କନକ ବ୍ୟୁରୋ : ଜଗନ୍ନାଥଙ୍କ ଫାର୍ମରେ ୫ ଦେଶୀ କୁକୁଡ଼ା ସହିତ ୨୦ରୁ ଅଧିକ ପ୍ରକାରର ବିଦେଶୀ କୁକୁଡ଼ା ଚାଷ ହୋଇଛି । ତା’ ସହ ବିଭିନ୍ନ ପ୍ରକାରର ବତକ ଚାଷ କରିଛନ୍ତି ଜଗନ୍ନାଥ । କୁକୁଡ଼ା ବିକ୍ରି କରିବା ସହ କୁକୁଡ଼ା ଚିଆଁ ବିକ୍ରି କରୁଛନ୍ତି ବାଲିଆପାଳର ଯୁବଚାଷୀ । ପିଲାଟି ଦିନରୁ ବ୍ୟବସାୟ କରିବା ପାଇଁ ସ୍ୱପ୍ନ ଦେଖୁଥିଲେ । ଚାକିରି କରି ପରାଧୀନ ହେବା ଅପେକ୍ଷା ବ୍ୟବସାୟ କରି ସ୍ୱାଧୀନ ଭାବରେ ବଞ୍ଚିବା ଥିଲା ତାଙ୍କର ଲକ୍ଷ୍ୟ। ମାତ୍ର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବା ପରେ ବସ୍ତାନୀରେ ଡୋରି ବାନ୍ଧି ବ୍ୟବସାୟ କରିବାକୁ ମନ ବଳାଇଲେ । ଗାଁ ଲୋକମାନେ କୁକୁଡା ପାଳୁଥିବା ଦେଖି କୁକୁଡ଼ା ବ୍ୟବସାୟ କରିବା ପାଇଁ ଚିନ୍ତା କଲେ । ମାତ୍ର ୫ ହଜାର ଟଙ୍କାରେ ବ୍ୟବସାୟ ଆରମ୍ଭ କରିଥିଲେ । ୫ ବର୍ଷ ଭିତରେ ୫ ହଜାର ଟଙ୍କାର ବ୍ୟବସାୟ ୫୦ ଲକ୍ଷ ଟଙ୍କାରେ ପହଞ୍ଚିଛି ।
ଏହି ବ୍ୟବସାୟରୁ ସେ ମାସକୁ ୫୦ ରୁ ୬୦ ହଜାର ଟଙ୍କା ରୋଜଗାର କରିବା ସହିତ ତାଙ୍କ ଫାର୍ମରେ ୫ ରୁ ୬ ଜଣକୁ ନିଯୁକ୍ତି ଦେଇଛନ୍ତି । ବିଶାଖାପାଟଣା ଏବଂ କଲିକତାର ଦୁଇଟି କମ୍ପାନୀ ସହିତ ବନ୍ଧୁତ୍ୱ ସ୍ଥାପନ କରି ସେଠାରେ ଅଣ୍ଡାରୁ କୁକୁଡା ଓ ବତକ ଛୁଆ ଫୁଟାଇ ତାଙ୍କ ଫର୍ମରେ ରଖି ବ୍ୟବସାୟ କରୁଛନ୍ତି । ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ଫାର୍ମରୁ ଉତ୍ପାଦିତ କୁକୁଡା ଓ ବତକ ବିକ୍ରୀ ହେଉଛି । ଅନଲାଇନରେ ମଧ୍ୟ ସେ କାରବାର କରୁଛନ୍ତି । ଆସାମ, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼କୁ ରପ୍ତାନୀ କରୁଛନ୍ତି କୁକୁଡ଼ା ଓ ବତକ ।
ଇଚ୍ଛାଥିଲେ ଉପାୟ ଆପେ ଆପେ ଆସେ। ଯାହା ସଫଳତାର ରାସ୍ତା ଦେଖାଏ । ଚାକିରି ପଛରେ ନପଡ଼ି ସ୍ବାଧୀନ ଭାବେ ବଞ୍ଚିବା ପାଇଁ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି ଜଗନ୍ନାଥ ।