କନକ ବ୍ୟୁରୋ : ଆଜିକାଲିର ଶିକ୍ଷିତ ଯୁବପିଢ଼ି ଚାକିରି ଅପେକ୍ଷା ଚାଷ କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଆଉ ଏଥିରେ ଲାଭବାନ ବି ହେଉଛନ୍ତି । ଯାହାର ଉଦାହରଣ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ ଟସରଡ଼ା ଗାଁର ଯୁବଚାଷୀ ମନୋରଞ୍ଜନ ମହାନ୍ତ। ପ୍ରଥମେ କୁକୁଡ଼ା ଫାର୍ମ କରିଥିଲେ । ୨୦୧୪ରୁ ୨୦୨୩ ପର୍ଯ୍ୟନ୍ତ  କୁକୁଡ଼ା ଚାଷ କରି ସେ କିଛି ରୋଜଗାର କରୁଥିଲେ । ଏବେ ବାଇଗଣ ଚାଷ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଜୁଲାଇ ମାସରେ ଛତିଶଗଡ଼ରୁ ଭିଏନଆର -୨୧୨ ପ୍ରଜାତିର ୧୨୦୦ ବାଇଗଣ ଚାରା ଆଣିଥିଲେ । ୧ ଏକର ଜମିରେ ବୁନ୍ଦା ଜଳସେଚନ, ମଲଚିଂ ପ୍ରଣାଳୀରେ ରୋପଣ କରିଥିଲେ । ପ୍ରତି ଚାରାର ମୂଲ୍ୟ ଥିଲା ୧୮ ଟଙ୍କା । ଗଛ ଲଗାଇବାର ମାତ୍ର ୪୦ ଦିନ ଭିତରେ ଫଳ ଆସିଥିଲା । ଏବେ ମାସକ ଭିତରେ ଦେଢ଼ଲକ୍ଷରୁ ଅଧିକ ଟଙ୍କା ରୋଜଗାର ହେଲାଣି । ଯାହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ଚାଷୀ ମନୋରଞ୍ଜନ ।

Advertisment

ଜୈବିକ ପ୍ରଣାଳୀରେ ଚାଷ କରି ମାଲାମାଲ, ଠିକାଦାରରୁ ସଫଳ ଚାଷୀ ହେଲେ ବୌଦ୍ଧ ବଘାରପାଲିର ରମେଶ

 ବାଇଗଣ ଚାଷ ପାଇଁ ମନୋରଞ୍ଜନ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ମାସକ ଭିତରେ ମୂଳଧନ ଉଠି ୫୦ ହଜାର ଟଙ୍କା ଲାଭ ହେଲାଣି ।  ପ୍ରତିଦିନ ତାଙ୍କ ଜମିରୁ ଦେଢ଼ କ୍ବିଂଟାଲରୁ ଅଧିକ ବାଇଗଣ ଉତ୍ପାଦନ ହେଉଛି । ବାଡ଼ି ନିକଟକୁ ବ୍ୟବସାୟୀ ମାନେ ଆସି କିଲୋକୁ ୩୦ ଟଙ୍କା ହିସାବରେ କିଣି ନେଉଛନ୍ତି । ସମସ୍ତ ଖର୍ଚ୍ଚ ଯାଇ ବର୍ଷକୁ ୫ ଲକ୍ଷରୁ ୬ ଲକ୍ଷ ଟଙ୍କା ଲାଭ ହେବ ବୋଲି ଆଶା କରିଛନ୍ତି ମନୋରଞ୍ଜନ । କାରଣ, ଥରେ ଗଛ ଲଗାଇଲେ ଦୁଇ ବର୍ଷ ପର୍ଯ୍ୟନ୍ତ  ଏହି ବାଇଗଣ ଫଳିଥାଏ । ଅନ୍ୟଚାଷୀ ମାନେ ଏହି ଚାଷପ୍ରତି ଆକୃଷ୍ଟ ହେଉଛନ୍ତି । ପଡ଼ୋଶୀ ଗାଁର ସୁଧୀର କୁମାର ମହାନ୍ତ ମଧ୍ୟ ଭାଗଚାଷରେ ୧ ଏକର ଜମିରେ ଏହି ଚାଷ କରିଛନ୍ତି । ମୂଳଧନ ଉଠାଇ ୩ ଲକ୍ଷରୁ ଅଧିକ ରୋଜଗାର କରିସାରିଲେଣି । ସେହିପରି ଟସରଡା ଗାଁର ଯୁବକ ରାମଚନ୍ଦ୍ର ସୋରେନ କହନ୍ତି, ପ୍ରତିଦିନ ବାଡ଼ି ଦେଖିବାକୁ ଆସୁଛି। ଅଳ୍ପ ପରିଶ୍ରମରେ ଏତେ ଲାଭ ଦେଖି ସେ ମଧ୍ୟ ଏହି ଚାଷ କରିବେ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି ।  ବଜାରରେ ପରିବା ଦର ଆକଶଛୁଆଁ । ଏଭଳି ସ୍ଥିତିରେ ପରିବା ଚାଷ ଯୁବଚାଷୀଙ୍କ ରୋଜଗାରର ବଡ଼ ମାଧ୍ୟମ ପାଲଟିଛି ।