Phone pay no. 9583289385


ଏ ଜୀବନଟା ସତରେ ଭାରି ଅଜବ । ମଣିଷ ଯାହା କେବେ ସ୍ୱପ୍ନରେ ଚିନ୍ତା କରିନଥାଏ ତାହା କେତେବେଳେ ଆସି ସାମ୍ନାରେ ଛିଡା ହୋଇଯାଏ, କିଛି ଜାଣିହୁଏନି । ଭାରି ଡରାଏ ଏ ଜୀବନ । ତଥାପି ସାହାସ ବାନ୍ଧିବାକୁ ପଡିବ । ବଞ୍ଚିବାକୁ ପଡିବ ।  ରାକେଶ ଆଉ ତାଙ୍କ , ବାପା, ମା’ଙ୍କୁ ସାହାସ ଦେବ ଆପଣଙ୍କ ସାହାଯ୍ୟ ସହଯୋଗ । ଆମର ବିଶ୍ୱାସ ଏଖବର ଶୁଣିବା ପରେ ଥରେ ରାକେଶଙ୍କ କଥା ନିଶ୍ଚୟ ଭାବିବେ ତାଙ୍କ ଆରୋଗ୍ୟ ପାଇଁ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରିବେ ।