କନକ ବ୍ୟୁରୋ : ତା ୨୧. ୦୬. ୨୦୨୫  ରିଖ ଡି. ଏ. ଭି ପବ୍ଲିକ ସ୍କୁଲ, କାଂସବାହାଲରେ ଏକାଦଶ  ‘ବିଶ୍ବ ଯୋଗ ଦିବସ’-୨୦୨୫  ପାଳିତ ହୋଇଯାଇଛି । ପ୍ରାତଃ ସମୟରେ ବିଦ୍ୟାଳୟର ଶିକ୍ଷାର୍ଥୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ପରିସର ମଧ୍ୟରେ ଏକତ୍ରିତ ହୋଇ ଏକ ଘଣ୍ଟା ଯୋଗାଭ୍ୟାସ କରିଥିଲେ  ।  ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ବିଷ୍ଣୁ ଦେ ଏବଂ ଯୋଗ ଶିକ୍ଷକ ଶ୍ରୀଯୁକ୍ତ ବାସୁଦେବ କରଙ୍କ ତତ୍ତ୍ଵାବଧାନରେ ଶିକ୍ଷକ ,ଶିକ୍ଷୟିତ୍ରୀ ଓ ଶିକ୍ଷାର୍ଥୀମାନେ ବିଭିନ୍ନ ଯୋଗ ତଥା ପ୍ରାଣାୟାମର ଅଭ୍ୟାସ କରିଥିଲେ ।   ପ୍ରଥମେ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ଚାଳନା କରାଯାଇଥିଲା  । ଏହାପରେ ବୃକ୍ଷାସନ, ଭୁଜଙ୍ଗାସନ, ଶଶକାସନ,ତାଡାସନ ଏବଂ ପ୍ରାଣାୟାମ ମଧ୍ୟରେ କପାଳଭାତି, ଅନୁଲୋମ ବିଲୋମ, ଭ୍ରାମରି ଇତ୍ୟାଦିର ଅଭ୍ୟାସ କରାଯାଇଥିଲା ।   ଛାତ୍ରୀ ଦିବ୍ୟାଶା ପଣ୍ଡା ଓ ଆୟିଶା କାଦ୍ରୀ  ଯୋଗାଭ୍ୟାସର ଗୁରୁତ୍ବ ଉପରେ ନିଜର ମତ ଉପସ୍ଥାପନା କରିବା ସହ ପ୍ରତିଦିନ ଯୋଗାଭ୍ୟାସ ଦ୍ଵାରା ଏକ ସୁସ୍ଥ ଶରୀର, ସୁସ୍ଥ ବାତାବରଣ ତଥା ଏକ ସୁସ୍ଥ ସମାଜ ଗଠନ କରି ହେବ ବୋଲି ମତପ୍ରଦାନ କରିଥିଲେ ।  ଏହାପରେ ଅଧ୍ୟକ୍ଷା ଶ୍ରୀମତୀ ରୀନା ମହାପାତ୍ର ‘ବିଶ୍ବ ଯୋଗ ଦିବସ’ର ମହତ୍ତ୍ଵ ଓ ଗୁରୁତ୍ବ ଉପରେ ଆଲୋକପାତ କରି ଯୋଗାଭ୍ୟାସ ଦ୍ଵାରା ଶରୀର, ମସ୍ତିଷ୍କ ତଥା ଆତ୍ମାର ପୂର୍ଣ୍ଣ ବିକାଶ ଘଟିଥାଏ ବୋଲି ନିଜର ଅଭିଭାଷଣରେ ମତବ୍ୟକ୍ତ କରିଥିଲେ ।   ଆଜିର ଦିବସ ଉପଲକ୍ଷେ ବିଦ୍ୟାଳୟ ତରଫରୁ ଶିକ୍ଷାର୍ଥୀଙ୍କ ପାଇଁ  ବିଭିନ୍ନ ପ୍ରତିଯୋଗିତା  (ପ୍ରବନ୍ଧ ଲିଖନ ଓ କୁଇଜ ) ର  ଆୟୋଜନ କରାଯାଇଥିଲା ।   ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରୀନା ମହାପାତ୍ରଙ୍କ ମାର୍ଗଦର୍ଶନରେ ତଥା ଶିକ୍ଷକ ,ଶିକ୍ଷୟିତ୍ରୀ ଓ ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ଆଜିର କାର୍ଯ୍ୟକ୍ରମଟି  ସଫଳ ହୋଇପାରିଥିଲା ।