କନକ ବ୍ୟୁରୋ: ପୁଅ ବଦଳରେ ମାଆକୁ ଇଞ୍ଜେକସନ। ଏମିତି ଏକ ଅଭିଯୋଗ ଆସିଛି ନୂଆପଡ଼ା ଖଡ଼ିଆଳ ସବ ଡିଭିଜନ ହସ୍ପିଟାଲରୁ । ଖବର ମୁତାବକ, ଖଡ଼ିଆଳ ବ୍ଲକ୍ ବର ଗାଁର ରାଜୁ ତାଣ୍ଡି ଓ ଅଞ୍ଜୁ ତାଣ୍ଡି ନିଜର ଦୁଇ ବର୍ଷର ପୁଅ ଡୁଲେଶ୍ୱରକୁ ଜ୍ଵର ହେବାରୁ ଆଜି ଡାକ୍ତରଖାନାକୁ ନେଇଥିଲେ । ସେମାନେ ଶିଶୁ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର କୁମାର ମାଝୀଙ୍କୁ ଦେଖାଇଥିଲେ । ଡାକ୍ତର ଚିଠା ଲେଖି ଇଞ୍ଜେକସନ ଦେବା ପାଇଁ ନର୍ସଙ୍କ ପାଖକୁ ପଠାଇଥିଲେ । କାର୍ଯ୍ୟରତ ନର୍ସ ରଶ୍ମିତା ପଣ୍ଡା ଛୁଆ ବଦଳରେ ମାଆ ଅଞ୍ଜୁଙ୍କ ପେଟରେ ଫୋଡ଼ି ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଅଞ୍ଜୁଙ୍କ ପେଟରେ ମଧ୍ୟ ଛୁଞ୍ଚି ଫୋଡି ଦେବାର ଚିହ୍ନ ରହିଛି । ତାଙ୍କ ପେଟ ଦରଦ ହେଉଥିବା ମଧ୍ୟ ଅଞ୍ଜୁ କହିଛନ୍ତି ।
ଏନେଇ ସଂପୃକ୍ତ ନର୍ସଙ୍କୁ ପଚାରିବାରୁ ଘଟଣାକୁ ଅସ୍ବୀକାର କରିଥିଲେ । କାଳେ ଇଞ୍ଜେକ୍ସନ୍ ଦେବା ସମୟରେ ବାଜି ଯାଇଥିବ । ଏନେଇ ମେଡିକାଲ ଇନ୍ ଚାର୍ଜ ଡାକ୍ତର ମହେନ୍ଦ୍ର କୁମାର ମାଝୀଙ୍କୁ ପଚାରିବାରୁ ଏହାର ତଦନ୍ତ କରିବେ ବୋଲି କହିଛନ୍ତି । ମାଆର ଚିକିତ୍ସା କରାଯାଇଛି । କୌଣସି ଅସୁବିଧା ହେବ ନାହିଁ ବୋଲି ଜଣାଇଛନ୍ତି ।