କନକ ବ୍ୟୁରୋ: ଚାକିରି ଛାଡ଼ି ଚାଷକ୍ଷେତରେ ମନୋନିବେଶ କରିଛନ୍ତି ଯୁବଚାଷୀ, ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ମାନଙ୍କୁ ଦେଇଛନ୍ତି ରୋଜଗାର। ଉନ୍ନତ ପ୍ରଣାଳୀ ଓ ଅତ୍ୟାଧୁନିକ ଜ୍ଞାନକୌଶଳକୁ ପାଥେୟ କରି ନିଜ ଚାଷଜମିରେ ଫଳାଇଛନ୍ତି ଥାଇଲାଣ୍ଡର ଆପୋଲବେରି, ଡ୍ରାଗନ ଫ୍ରୁଟ୍ ସମେତ ବିଭିନ୍ନ ପନିପରିବା। ଢେଙ୍କାନାଳ ଢେଙ୍କାନାଳ କଙ୍କଡାହାଡ ଗୋପପୁର ଗାଁର ଅଜିତ କୁମାର ମହାନ୍ତଙ୍କୁ ନେଇ ଦେଖନ୍ତୁ ଏହି ରିପୋର୍ଟ।...
ଏହା ବି ପଢ଼ନ୍ତୁ: ଉଡୁଛି ଶିଳ୍ପନୀତିର ଧଜିଆ ! ନିଯୁକ୍ତିରେ ସ୍ଥାନୀୟ ବାସିନ୍ଦାଙ୍କୁ ଅଣଦେଖା
ଓଡ଼ିଶାରେ ବର୍ତ୍ତମାନ ଅନେକ ଶିକ୍ଷିତ ଯୁବକ ଚାକିରି ଛାଡ଼ି ଚାଷକୁ ଏକ ଲାଭଜନକ ବ୍ୟବସାୟ ଭାବେ ଆପଣାଇଛନ୍ତି। ଆଧୁନିକ ଜ୍ଞାନକୌଶଳ ଓ ସରକାରୀ ସହାୟତା ବଳରେ ସେମାନେ ନିଜ ଭିଟାମାଟିରେ ସଫଳତାର ନୂଆ କାହାଣୀ ଲେଖୁଛନ୍ତି। ଠିକ୍ ଏଭଳି ଜଣେ ସଫଳ ଯୁବଚାଷୀ ଭାବେ ଚର୍ଚ୍ଚାରେ ଢେଙ୍କାନାଳ କଙ୍କଡାହାଡ ଗୋପପୁର ଗାଁର ଅଜିତ କୁମାର ମହାନ୍ତ। ପାଠପଢ଼ା ପରେ ବାଙ୍ଗାଲୁରୁର ଏକ ହେଲ୍ଥକେୟାର କମ୍ପାନିରେ ଚାକିରି କରିଥିବା ଅଜିତଙ୍କୁ ବାନ୍ଧିପାରିନଥିଲା ମୋଟା ଅଙ୍କର ଦରମା। ଚାକିରିକୁ ବାଏ ବାଏ କହି ୨୦୨୧ ମସିହାରେ ନିଜ ଭିଟାମାଟିକୁ ଫେରିବା ପରେ ୨୦ ଏକର ଜମିରେ ଆରମ୍ଭ କରିଥିଲେ ଆପୋଲବେରି ଫାର୍ମ। ଯାହା ଏବେ ପ୍ରାୟ ୫୦ଏକରକୁ ପରିବ୍ୟାପ୍ତ ହୋଇଛି। ଏହି ଫାର୍ମରେ ସେ ଥାଇଲ୍ୟାଣ୍ଡର ଆପୋଲବେରି କୋଳି ଫଳାଇବାରେ ସକ୍ଷମ ହୋଇଛନ୍ତି। କିଛି ଜମିରେ ଡ୍ରାଗନ ଫ୍ରୁଟସ୍ ଚାଷ କରିଥିବା ବେଳେ ଭଲ ଦୁଇ ପଇସା ରୋଜଗାର କରୁଥିବା କହିଛନ୍ତି ଏହି ଯୁବଚାଷୀ ଅଜିତ୍ ମହାନ୍ତ।
କେବଳ ବିଦେଶୀ କୋଳି ନୁହେଁ ସଜନା, ତରଭୁଜ ସହ ଅନ୍ୟ ସବୁଜ ପନିପରିବା ଚାଷ କରୁଛନ୍ତି ଅଜିତ୍। ନିଜ ଫାର୍ମରେ ଏକ ନର୍ସରୀ ପ୍ରତିଷ୍ଠା କରିବା ସହ ସ୍ଥାନୀୟ ଅଞ୍ଚଳର କିଛି ଚାଷୀଙ୍କୁ ସେ ପ୍ରଶିକ୍ଷଣ ଦେଉଛନ୍ତି। ୧୦ରୁ ଅଧିକ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ସାଙ୍ଗକୁ ଦୈନିକ ୨୫ରୁ ଅଧିକ ଲୋକଙ୍କୁ କାମ କରିବାର ସୁଯୋଗ ଦେଇଛନ୍ତି। ଆଦିବାସୀ ବହୁଳ ଏହି ସ୍ଥାନରେ ଅତ୍ୟାଧୁନିକ ଫାର୍ମ ପ୍ରତିଷ୍ଠା କରିଥିବାରୁ ଅଞ୍ଚଳ ପାଇଁ ଏହା ଗର୍ବ ବୋଲି କୁହନ୍ତି ସ୍ଥାନୀୟ ବାସିନ୍ଦା। ବିଭିନ୍ନ ସମୟରେ ସରକାରୀ ଅଧିକାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି ମାନେ ମଧ୍ୟ ଅଜିତଙ୍କ ଫାର୍ମକୁ ଯାଇ ବୁଲିଦେଖିବା ସହ ତାଙ୍କୁ ପ୍ରଶଂସା କରିଛନ୍ତି।
ଅଜିତଙ୍କ ଫାର୍ମରୁ ଫଳୁଥିବା ବିଦେଶୀ କୋଳି ସମେତ ପନିପରିବା ଆଖପାଖ ଜିଲ୍ଳା ସହ ଅନ୍ୟ ରାଜ୍ୟକୁ ମଧ୍ୟ ରପ୍ତାନୀ ହେଉଥିବା ଦେଖିବାକୁ ମିଳିଛି। ଯୁବଚାଷୀ ଅଜିତ୍ ମହାନ୍ତ ଏବେ ସ୍ଥାନୀୟ ଅଞ୍ଚଳର ଅନ୍ୟ ଯୁବକ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।
Follow Us