କନକ ବ୍ୟୁରୋ: ରାଜଧାନୀରେ ବୁଲୁଛନ୍ତି ମିଛ କନିଆଁ । ବାହାଘର ପାଇଁ ପ୍ରସ୍ତାବ ଦେଇ, ତଳିତଳାନ୍ତ କରି ଦେଉଛନ୍ତି ଠକ । ଏମିତି ଏକ ଦଲାଲକୁ ଖୋଜୁଛି କମିଶନରେଟ ପୋଲିସ । ଅଭିଯୋଗ ଅନୁସାରେ, ଜଣେ ଯୁବକଙ୍କୁ ବାହା କରାଇ ଦେବାପାଇଁ ପ୍ରସ୍ତାବ ଦେଇଥିଲା ଠକ । ଯୋଗ୍ୟ ପାତ୍ରି ସହ ଭିଡିଓ କଲ ଯୋଗେ କଥାବାର୍ତ୍ତା ବି କରାଇଥିଲା ଦଲାଲ । ବାହାଘର ଦିନ ଧାର୍ଯ୍ୟ ହେଲା, ଲୁଗାପଟାରୁ ଆରମ୍ଭ କରି ଗହଣା ବି କିଣାହେଲା । ବାହାଘର କରାଇଦେବା ପାଇଁ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଲା ଦଲାଲ । ଆଉ କନିଆର ବି ନାହିଁ ଠିକଣା । ଶିଶୁପାଳ ହେବା ପରେ ଏବେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ବର ।
ଦଲାଲ ଭିଡିଓ କଲରେ ମିଛ କନିଆଁ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିଛନ୍ତି । କେବଳ କନିଆଁ ନୁହେଁ, ମିଛ ବାପା ମାଆ, ମିଛ ଭାଇ, ଭଉଣୀ ସହ ମଧ୍ୟସ୍ଥି ଫିକ୍ସ କରୁଛନ୍ତି ଲଗ୍ନ ଏବଂ ତାରିଖ ଧାର୍ଯ୍ୟ ଓ ଭିଡ଼ିଓ କଲରେ ପରିବାର ସହ କଥା ହେଉଛନ୍ତି, ବିବାହ ପାଇଁ ସେରୱାନି, ରିସେପ୍ସନ ପାଇଁ ବ୍ଲେଜର, ନଣନ୍ଦ ପୁଟୁଳି ବି କିଣାଇ ଦେଉଛନ୍ତି ଓ ଆଉ ଶେଷରେ ଚାକରି ଦେବା ନାଁରେ ଲକ୍ଷ ଲକ୍ଷ ଲୁଟି ଚମ୍ପଟ ମାରୁଛନ୍ତି ଓ ସୋସିଆଲ ମିଡିଆରୁ ମୁଳଦୁଆ ପକାଇ ଆରମ୍ଭ କରୁଛନ୍ତି ଠକାମିର ପୁରା ଯୋଜନା । ଏଭଳି ଏକ ଠକ ଗ୍ୟାଙ୍ଗ ଦ୍ୱାରା ଠକେଇ ହୋଇଥିବା ବର ଏବେ ସାମନାକୁ ଆସିଛନ୍ତି ଓ ଏନେଇ ଭୁବନେଶ୍ୱର ଭରତପୁର ଥାନାରେ ଅଭିଯୋଗ ହେବା ପରେ, ସେହି ଠକ ଗ୍ୟାଙ୍ଗକୁ ଖୋଜୁଛି ପୁଲିସ ।