କନକ ବ୍ୟୁରୋ: ପ୍ରତିଭାସମ୍ପନ୍ନ ଯୁବ ଭାରୋତ୍ତୋଳିକା ପ୍ରୀତିସ୍ମିତା ଭୋଇ, ମହାନ ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀ ଏବଂ କ୍ରୀଡ଼ା ପ୍ରୋତ୍ସାହନରେ ବିଶେଷ ଅବଦାନ ରଖୁଥିବା ଏମ୍‌ଜିଏମ୍‌ ଗ୍ରୁପ୍‌କୁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‍ଜା)ର ବାର୍ଷିକ ପୁରସ୍କାର ପ୍ରଦାନ କରାଯାଇଛି । ରବିବାର ସ୍ଥାନୀୟ କଳିଙ୍ଗ ‌ଷ୍ଟାଡିୟମ୍‌ସ୍ଥିତ ଟେନିସ୍‌ ସେଣ୍ଟର୍‌ ଅଡିଟୋରିୟମ୍‌ଠା‌ରେ ଆୟୋଜିିତ ଉତ୍ସବରେ ଅତିଥିମାନେ ପ୍ରୀତିସ୍ମିତାଙ୍କୁ ୨୦୨୫ ମସିହାର ଶ୍ରେଷ୍ଠ ଖେଳାଳି ଏବଂ କାଳୁଚରଣ ଚୌଧୁରୀଙ୍କୁ ଜୀବନବ୍ୟାପୀ ସେବା ସମ୍ମାନ ବାବଦରେ ନଗଦ ୨୫ହଜାର ଟଙ୍କା ଲେଖାଏଁ, ପ୍ରଶସ୍ତିପତ୍ର, ଉତ୍ତରୀୟ ଓ ବିଶେଷ ଟ୍ରଫି ପ୍ରଦାନ କରିଥିଲେ । 

Advertisment

18bbs_27_18012026_111 (1)

ନିରନ୍ତର ଭାବେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପଦକ ଅମଳ କରୁଥିବା ପ୍ରୀତିସ୍ମିତା ଏସୀୟ ଯୁବ ଭାରୋତ୍ତୋଳନ, ବିଶ୍ବ ଯୁବ ଭାରୋତ୍ତୋଳନରେ ବିଶ୍ବ ରେକର୍ଡ ଏବଂ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ୩ ରେକର୍ଡ ସହ ୩ ସ୍ବର୍ଣ୍ଣ ପଦକ ଅମଳ କରି ଚର୍ଚ୍ଚାରେ ରହିଥିଲେ । ସେହିଭଳି କ୍ରୀଡ଼ା ଓ ଯୁବସେବା ବିଭାଗରୁ ଅବସର ନେଇ ସାରିଥିବା ପ୍ରଶିକ୍ଷକ କାଳୁଚରଣ ଚୌଧୁରୀ ସାଢ଼େ ୩ ଦଶନ୍ଧି ଧରି ଡଜନେ ପ୍ରାୟ ଅନ୍ତର୍ଜାତୀୟ ଖେଳାଳି ଗଢ଼ିତୋଳିବା ସହ ଜାତୀୟସ୍ତରରେ ଓଡ଼ିଶାକୁ ଏକାଧିକ ଥର ପଦକ ବିଜେତା କରାଇଛନ୍ତି । ହକି ନିଶା ପାଇଁ ସେ ଏବେ ବି ହକି ପ୍ରଶିକ୍ଷଣ ସହିତ ଜଡ଼ିତ ରହି ନିଜ ସାଧନା ଜାରି ରଖିଛନ୍ତି । ଅନ୍ୟପକ୍ଷରେ କ୍ରୀଡ଼ାର ବିକାଶ ଦିଗରେ ପ୍ରମୁଖ ସହଯୋଗ ହାତ ବଢ଼ାଉଥିବା ଏମ୍‌ଜିଏମ୍‌କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏମ୍‌ଜିଏମ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତିଙ୍କ ତରଫରୁ କମ୍ପାନିର ଏଜିଏମ୍‌ (କାର୍ପୋରେଟ୍‌ ଆଫେୟାର୍ସ ଆଣ୍ଡ୍‌ ସିଏସ୍‌ଆର୍‌) ଉତ୍ତମ କୁମାର ନାୟକ ପ୍ରଥମ ଥର ପାଇଁ ପ୍ରଚଳିତ ଏହି ସମ୍ମାନ ଗ୍ରହଣ କରିଥିଲେ । ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ସମ୍ମାନିତ ଅତିଥି ଭାବେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଉପସ୍ଥିତ ରହି ଏହି ପୁରସ୍କାର ପ୍ରଦାନ କରିଥିଲେ । ‘ଓସ୍‌ଜା’ର ସଭାପତି ସନ୍ଦୀପ ମିଶ୍ର ପୌରୋହିତ୍ୟ କରିବା ସହ ସ୍ବାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ ସୁରେଶ ସ୍ବାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ବରିଷ୍ଠ ଉପ ସଭାପତି ସମୀକ୍ଷା ପଟ୍ଟନାୟକ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

