କନକ ବ୍ୟୁରୋ: ଆଜିଠୁ ବଢିବ ତାତି, ଜଳିବ ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ, ସବୁଠି ତାତି ଦେଖାଇବ ତାଉ । ପଶ୍ଚିମ ଓଡ଼ିଶାରେ ହିଟୱେଭ୍ ନେଇ ଆଲର୍ଟ ଜାରି ହୋଇଛି । ୪ ଦିନ ଅର୍ଥାତ୍ ୧୩, ୧୪, ୧୫ ଓ ୧୬ ତାରିଖରେ ପ୍ରବଳ ଖରା ନେଇ ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଆଜି ପାଇଁ ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ା ବ୍ୟତୀତ ଆଭ୍ୟନ୍ତରୀଣ ଓଡ଼ିଶାର ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।୧୪ରେ ପ୍ରବଳ ଖରା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ୧୫ରେ ସୁନ୍ଦରଗଡ଼, ସୋନପୁର, ଅନୁଗୁଳ, ବରଗଡ଼ ଓ ମଯୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୧୬ରେ ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସୁନ୍ଦରଗଡ଼ ଓ ମଯୂରଭଞ୍ଜ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୪ରୁ ୫ ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ ବଢ଼ିବା ନେଇ ପୂର୍ବାନୁମାନ କରାଯାଉଛି ।
ବୁଧବାର ଚଳିତବର୍ଷ ପ୍ରଥମ ଥର ପାଇଁ ତାତି ୪୦ଡିଗ୍ରୀ ଅତିକ୍ରମ କରିଛି, ବୌଦ୍ଧରେ ପାରଦ ୪୦.୫ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଅନ୍ୟ ୬ଟି ସହରରେ ୩୯ଡିଗ୍ରୀ ଛୁଇଁଛି । ମାର୍ଚ୍ଚ ୧୬ ତାରିଖ ଅର୍ଥାତ ହୋଲିରେ ପଶ୍ଚିବ ଓଡ଼ିଶାରେ ତାତି ୪୨ ଡିଗ୍ରୀ ଟପିବାକୁ ରହିଥିବା ବେଳେ ଉପକୂଳରେ ପାରଦ ୪୦ଡେଇଁବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି ।