କନକ ବ୍ୟୁରୋ : ଆରମ୍ଭ ହେଲା ମଣ୍ଡିରେ ଧାନକିଣା । ଯାଞ୍ଚ ଓ ଧାନ ବିକିବାକୁ ନେଇ ଦ୍ୱନ୍ଦ୍ୱରେ ଚାଷୀ । ବରଗଡ ଜିଲ୍ଲାରେ ଚଳିତ ବର୍ଷର ପ୍ରଥମ ଧାନ କିଣା । ନୂଆ ସରକାର ଓ ନୂଆ ଜୋସରେ ଆରମ୍ଭ ହୋଇଛି ଧାନକିଣା ପ୍ରକ୍ରିୟା । ବରଗଡ ଜିଲ୍ଲାର କଳାପାଣି ମଣ୍ଡିରେ ଯୋଗାଣ ମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଥମ ଧାନ କିଣା ଆରମ୍ଭ ହୋଇଛି । ଚଳିତ ଖରିଫ ରୁତୁରେ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବେ ଚାଷୀ । ୨୩୦୦ ଟଙ୍କା MSP ଓ ୮୦୦ ଟଙ୍କା ବୋନସ l ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବରଗଡ ବ୍ଲକ କଲାପାଣି, ଅତାବିରା, ଗୋଡ଼ଭୋଗା ମାର୍କେଟରେ ଧାନ କିଣାଵିକାର ଶୁଭାରମ୍ଭ କରିଛନ୍ତି l ଚାଷୀଙ୍କୁ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବାକୁ ହେଲେ FAQ ମାନର ଧାନ ଆଣିବାକୁ ପଡ଼ିବ l FAQ ମାନ ହେଲା ଶୁଖିଲା ଓ ସଫା ସୁତୁରା ଧାନ l ଏଥର ଧାନର ମାନ ନିର୍ଦ୍ଧାରଣ କରିବ Quality Analyser Machine l କିଛି ସ୍ଥାନରେ ମାନ ଯାଞ୍ଚ କରିବାକୁ ମେସିନ ଲାଗିଛି । କିନ୍ତୁ ଯେଉଁ ମଣ୍ଡି ରେ ଲାଗି ନାହିଁ କେମିତି ଧାନ ର ମାନ ଯାଞ୍ଚ କରାଯିବ କେମିତି ଚାଷୀ ନିଜ ଧାନକୁ ବିକିବେ ସେ ନେଉ ଦ୍ୱନ୍ଦ୍ୱରେ ଅଛନ୍ତି ଚାଷୀ ।
ଖରିଫ ଋତୁ ଧାନ ବିକ୍ରି ପାଇଁ ବରଗଡ଼ ଜିଲ୍ଲାରେ ୧ ଲକ୍ଷ ୫୫ ହଜାର ୩୬୬ ଚାଷୀ ପଞ୍ଜୀକୃତ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୭୩ ଲକ୍ଷ ୫୪ ହଜାର ୩୪୭ କ୍ଵିଣ୍ଟାଲ ଧାନ କିଣିବାକୁ ଧାର୍ଯ୍ୟ କରାଯାଇଛି । ତେବେ ଏଯାଏ ମିଲର୍ସ ସହମତି ଦେଇଥିଲେ ମଧ୍ୟ କୌଣସି ଚୁକ୍ତି କରିନାହାନ୍ତି । ଅନ୍ୟପକ୍ଷରେ ଅନେକ ଚାଷୀଙ୍କର ଟୋକନ ଆସିନଥିବା ଯୋଗୁଁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ମଣ୍ଡି ଗୁଡିକରେ ଧାନର ମାନ ପରୀକ୍ଷା କରାଗଲା ପରେ ତାକୁ ମିଲର୍ସ ନେବେ । ଯେଉଁ ମଣ୍ଡିଗୁଡିକ ଖୋଲା ଆକାଶ ତଳେ ରହିଛି , ସେଠାରେ ଅସ୍ଥାୟୀ ଭାବେ ସମସ୍ତ ସୁବିଧା କରାଯିବ । ପ୍ରଶ୍ନ ଉଠୁଛି, ଟୋକନ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର ହେବ କେବେ? ଖୋଲା ଆକାଶ ତଳେ ପଡିଥିବା ଧାନର କି ବ୍ୟବସ୍ଥା କରିବେ ପ୍ରଶାସନ?