କନକବ୍ୟୁରୋ : ରାଜ୍ୟ ନଗର ଉନ୍ନୟନ ବିଭାଗକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ।  ଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ବରେ ଅବସ୍ଥିତ ତଥା ଭବିଷ୍ୟତରେ ନିର୍ମିତ ହେବାକୁ ଥିବା କୋଠାବାଡି ପାଇଁ ସ୍ବତନ୍ତ୍ର ନୀତି ନିର୍ଦ୍ଧାରଣ କରିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ଲେଖିଥିବା ପତ୍ରରେ ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ଶ୍ରୀମନ୍ଦିର ଏବଂ ଶ୍ରୀଗୁଣ୍ଡିଚା ମନ୍ଦିର ସୁରକ୍ଷା ତଥା ଏହାର ସାଂସ୍କୃତିକ ଐତିହ୍ୟକୁ ଦୃଷ୍ଟିରେ ରଖି ଏହି କୋଠାବାଡି ଗୁଡିକର ଉଚ୍ଚତା ଧାର୍ଯ୍ୟ ହେବା ଆବଶ୍ୟକ ।

Advertisment

ଏହା ସହ ସାମ୍ମୁଖ୍ୟଭାଗ କଳିଙ୍ଗ ସ୍ଥାପତ୍ୟ ଢାଞ୍ଚାରେ କରାଯିବା ନେଇ ଏକ ନୀତି ପ୍ରସ୍ତୁତି ହେବା ଜରୁରୀ । ସେହିପରି କୋଠାବାଡି ଗୁଡିକ ବ୍ୟବହାର କରୁଥିବା ନାମଫଳକ ଏବଂ ବିଜ୍ଞାପନ ଉପରେ ମଧ୍ୟ ଆବଶ୍ୟକ କଟକଣା ପାଇଁ ଏଥିରେ ବ୍ୟବସ୍ଥା କରାଯାଇପାରେ ବୋଲି ସେ ଜଣାଇଛନ୍ତି। ଏହାସହ ସମଗ୍ର ଅଂଚଳରେ ଆଧ୍ୟାତ୍ମିକ ବାତାବରଣକୁ ବଜାୟ ରଖିବା ପାଇଁ ସୌନ୍ଦର୍ଯ୍ୟକରଣ ତଥା ଖାଲି ସ୍ଥାନ ବ୍ୟବହାର ନେଇ ମଧ୍ୟ ସେହି ନୀତିରେ ବିଚାର କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି  ।  ପୂର୍ବରୁ ଗତ ୨୬ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ଉଚ୍ଚସ୍ତରୀୟ ପ୍ରଶାସନିକ କମିଟି ବୈଠକରେ ଏନେଇ ଆଲୋଚନା ହେବା ସହ ସ୍ବତନ୍ତ୍ର ନୀତି ପ୍ରଣୟନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବାକୁ ନିଷ୍ପତ୍ତି ହୋଇଥିଲା ।