କନକ ବ୍ୟୁରୋ : କିଛି ଦିନର ନିରବତା ପରେ ମଧ୍ୟପ୍ରାଚ୍ୟରେ ପୁଣି ବଡ଼ ଉତ୍ତେଜନା ସୃଷ୍ଟି ହୋଇଛି । ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଆଇଡିଏଫ୍ କହିଛି ଯେ ୟେମେନ ଇସ୍ରାଏଲ ସୀମା ଭିତରକୁ ବ୍ୟାପକ ଡ୍ରୋନ୍ ଆକ୍ରମଣ କରିଛି । ରବିବାର ଅଚାନକ ୟେମେନର ଡ୍ରୋନ୍ ଆକ୍ରମଣ ଉତ୍ତେଜନା ସୃଷ୍ଟି କରିଛି । ଇସ୍ରାଏଲ ସୀମା ଅତିକ୍ରମ କରିବା ପୂର୍ବରୁ ଅନେକ ଡ୍ରୋନ୍କୁ ଗୁଳି କରି ଖସାଇ ଦିଆଯାଇଥିବା ଆଇଡିଏଫ୍ ଦାବି କରିଛି । ଏହି ଆକ୍ରମଣ ପରେ ଦକ୍ଷିଣ ଇସ୍ରାଏଲରେ ବାସିନ୍ଦାମାନଙ୍କୁ ସୁରକ୍ଷିତ ଆଶ୍ରୟ ନେବାକୁ ସତର୍କ କରାଯାଇଥିଲା । ଆକ୍ରମଣରେ ଇସ୍ରାଏଲର ରାମୋନ୍ ଅନ୍ତର୍ଜାତୀୟ ବିମାନବନ୍ଦର କ୍ଷତିଗ୍ରସ୍ତ ହୋଇଛି ଏବଂ କର୍ତ୍ତୃପକ୍ଷଙ୍କୁ ଏହି ଅଞ୍ଚଳର ଆକାଶପଥକୁ ସାମୟିକ ଭାବେ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି ।
ସପ୍ତାହକ ତଳେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ରେ ସନାର ହୁତି ନିୟନ୍ତ୍ରିତ ପ୍ରଶାସନର ପ୍ରଧାନମନ୍ତ୍ରୀ ଅହମ୍ମଦ ଅଲ-ରାହବୀ ନିହତ ହୋଇଥିଲେ । ଏହାର ଜବାବରେ ୟେମେନ ପକ୍ଷରୁ ଏହି ଆକ୍ରମଣ କରାଯାଇଛି । ଗତ ସପ୍ତାହରେ ହୁତିମାନେ ଏକ ବିବୃତିରେ କହିଥିଲେ ଯେ ଆକ୍ରମଣରେ ଅଲ୍-ରାହବୀଙ୍କ ସମେତ ଅନ୍ୟ କେତେକ ମନ୍ତ୍ରୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଅଲ୍-ରାହବୀ ଅଗଷ୍ଟ ୨୦୨୪ରୁ ହୁତିଙ୍କ ନେତୃତ୍ୱାଧୀନ ସରକାରର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ହୁତିମାନେ ପାଲେଷ୍ଟାଇନର ଅନ୍ୟତମ କଠୋର ସମର୍ଥକ ଥିବା ବେଳେ ସେମାନେ ଯେ କୌଣସି ଉପାୟରେ ଇସ୍ରାଏଲ ଉପରେ ବଡ଼ ଆକ୍ରମଣ ଜାରି ରଖିବାକୁ ଯୋଜନା କରୁଛନ୍ତି ।