କନକ ବ୍ୟୁରୋ: ବାଲେଶ୍ବର ଏବଂ ବଳଙ୍ଗା ଘଟଣାକୁ ନେଇ ସାରାରାଜ୍ୟରେ ଅସନ୍ତୋଷ ଲାଗି ରହିଥିବା ବେଳେ ଜଗତସିଂହପୁର, ମାଲକାନଗିରି ଓ ଯାଜପୁର ଦୁଷ୍କର୍ମ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଅପରାଧୀମାନଙ୍କର ପୁଲିସ ପ୍ରତି କେମିତି ଭୟ କମିଗଲାଣି ସେ ନେଇ ଆଲୋଚନା ଜୋର ଧରିଛି ।
- ସୀମା ଟପିଲେ ସଇତାନ
- ଯୁବତୀଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ
ସୋମବାର ରାତି ପ୍ରାୟ ୮ଟା, ସ୍ଥାନ ଥିଲା ଜଗତସିଂହପୁରର ଚାନ୍ଦଗଡ଼ ଅଞ୍ଚଳ । ଜଣେ ସାଙ୍ଗର ଜନ୍ମଦିନ ଭୋଜିରେ ଯୋଗ ଦେବାକୁ ଘରୁ ବାହାରିଥିଲେ ଯୁବତୀ । ଶୀଘ୍ର ପହଞ୍ଚିବା ପାଇଁ ବିଲ ରାସ୍ତା ଦେଇ ଯାଉଥିବା ସମୟରେ ବାଟରୁ ଦୁଇ ଜଣ ଯୁବକ ପୀଡ଼ିତାଙ୍କୁ ଉଠାଇ ନେଇଥିଲେ । ପାଟିକୁ ବନ୍ଦ କରି ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମର ଶିକାର ହେବା ପରେ ଯୁବତୀ ଜଣଙ୍କ ଚିତ୍କାର କରିବା ସହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୌଡ଼ି ଦୌଡ଼ି ଘରକୁ ଆସିଥିଲେ । ଝିଅର ଏ ଅବସ୍ଥା ଦେଖି ପରିବାର ଲୋକେ ତାଙ୍କୁ ତୁରନ୍ତ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
ତେବେ ଏନେଇ ଅଭିଯୋଗ ପରେ ପୁଲିସ ତିନୋଟି ଟିମ୍ ଗଠନ କରି ଛାନଭିନ ଚଳାଇଛି । ଆଜି ସାଇଣ୍ଟିଫିକ୍ ଟିମ୍ ଦୁଷ୍କର୍ମସ୍ଥଳକୁ ଯାଇ ଅନୁଧ୍ୟାନ କରିବା ସହ ରକ୍ତଛିଟା ଓ କେତେକ ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରିଛନ୍ତି । ପୁଲିସର ଏକ ଟିମ୍ ମେଡିକାଲ୍ ଯାଇ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛନ୍ତି । ଗିରଫ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇଛି । ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଜଗତସିଂହପୁର ଏସପି ଭବାନୀ ଶଙ୍କର ଉଦ୍ଗାତା ।
ଅନ୍ୟପଟେ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି ଜୋର ଧରିଛି । କଂଗ୍ରେସ ଓ ବିଜେଡି ପ୍ରତିନିଧି ଦଳ ହସ୍ପିଟାଲକୁ ଯାଇ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଏସପିଙ୍କୁ ଭେଟି ଆଲୋଚନା କରିଛନ୍ତି । ତେବେ ଗୋଟିଏ ପରେ ଗୋଟିଏ ଗଣଦୁଷ୍କର୍ମ ଘଟଣାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।