କନକ ବ୍ୟୁରୋ: ଉତ୍ତର ବାଂଲାଦେଶ ଓ ତତସଂଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ। ତାସହ ଝାଡ଼ଖଣ୍ଡ ଉପରେ ମଧ୍ୟ ଏକ ଘୂର୍ଣ୍ଣିବଳୟ ରହିଛି। ଯାହାର ପ୍ରଭାବରେ ଆଜି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଉଛି ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ ଓ ଗଜପତି । ସେହିପରି କେନ୍ଦୁଝର ଓ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆସନ୍ତାକାଲି ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୪ରୁ ବର୍ଷାର ପରିମାଣ ବଢ଼ିବ । ୨୪ ଓ ୨୫ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ତଳିଆ ଅଞ୍ଚଳ ଓ ଅଣ୍ଡର ପାସ୍ରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ। ସହରାଞ୍ଚଳରେ ଦୃଶ୍ୟମାନ କ୍ଷମତା ହ୍ରାସ ଓ ଟ୍ରାଫିକ୍ ସମସ୍ୟା ଉପୁଜିବ ବୋଲି ଏସ୍ଆରସି ସତର୍କ କରାଇଛନ୍ତି।