କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ଚାକିରି ଅପେକ୍ଷା ନିଜସ୍ବ ଉଦ୍ୟମରେ ରୋଜଗାର କରିବାକୁ ପସନ୍ଦ କରୁଛନ୍ତି ଯୁବପିଢ଼ି । କିଏ ଛୋଟ ଛୋଟ ଷ୍ଟାଟଅପ୍ କରୁଛନ୍ତି ତ ପୁଣି କିଏ ଚାଷକାମକୁ ଆପଣାଉଛନ୍ତି । ସାଧାରଣ ଲୋକଙ୍କ ଅପେକ୍ଷା ଶିକ୍ଷିତ ଯୁବକ ମାନେ ଚାଷ କାମରେ ଅତ୍ୟାଧୁନିକ ପ୍ରଣାଳି ଉପଯୋଗ କରୁଛନ୍ତି । ପାରମ୍ପରିକ ଚାଷ ଅପେକ୍ଷା ଉନ୍ନତମାନର ଚାଷ କରୁଛନ୍ତି । ଆଉ ଏଥିରେ ମଧ୍ୟ ସେମାନେ ସଫଳ ହେଉଛନ୍ତି । ସେହିଭଳି ଜଣେ ଯୁବକ ହେଉଛନ୍ତି ଅନୁଗୁଳ ଜିଲ୍ଲା ପୋକୁଣ୍ଡା ଗାଁ ବୃନ୍ଦାବନ ସାହିର ଜଗେଶ୍ୱର ସାହୁ । ବୟସ-୨୭ । ଜଗେଶ୍ୱର ପାଠପଢ଼ା ସାରିବା ପରେ ଅନ୍ୟକାହା ପାଖରେ ରହି କାମ କରିବା ଅପେକ୍ଷା ଚାଷ କରିବାକୁ ଉଚିତ ମନେକରିଥିଲେ । ୬ ଏକର ଜମିରେ ଆଳୁ, ବାଇଗଣ, କୋବି, ଟମାଟୋ ସହିତ ଧାନଚାଷ ଆରମ୍ଭ କରିଥିଲେ । ଏବେ ସେ ଚାଷ ତାଙ୍କୁ ଭଲ ଲାଭ ଦେଉଛି । ତାଙ୍କ ଜମିରେ ପ୍ରତିଦିନ ସ୍ଥାନୀୟ ଅଂଚଳର ୧୨ରୁ୧୫ ଜଣ ବ୍ୟକ୍ତି କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି । 

Advertisment

ସେ ତାଙ୍କ କ୍ଷେତରେ ଉନ୍ନତ ଜ୍ଞାନ-କୌଶଳ ପ୍ରୟୋଗ କରି କ୍ବିଂଟାଲ କ୍ବିଂଟାଲ ପନିପରିବା ଉତ୍ପାଦନ କରୁଛନ୍ତି । ତାଙ୍କ ସଫଳତା ଅନ୍ୟ ଯୁବପିଢ଼ି ଓ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛି । ଚାଷ କାମକୁ କଠିନ କାମ ମନେକରି ଯୁବପିଢ଼ି ମାନେ ଚାଷ କରିବାକୁ ନାପସନ୍ଦ କରନ୍ତି । କିନ୍ତୁ ଜଗେଶ୍ବର ହାତରେ କୋଡ଼ି କୋଦାଳ ଧରି ଦିନରାତି ଚାଷ କାମରେ ଲାଗିଥାଆନ୍ତି । ଚାଷ କାମରୁ ତାଙ୍କୁ ଖୁସି ମିଳିଥାଏ ବୋଲି ସେ କହିଛନ୍ତି । 

ଯୁବ ଚାଷୀ ଜଗେଶ୍ୱର କୁହନ୍ତି, "ଚାଷ ନା କେବଳ ଏକ ପେଶା, ଏହା ଜୀବନର ଏକ ଅଂଶ। ଯଦି ଉତ୍ତମ ଜ୍ଞାନକୌଶଳ ଉପଯୋଗ କରି କଠିନ ପରିଶ୍ରମରେ ଚାଷ କରାଯାଏ ତେବେ ସଫଳତା ନିଶ୍ଚୟ ମିଳିଥାଏ ।