କନକ ବ୍ୟୁରୋ: ଭାରତର ଚାପ ଆଗରେ ମୁଣ୍ଡ ନୁଆଁଇଛି ପାକିସ୍ତାନ, ହାଇବ୍ରିଡ଼ ମଡ଼େଲରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାକୁ ସହମତି ପ୍ରକାଶ କରିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ । ହେଲେ ହାଇବ୍ରିଡ୍ ମଡେଲ ଭିତରେ ପାକିସ୍ତାନ ଆଇସିସି ନିକଟରେ କିଛି ସର୍ତ୍ତ ରଖିଥିବା ଜଣାପଡିଛି । ଯାହାକୁ ନେଇ ଏବେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । 

Advertisment

ଚଳିତ ବର୍ଷ ଚାମ୍ପିୟନ୍ସ ଟ୍ରଫି ଅୟୋଜନରେ ହାଇବ୍ରିଡ୍ ମଡେଲ ହିଁ ଏକମାତ୍ର ବିକଳ୍ପ ବୋଲି ପିସିବିକୁ ରୋକଠୋକ୍ ଶୁଣାଇଦେଇଛି ଆଇସିସି । ଏହା ଶୁଣିବା ପରେ ହାତରୁ ଆୟୋଜନ ଅଧିକାର ଖସିଯିବା ଭୟରେ ଉପାୟ ନପାଇ ଶେଷରେ ପାକିସ୍ତାନ ହାଇବ୍ରିଡ୍ ମଡେଲ ପାଇଁ ରାଜି ହୋଇଛି । କିନ୍ତୁ ପାକିସ୍ତାନ ସରକାର ଭଳି ପାକ୍ କ୍ରିକେଟ୍ ବୋର୍ଡ ମଧ୍ୟ ଖେଳରେ ଖଳପ୍ରକୃତି ଦେଖାଇଛି, ଆଉ ହାଇବ୍ରିଡ୍ ମଡେଲ ସହ ପିସିବି ଆଇସିସି ସାମ୍ନାରେ କିଛି ସର୍ତ୍ତ ରଖିଛି । 

ହାଇବ୍ରିଡ୍ ମଡେଲ ସହ ପିସିବିର ସର୍ତ୍ତ...
-ମୁଣ୍ଡ ନୁଆଁଇଲା ପାକିସ୍ତାନ, ହାଇବ୍ରିଡ ମଡ଼େଲ ଆପଣାଇବାକୁ ହେଲା ରାଜି
-ହାଇବ୍ରିଡ ମଡ଼େଲ ପାଇଁ ସର୍ତ୍ତ ରଖିଲା ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ
-ଭାରତୀୟ ଦଳର ସମସ୍ତ ମ୍ୟାଚ୍ ଦୁବାଇରେ ହେବ ଅନୁଷ୍ଠିତ
-ଗ୍ରୁପ ପର୍ୟ୍ୟାୟରେ ଭାରତ ବିଫଳ ହେଲେ ଲାହୋରରେ ହେବ ସେମିଫାଇନାଲ, ଫାଇନାଲ
-ଭବିଷ୍ୟତରେ ଭାରତ ଆୟୋଜନ କରୁଥିବା ଟୁର୍ଣ୍ଣାମେଣ୍ଟକୁ ଆସିବନି ପାକିସ୍ତାନ
- ହାଇବ୍ରିଡ ମଡେଲ ଆପଣାଇ ନିରପେକ୍ଷ ସ୍ଥାନରେ ଖେଳିବାକୁ ଦାବି କରିବ ପାକିସ୍ତାନ

ଏବେ ‘ହାଇବ୍ରିଡ୍ ମଡେଲ’ ଅନୁସାରେ ୟୁଏଇରେ ଭାରତ ବିପକ୍ଷ ମ୍ୟାଚ୍ ଗୁଡ଼ିକ ଅନୁଷ୍ଠିତ ହେବ । ଅବଶିଷ୍ଟ ମ୍ୟାଚ ପାକିସ୍ତାନରେ ଆୟୋଜିତ ହେବ ଏବଂ ପାକିସ୍ତାନର ହିଁ ଚାମ୍ପିୟନ୍ସ ଟ୍ରଫି ହୋଷ୍ଟିଂ ବା ଆୟୋଜନ କରିବାର ଅଧିକାର ରହିବ । ଯଦି ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରୁହେ ତେବେ ପିସିବିକୁ ୬୦ ଲକ୍ଷ ଡଲାର ବା ୫୦ କୋଟି ହୋଷ୍ଟିଂ ଫି କ୍ଷତି ସହିବ । ଏପରିକି ଏହା ପିସିବିର ବାର୍ଷିକ ରାଜସ୍ୱ ଉପରେ ଏକ ବଡ଼ ପ୍ରଭାବ ମଧ୍ୟ ପକାଇପାରେ ।

ଆସନ୍ତା ଫେବ୍ରୁଆରୀ ୧୯ ତାରିଖରୁ ମାର୍ଚ୍ଚ ୯ ତାରିଖ ଯାଏଁ ଆଇସିସି ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ ହେବ । ୨୦୦୮ ମୁମ୍ବାଇ ଆତଙ୍କୀ ହମଲା ପରଠୁ ଭାରତ ପାକିସ୍ତାନକୁ ଯାଇନି କିମ୍ବା ପାକ୍ ମାଟିରେ ଅଦୌ ମ୍ୟାଚ୍ ଖେଳିନାହିଁ । ୨୦୧୭ ପରଠାରୁ ପ୍ରଥମ ଥର ପାଇଁ ଆଇସିସି କ୍ୟାଲେଣ୍ଡରକୁ ଫେରିଛି ଚାମ୍ପିଅନ୍ସ ଟ୍ରଫି  । ୨୦୧୭ରେ ଇଂଲଣ୍ଡରେ ଅନୁଷ୍ଠିତ ଚାମ୍ପିଅନ୍ସ ଟ୍ରଫିର ଶେଷ ସଂସ୍କରଣରେ ପାକିସ୍ତାନ ଟିମ୍ ବିଜୟୀ ହୋଇଥିଲା, ତେବେ ପୂର୍ବରୁ ୨୦୨୩ରେ ହାଇବ୍ରିଡ୍ ମଡେଲ ଅନୁଯାୟୀ ପାକିସ୍ତାନ ହୋଷ୍ଟିଂ କରିଥିବା ଏସିଆ କପରେ ଭାରତ ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା ।