କନକ ବ୍ୟୁରୋ: ୧୮ ଅଗଷ୍ଟ ୨୦୨୫ରେ ହ୍ୱାଇଟ୍ ହାଉସରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରସ୍ପରକୁ ଭେଟିଥିଲେ । ଏହି ସମୟରେ ଜେଲେନ୍ସକିଙ୍କ ପୋଷାକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।
୧୮ ଅଗଷ୍ଟ ୨୦୨୫ରେ ହ୍ୱାଇଟ୍ ହାଉସରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରସ୍ପରକୁ ଭେଟିଥିଲେ । ସାଢ଼େ ୩ ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ଲାଗି ଆଲୋଚନା ପାଇଁ ଏହି ବୈଠକ ହୋଇଥିଲା । ଏହି ବୈଠକରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଜେଲେନ୍ସକିଙ୍କ ପୋଷାକ । ଏଥର ଜେଲେନ୍ସକିଙ୍କୁ ଏକ କଳା ରଙ୍ଗର ବ୍ଲେଜର, 'ବଟନ୍-ଡାଉନ୍ ସାର୍ଟ' ଏବଂ କଳା ରଙ୍ଗର ପ୍ୟାଣ୍ଟରେ ଦେଖିବାକୁ ମିଳିଥିଲା, ଯାହା ତାଙ୍କର ପୂର୍ବ ସାମରିକ ଶୈଳୀର ଟି-ସାର୍ଟ କିମ୍ବା 'ସ୍ୱେଟସାର୍ଟ'ଠାରୁ ଭିନ୍ନ ଥିଲା । ତାଙ୍କ ବ୍ଲେଜରରେ ୟୁକ୍ରେନୀୟ ତ୍ରିଶୂଳର ପ୍ରତୀକ ଥିଲା, ଯାହା ସୂଚିତ କରେ ଯେ ତାଙ୍କ ଦେଶ ଏବେ ବି ସଙ୍କଟରେ ଅଛି ।
ତାଙ୍କର ଏଭଳି ବେଶଭୂଷା ଦେଖି ଫେବ୍ରୁଆରିରେ ତାଙ୍କୁ ଟ୍ରୋଲ କରିଥିବା ରିପୋର୍ଟର ତାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ଆଜି ବହୁତ ଭଲ ଦିଶୁଛନ୍ତି ବୋଲି କହିଥିଲେ । ୨୮ ଫେବ୍ରୁଆରି, ୨୦୨୫ରେ ହ୍ୱାଇଟ୍ ହାଉସର ଓଭାଲ୍ ଅଫିସରେ ଟ୍ରମ୍ପ୍ ଏବଂ ଜେଲେନ୍ସକିଙ୍କ ମଧ୍ୟରେ ସାକ୍ଷାତ ସମୟରେ, ଜେଲେନ୍ସକିଙ୍କ କଳା ସ୍ୱେଟସାର୍ଟ ବିବାଦ ସୃଷ୍ଟି କରିଥିଲା । ଟ୍ରମ୍ପ୍ ବ୍ୟଙ୍ଗାତ୍ମକ ଭାବରେ କହିଥିଲେ ଯେ, ଆଜି ଆପଣ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଆସିଛନ୍ତି। ରିଅଲ୍ ଆମେରିକା ଭଏସ୍ ସମ୍ବାଦଦାତା ବ୍ରାଏନ୍ ଗ୍ଲେନ୍ ତାଙ୍କୁ ପଚାରିଥିଲେ ଯେ, "ଆପଣ କାହିଁକି ସୁଟ୍ ପିନ୍ଧନ୍ତି ନାହିଁ? ଆପଣ ଦେଶର ସର୍ବୋଚ୍ଚ ପଦବୀରେ ଅଛନ୍ତି ଏବଂ ସୁଟ୍ ପିନ୍ଧିବାକୁ ମନା କରୁଛନ୍ତି । ଆପଣଙ୍କର କ’ଣ ସୁଟ୍ ନାହିଁ?" ଗ୍ଲେନ୍ ଏହାକୁ ହ୍ୱାଇଟ୍ ହାଉସର ମର୍ଯ୍ୟାଦା ପ୍ରତି ଅସମ୍ମାନ ବୋଲି କହିଥିଲେ । ଜେଲେନ୍ସକି ହାଲୁକା ସ୍ୱରରେ ଉତ୍ତର ଦେଇ କହିଥିଲେ, "ଯୁଦ୍ଧ ଶେଷ ହେବା ପରେ ମୁଁ ସୁଟ୍ ପିନ୍ଧିବି। ହୁଏତ ତୁମର ପରି କିଛି, କିମ୍ବା ତା’ଠୁ ଭଲ ବା ତା’ଠୁ ଶସ୍ତା ସୁଟ୍ ପିନ୍ଧିବି ।"
ଅଗଷ୍ଟ ୧୮ରେ ଜେଲେନ୍ସକି ପିନ୍ଧିଥିବା ପୋଷାକର ପ୍ରଶଂସା କରି ଗ୍ଲେନ ତାଙ୍କ ପୂର୍ବ ପ୍ରତିକ୍ରିୟା ପାଇଁ କ୍ଷମା ମାଗିଥିଲେ । ସେ କହିଥିଲେ, "ଆପଣ ଏହି ସୁଟ୍ରେ ବହୁତ ଭଲ ଦିଶୁଛନ୍ତି । ଫେବ୍ରୁଆରିରେ କହିଥିବା କଥା ପାଇଁ କ୍ଷମା ମାଗୁଛି।" ଏହା ଶୁଣି ଜେଲେନ୍ସକି କହିଥିଲେ, "ଆପଣ ତ ସେହି ସମାନ ସୁଟ୍ ପିନ୍ଧିଛନ୍ତି । ହେଲେ ମୁଁ ବଦଳାଇ ଦେଇଛି ।" ଏହା ଶୁଣି ଟ୍ରମ୍ପଙ୍କ ସମେତ ସେଠାରେ ଉପସ୍ଥିତ ରିପୋର୍ଟର ଓ ବିଭିନ୍ନ ଅଧିକାରୀ ହସିଥିଲେ ।
Follow Us