କନକ ବ୍ୟୁରୋ: ସାମାନ୍ୟ ଦୁର୍ଘଟଣାକୁ ନେଇ ଯୁବକଙ୍କୁ ମଝି ରାସ୍ତାରେ ଅଟକାଇଲେ । ସଂଘବଦ୍ଧ ହୋଇ କାର୍ରୁ ଟାଣିଆଣି ନିସ୍ତୁକ ମାଡ଼ ମାରିବା ସହ ଗାଡ଼ି ଭଙ୍ଗାରୁଜା କଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀର ଭିଏସ୍ଏସ୍ନଗର ଫ୍ଲାଏଓଭର ଉପରେ । ଏହି ମାମଲାରେ ମଞ୍ଚେଶ୍ୱର ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଦିଲ୍ଲୀପ ସେନା(୩୫), ବଡ଼ଗଡ଼ ବିଜେବିନଗର ଅଞ୍ଚଳର ମୋନାସ ସିଂହ(୨୫) ଓ ସାନଭାଇ ଜନେଶ କୁମାର ସିଂହ(୨୧) । ପୁଲିସ ସେମାନଙ୍କ ନିକଟରୁ ଦୁଇଟି କାର୍ ଜବତ କରିଛି ।
ସୂଚନା ମୁତାବକ, ବିରଞ୍ଚି ନାରାୟଣ ତ୍ରିପାଠୀ ନାମକ ଜଣେ ବ୍ୟକ୍ତି କାର୍ରେ ଏମ୍ସ ହସ୍ପିଟାଲ୍ରୁ ପରିବାର ସଦସ୍ୟଙ୍କ ସହ ଘରକୁ ଫେରୁଥିଲେ । ସେ ସିଆର୍ପି ଛକ ନିକଟରେ ଯାଉଥିବା ସମୟରେ ଦିଲ୍ଲୀପଙ୍କ କାର ସହ ତାଙ୍କ ଗାଡ଼ି ସାମାନ୍ୟ ଧକ୍କା ହୋଇଥିଲା। ଯାହାକୁ ନେଇ ଦିଲ୍ଲୀପ ରାଗିଯାଇ କାର୍ରୁ ବାହାରି ବିରଞ୍ଚି ଓ ତାଙ୍କ ପରିବାର ଲୋକଙ୍କୁ ଗାଳିଗୁଲଜ କରିଥିଲେ । କଥା କଟାକଟି ପରେ ବିରଞ୍ଚି ସେଠାରୁ ପଳାଇବା ପରେ ଦିଲ୍ଲୀପ ତାଙ୍କୁ ପିଛା କରିଥିଲା । ଆଉ ତାର ଦୁଇ ସହଯୋଗୀ ମୋନାସ୍ଓ ଜନେଶକୁ ଫୋନ୍କରି ଘଟଣା ସମ୍ପର୍କରେ ଜଣାଇବା ସହ ବିରଞ୍ଚିଙ୍କୁ ପାନେ ଦେବାପାଇଁ ପାଞ୍ଚିଥିଲା ।
ବିରଞ୍ଚି ଭିଏସ୍ଏସ୍ନଗର ଫ୍ଲାଏଓଭର ଉପରେ ଯାଉଥିବା ସମୟରେ ହଠାତ୍ ଦିଲୀପ ଓ ତାର ସହଯୋଗୀ ଆଗପଛ ହୋଇ ତାଙ୍କୁ ଘେରିଯାଇଥିଲେ । ସେ କିଛି ବୁଝିବା ପୂର୍ବରୁ ତାଙ୍କୁ କାର୍ରୁ ଟାଣିଆଣି ମାଡ଼ ମାରିଥିଲେ । ପରିବାର ଲୋକେ ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ବିଚ୍ରାସ୍ତାରେ ଯୁବକମାନଙ୍କ ଏଭଳି ଉତ୍ପାତ ଦେଖି କେହି ଅଟକାଇବାକୁ ସାହସ କରି ନଥିଲେ । ବିରଞ୍ଚିଙ୍କୁ ମାଡ଼ମାରି ଅଭିଯୁକ୍ତମାନେ ସେଠାରୁ ଫେରାର୍ ହୋଇଯାଇଥିଲେ । ମଞ୍ଚେଶ୍ୱର ଥାନା ପୁଲିସ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍ ପଠାଇବା ସହ ସିସିଟିଭି ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା । ଏନେଇ ବିରଞ୍ଚି ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ୩ଜଣଙ୍କୁ ଗିରଫ କରିବା ସହ ୨ଟି କାର୍ ଜବତ କରିଥିଲା । ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି ।