କନକ ବ୍ୟୁରୋ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ବନ୍ଧୁକ ମୁନରେ ଅପହରଣ ଓ ଆକ୍ରମଣ ଅଭିଯୋଗ । ଥାନାରୁ ମାମଲା ପ୍ରତ୍ୟାହାର କରିବାକୁ ଧମକ ଦେଇ ଟ୍ରାକ୍ଟରରେ ଆଣି ଦୁଆର ମୁହଁରେ ଢାଳିଲେ ଅଳିଆ । ବାଲେଶ୍ୱର ସିଂଲା ଥାନା ଦୁନ୍ଦକୁଟ ଅଞ୍ଚଳରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । ବିବାଦ ରହିଥିବା ପୋଖରୀରୁ ମାଛ ଧରିବାକୁ ନେଇ ରବିନ୍ଦ୍ର ନାଥ ଅଣ୍ଡିଆ ଓ ହେମନ୍ତ ଦାସ ନାମକ ବ୍ୟକ୍ତି ସଞ୍ଜିତ ସିଂ ନାମକ ବ୍ୟକ୍ତିଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ କରିନେବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏମିତି କି ଖପରାପଦା ଛକରେ ଥିବା ସଞ୍ଚିତଙ୍କ ଘରକୁ ମଧ୍ୟ ଧମକାଇ ନିଜ ସମ୍ପର୍କୀୟଙ୍କ ନାମରେ କରାଇ ନେଇଥିଲେ । ଏନେଇ ସଞ୍ଜିତ୍ ଥାନା ଓ କୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ ଗତକାଲି ଏହାର ଶୁଣାଣୀ ଥିଲା । ରବୀନ୍ଦ୍ର ନାଥ ଓ ହେମନ୍ତ କୋର୍ଟରେ ହାଜର ହୋଇନଥିବା ବେଳେ ବୁଧବାର ରାତିରେ ଦୁଇଟି ଟ୍ରାକ୍ଟରରେ ଅଳିଆ ଆଣି ସଞ୍ଜିତଙ୍କ ଘର ସମ୍ମୁଖରେ ଢାଳିଥିଲେ । ପରିବାର ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳିଦେବା ସହିତ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ଏନେଇ ସଞ୍ଜିତଙ୍କ ପତ୍ନୀ ଆଜି ବାଲିଆପାଳ ଥାନର ଦ୍ୱାରସ୍ଥ ହେବା ସହିତ ଘଟଣାକୁ ନେଇ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।