କନକ ବ୍ୟୁରୋ : ଖୋର୍ଦ୍ଧା ବେଗୁନିଆରେ ହାତୀ ଆତଙ୍କ । ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ହାତୀ ଆତଙ୍କ ଏବେ ଭୟଙ୍କର ରୂପ ନେଇଛି । ଭୁଆସୁଣିପାଟଣା ସ୍କୁଲ ନିକଟରେ ଗୋଠଛଡ଼ା ଦନ୍ତା ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ୧୫ଟିକିଆ ହାତୀ ପଲରୁ ଅଲଗା ହୋଇ ଏକ ଦନ୍ତା ଗାଁ ଭିତରକୁ ପଶି ଆସିଥିଲା ଏବଂ ଜଣେ ବ୍ୟକ୍ତିଙ୍କୁ କାବୁ କରି ଅତି ନିର୍ମମ ଭାବେ ଆକ୍ରମଣ କରିଥିଲା । ଗୁରୁତର ବ୍ୟକ୍ତିଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବାରମ୍ବାର ହାତୀ ପଲ ଗାଁ ଭିତରକୁ ପଶୁଥିଲେ ମଧ୍ୟ ବନ ବିଭାଗ କୌଣସି ଠୋସ୍ ପଦକ୍ଷେପ ନେଉନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସେପଟେ ଗାଁରେ ବୁଲୁଛି ହାତୀ ।
ଅନ୍ୟପଟେ ସୁନ୍ଦରଗଡ଼ କୁତ୍ରା ବ୍ଲକ୍ ଅନ୍ତର୍ଗତ ପଞ୍ଚରା ପଞ୍ଚାୟତରେ ହାତୀ ଆତଙ୍କ । ବଡ଼ଗାଁ ବନାଞ୍ଚଳର ସରକାରୀ ପ୍ରାଥମିକ ବିଦ୍ୟାଳୟ କୁଲସରରେ ଗତକାଲି ମଧ୍ୟରାତିରେ ଏକ ଦନ୍ତା ହାତୀ ପ୍ରବେଶ କରି ଭୟଙ୍କର ଉପଦ୍ରବ ସୃଷ୍ଟି କରିଛି । ବଡ଼ଦିନ ଓ ନୂଆଁ ବର୍ଷ ଉପଲକ୍ଷେ ସ୍କୁଲ ଛୁଟି ଥିଲା । ବିଦ୍ୟାଳୟ ଖୋଲିବାର ପୂର୍ବ ଦିନ ରାତିରେ ସ୍କୁଲ ପରିସରକୁ ପସିଥିଲା ହାତୀ । ଦନ୍ତାଟି ପ୍ରଥମେ ବିଦ୍ୟାଳୟର ପାଚେରି ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା । ପରେ ଏକ ଶ୍ରେଣୀକକ୍ଷର କବାଟ ଭାଙ୍ଗିଥିଲେ ମଧ୍ୟ ସେଠାରେ କିଛି ଖାଦ୍ୟ ସାମଗ୍ରୀ ନମିଳିବାରୁ ଗୋଦାମ ଘରକୁ ଯାଇଥିଲା ।
ଅଧିକ ପଢ଼ନ୍ତୁ---ଦେଶରେ ଗଡ଼ିବ ପ୍ରଥମ ବୁଲେଟ୍ ଟ୍ରେନ୍ ; ଜାଣନ୍ତୁ କେଉଁ ରୁଟ୍ ଦେଇ ଗତି କରିବ
ଚାଉଳ ରଖାଯାଉଥିବା ଗୋଦାମ ଘରର କବାଟ ଭାଙ୍ଗିବାରେ ବିଫଳ ହେବା ପରେ ଦନ୍ତାଟି ରୋଷେଇ ଘରକୁ ଯାଇ ସେଠାରେ ଥିବା କବାଟ ଭାଙ୍ଗି ୩ ବସ୍ତା ଚାଉଳ ଖାଇବା ସହ ବାକି ଚାଉଳକୁ ଦଳିମକଚି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି । ଏଥିସହ ବିଦ୍ୟାଳୟ ପାଖରେ ଥିବା ବଗିଚାର କଦଳୀ ଗଛ ଓ ଫଳିଥିବା କଦଳୀକୁ ମଧ୍ୟ ଦନ୍ତାଟି ଖାଇ ଦଳି ମକଚି ଭାଙ୍ଗିଦେଇଛି । ଆଜି ସକାଳେ ବିଦ୍ୟାଳୟ ଖୋଲିବା ପାଇଁ ଆସିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏହି ଭୟାବହ ଦୃଶ୍ୟ ଦେଖି ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/02/elephant-2026-01-02-14-05-50.png)