କନକ ବ୍ୟୁରୋ : ମାଇଁ ଇଲେଭେନ୍ ସର୍କଲର ମାୟାଜାଲ । ରାତାରାତି କୋଟିପତି ହେବାର ସର୍ଟକର୍ଟ ନିଶା ଯୋଗୁଁ ଯୁବପିଢିଙ୍କ ଅବସ୍ଥା ବେହାଲ । କିଏ କୋଟିଏ ଟଙ୍କାର ମାୟାରେ ପାଗଳ ହେଲାଣି ତ ପୁଣି କିଏ ଥାର ଗାଡି ଚଢିବାକୁ ସର୍ବସ୍ୱ ହରାଇ ବସିଲାଣି । ଆଉ କିଏ ରାତିକେ ହାତିଏ ପାଇବା ଆଶାରେ ଜୀବନ ହାରିଲେଣି । ତଥାପି ନା ସୁଧୁରୁଛନ୍ତି ଯୁବପିଢି ନା ଲଗାମ ଲଗାଛନ୍ତି ସରକାର ।
ଇଏ ଏମିତିକା ସ୍ଲୋ ପଏଜନ୍ ଯାହା ଧୀରେ ଧୀରେ ମଣିଷକୁ ସର୍ବସ୍ୱାନ୍ତ କରିଦେଉଛି । ମାତ୍ର ୧୧ ଟଙ୍କାରୁ ଆରମ୍ଭ କରି, ୪୯ ଟଙ୍କା ବଦଳରେ ୩ କୋଟି ଜିତିବାର ପ୍ରଲୋଭନ ଦେଖାଇଥାଏ ଏହି ଆପ୍ । ସବୁଠୁ ବଡ଼କଥା ବଡ଼ ବଡ଼ କ୍ରିକେଟର ମାନେ କୋଟି କୋଟି ଟଙ୍କା ନେଇ ଏହାର ବିଜ୍ଞାପନ କରୁଛନ୍ତି । ସେଲିବ୍ରିଟିମାନେ ଲୋକଙ୍କୁ କୋଟିପତି ହେବାର ସ୍ୱପ୍ନ ଦେଖାଉଛନ୍ତି । ଏପିରିକି ଆପଣମାନେ ଜିତିଲେ, ସେମାନଙ୍କର ଲାମ୍ବ୍ରୋଗିନି କାର ଜିତିବେ ବୋଲି କୁହନ୍ତି । କିନ୍ତୁ ପ୍ରତିଦିନ ହଜାର ହଜାର ଯୁବକ-ଯୁବତୀ ଟଙ୍କା ହରାଉଥିବା ନଜିର ରହିଛି । ଏପରକିକି ପ୍ରତିଦିନ ରାଜ୍ୟର ବହୁ ଯୁବକ ମାନେ ପଥଭ୍ରଷ୍ଟ ହେବା ପରେ, ଏବେ ଡାକ୍ତରଙ୍କ ପାଖରେ ଚିକିତ୍ସା ହେଉଛନ୍ତି ।
ସେପଟେ କେବଳ ମାଇଁ ଇଲେଭେନ୍ ସର୍କଲ ନୁହେଁ ଏହିଭଳି ଛତୁ ଫୁଟିଲା ଭଳି ଆପ୍ଲିକେସନ ପ୍ଲେ ଷ୍ଟୋରରେ ବୁଲୁଛି । କୋଟିପତି ହେବାର ଲୋଭ ଦେଖାଇ ଲୋକଙ୍କୁ ଲୁଟ୍ କରାଯାଉଛି । କିଛି ରାଜ୍ୟ ତ ଏହାକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରିଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଭାରତରେ ସମାନ ପ୍ରକାର ନିୟମ ହିଁ ନାହିଁ ।
ସ୍ମାର୍ଟସିଟିର ସଟ୍ଟା ବଜାର ଯୋଗୁଁ କିଛିଦିନ ତଳେ, ରାଜଧାନୀର ଜଣେ ଯୁବକ ଆତ୍ମହତ୍ୟା କରିଥିଲେ । କେବଳ ଏହି ଜଣେ ନୁହେଁ ସର୍ଟକର୍ଟରେ ଟଙ୍କା କମାଇବାର ନିଶାରେ ଏବେ ସାରା ଦେଶର ଯୁବପିଢ଼ି ସେମାନଙ୍କୁ ଅବାଟକୁ ଟାଣି ନେଉଛି ।