ଏହା ବି ପଢ଼ନ୍ତୁ: ଅଷ୍ଟ୍ରେଲିଆନ୍‌ ଓପନ୍‌: ବିପର୍ଯ୍ୟୟ ସୃଷ୍ଟି କଲେ ବ୍ରିଟିସ୍‌ କ୍ୱାଲିଫାୟର

ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ ସହ ଅନୁବନ୍ଧିତ ‘ଓସ୍‌ଜା’ ବା ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ ୨୦୧୮ମସିହାରୁ ବାର୍ଷିକ ପୁରସ୍କାର ପ୍ରଦାନ କରି ଆସୁଛି । ପ୍ରଥମ ବର୍ଷର ବିଜେତା ଥିଲେ ଆଥଲେଟ୍ ପୂର୍ଣ୍ଣିମା ହେମ୍ବ୍ରମ ଓ ଫୁଟ୍‌ବଲର୍‌ ଦେବ ସିଂହ । ୨୦୧୯ରେ ହକି ତାରକା ଅମିତ ରୋହିଦାସ ଓ ଦ୍ରୋଣାଚାର୍ଯ୍ୟ ବିଜେତା ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ ବ୍ରିଜଭୂଷଣ ମହାନ୍ତି । ୨୦୨୦ରେ ପାରା-ଆଥଲେଟ୍ ପ୍ରମୋଦ ଭଗତ ଓ ବିଶିଷ୍ଟ ଆଥଲେଟିକ୍ସ ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟତ, ୨୦୨୧ରେ ଚେସ୍ ଗ୍ରାଣ୍ଡ ମାଷ୍ଟର ସ୍ୱୟମ୍ସ ମିଶ୍ର ଓ ଆଥଲେଟିକ୍ସ ପ୍ରଶିକ୍ଷକ ଅରୁଣ ଦାସ, ୨୦୨୨ ମସିହାରେ ବିଶିଷ୍ଟ ବାସ୍କେଟ୍‌ବଲ୍‌ ଖେଳାଳି ଅରୂପାନନ୍ଦ ରାଉତରାୟ ଓ ହକି ଅଲିମ୍ପିଆନ୍ ବୀରେନ୍ଦ୍ର ଲାକ୍ରା, ୨୦୨୩ ମସିହାରେ ସାଇକ୍ଲିଷ୍ଟ୍‌ ସ୍ୱସ୍ତି ସିଂହ ଓ ଓଡ଼ିଶାର ପ୍ରଥମ ଆନ୍ତର୍ଜାତିକ ପୁରୁଷ ହକି ଖେଳାଳି ପିଟର ତିର୍କି, ୨୦୨୪ରେ ଜାଭେଲିନ୍ ତାରକା କିଶୋର କୁମାର ଜେନା ଓ ଅର୍ଜୁନ ପୁରସ୍କାର ବିଜେତା ଭାରୋତ୍ତୋଳକ ବିଜୟ ଶତପଥୀ ଏବଂ ୨୦୨୫ରେ ସଫଳ ସନ୍ତରିକା ପ୍ରତ୍ୟାଶା ରାୟ ଓ ଫୁଟ୍‌ବଲ୍‌ ପ୍ରଶିକ୍ଷକ ମହମ୍ମଦ ସାହିଦ୍‌ ଜବାର ଏହି ସମ୍ମାନ ପାଇଥିଲେ ।