କନକ ବ୍ୟୁରୋ: ଆଜି ଆସିଛି ଦ୍ୱିତୀୟ ପର୍ଯ୍ୟାୟ ସୁଭଦ୍ରା ଅନୁଦାନ । କେନ୍ଦୁଝର ହାଟଡିହି ବ୍ଲକର ବିଭିନ୍ନ ବ୍ୟାଙ୍କରେ ମହିଳାଙ୍କ ଭିଡ଼ ଦେଖିବାକୁ ମିଳିଛି । ପ୍ରଥମ ପର୍ଯ୍ୟାୟରେ ଟଙ୍କା ପାଇନଥିବା ହିତାଧିକାରୀ ବ୍ୟାଙ୍କ ଓ ଜନସେବା କେନ୍ଦ୍ରକୁ ଦୌଡୁଛନ୍ତି । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡିକ ଫ୍ରିଜ ହୋଇଯାଇଛି । କେୱାଇସି ବାଧ୍ୟତାମୂଳକ ଥିବାରୁ ବ୍ୟାଙ୍କଗୁଡିକରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ବ୍ୟାଙ୍କ ଅଫ ଇଣ୍ଡିଆ, ହାଟଡିହି ଓ ବଞ୍ଚୋ ଶାଖାରେ ସକାଳ ୭ରୁ ଭିଡ଼ ଲଗାଇଛନ୍ତି ଆବେଦନକାରୀ । ବ୍ୟାଙ୍କଗୁଡିକରେ ଅନ୍ୟାନ୍ୟ ଗ୍ରାହକ ସେବା ଏକ ପ୍ରକାର ଠପ ହୋଇଯାଇଛି । ସାଧାରଣ ଗ୍ରାହକ ବ୍ୟାଙ୍କ ଭିତରକୁ ପଶିପାରୁ ନଥିବାରୁ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ପରିସ୍ଥିତି ସୁଧାରିବା ଦିଗରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ କୌଣସି ସୁବ୍ୟବସ୍ଥା କରୁନଥିବାରୁ ମହିଳାମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।