କନକ ବ୍ୟୁରୋ: ପ୍ରେମିକାକୁ ହୋଟେଲ ରୁମ୍ ଭିତରେ ଜିଅନ୍ତା ଜାଳି ମାରିଦେଲା ପ୍ରେମିକ । ଏନେଇ ରାଉରକେଲା ପ୍ଲାଣ୍ଟ ସାଇଡ ଥାନାରେ ଅଭିଯୋଗ ହୋଇଛି । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ଯୁବତୀଙ୍କ ପରିବାର ଲୋକ । କୋଚିଂ ପାଇଁ ଯାଇଥିବା ଝିଅର ଏଭଳି ନିଆଁରେ ପୋଡି ହୋଇ ଆକସ୍ମିକ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ପରିବାର ଲୋକ । ଝିଅକୁ ତାର ପ୍ରେମିକ ହିଁ ପୋଡି ମାରି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । 

ସେପଟେ ଅଭିଯୋଗ ପାଇବା ପରେ ଏହି ଘଟଣା ଘଟିଥିବା ହୋଟେଲକୁ ଯାଇ ତଦନ୍ତ ଆରମ୍ଭ କରିଛି ପୁଲିସ । ଅଭିଯୋଗ ପାଇବା ପରେ ପ୍ରେମିକକୁ ଅଟକ ରଖି ପଚରାଉଚରା କରିବା ସହ ସାଇଣ୍ଟିଫିକ ଟିମ୍ ପହଞ୍ଚି ହୋଟେଲ ରୁମରେ ଛାନଭିନ କରିଛି । ଗତ ବୁଧବାର ପ୍ଲାଣ୍ଟ ସାଇଡ ପୋଲିସ କଲୋନୀର ଜଣେ ଯୁବତୀ ଉଦିତ ନଗରକୁ କୋଚିଂ ପାଇଁ ଯାଇଥିଲେ । ହେଲେ ପରିବାର ଲୋକଙ୍କୁ ଖବର ଆସିଥିଲା ନିକଟରେ ଥିବା ଏକ ହୋଟେଲରେ ଝିଅ ଦେହରେ ନିଆଁ ଲାଗି ଯାଇଛି । ଗୁରୁତର ଅବସ୍ଥାରେ ହୋଟେଲ କର୍ମଚାରୀ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । 

ପ୍ରେମିକ ଜଣକ ଦେହରେ ନିଆଁ ଲଗାଇ ଦେଇଥିବା ପରିବାର ଲୋକଙ୍କୁ ମୃତ ପ୍ରେମିକା କହିଥିବା ପରିବାର ଲୋକ କହିଛନ୍ତି ।  ଶେଷରେ ଗୁରୁତର ଥିବା ପ୍ରେମିକାଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି ।  ପରିବାର ଲୋକଙ୍କଠୁ ଅଭିଯୋଗ ପାଇବା ପରେ ହୋଟେଲରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାରେ ପ୍ରେମିକକୁ ଅଟକ ରଖି ପଚରାଉଚରା କରୁଛି । ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୋଲିସ ।