କନକ ବ୍ୟୁରୋ: ଦୁର୍ଘଟଣାରୁ ମୁକ୍ତି ପାଇଁ ପୂଜାର୍ଚ୍ଚନା । ପ୍ରତି ବର୍ଷ ନିର୍ଦ୍ଦିଷ୍ଟ ଗୋଟିଏ ସ୍ଥାନରେ ଦୁର୍ଘଟଣା ଘଟୁଛି । ଅକାଳରେ ବହୁ ଲୋକଙ୍କ ଜୀବନ ଯାଉଛି । ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ଅଞ୍ଚଳବାସୀ । ସେଥିପାଇଁ ଜାତୀୟ ରାଜପଥ କଡରେ ଚଣ୍ଡିପାଠ ଓ ପୂଜାର୍ଚ୍ଚନା କରିଛନ୍ତି । ଗଞ୍ଜାମ ଜିଲ୍ଲା ଆସିକା କଲେଜ ଛକରେ ଦେଖିବା ମିଳିଛି ଏଭଳି ପୂଜାପାଠ।
ରାସ୍ତାକଡ଼ରେ ନାଲି ପତାକା ପୋତା ଯାଇଛି । ଦିନ ତମାମ୍ ପୂଜାର୍ଚ୍ଚନା ହୋଇଛି । ବ୍ରାହ୍ମଣଙ୍କ ମନ୍ତ୍ରୋଚାରଣ ସହ ହୋମଯଜ୍ଞ ଚାଲିଛି । ସମଗ୍ର ଅଞ୍ଚଳରେ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଛି । ଏହା କୌଣସି ବ୍ୟକ୍ତି କି ଅନୁଷ୍ଠାନ ପକ୍ଷରୁ ଆୟୋଜନ କରାଯାଇନାହିଁ । ଦୁର୍ଘଟଣାରୁ ମୁକ୍ତି ପାଇଁ ପୂଜାର୍ଚ୍ଚନା ! କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।
ଗଞ୍ଜାମ ଆସିକା ବ୍ଲକ କଲେଜ ଛକ ନିକଟରେ ଜାତୀୟ ରାଜପଥରେ ପ୍ରତି ବର୍ଷ ୧୦ରୁ ୧୨ଟି ଦୁର୍ଘଟଣା ହୁଏ । ଅନେକ ଧନ ଜୀବନ ହାନୀ ହୁଏ । ୨୦୨୩ରେ ୧୦ଟି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ହଟ୍ସ୍ପଟ୍ କୁହାଯାଉଥିବା ସେହି ସମାନ ସ୍ଥାନରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୯ଟି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଛି । ସବୁ ସମୟରେ ଗୋଟିଏ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଅନ୍ଧବିଶ୍ୱାସକୁ ଆପଣାଇଛନ୍ତି । ପୂଜାପାଠ କଲେ ଦୁର୍ଘଟଣା କମିବ ବୋଲି ଆଶା କରି ପୂଜାର୍ଚ୍ଚନା କରିଛନ୍ତି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାସ୍ତାକଡ଼ରେ ଏକ ବଟ ବୃକ୍ଷ ଥିଲା । ଲୋକେ ସେଠାରେ ପୂଜା କରୁଥିଲେ । ରାସ୍ତା ସଂପ୍ରସାରଣ ପାଇଁ ସେ ଗଛ କଟାଯାଇଛି, ପୂଜାପାଠ ବନ୍ଦ ହୋଇଯାଇଛି । ତେଣୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ସନ୍ଦେହ କରି ଏଭଳି ପୂଜାର୍ଚ୍ଚନା କରିଛନ୍ତି । ଏସବୁ ପରେ ପ୍ରଶାସନ ପକ୍ଷରୁ ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରି ସତର୍କ ଫଳକ ଲଗାଇ ପ୍ରତିକାର କରିବାର ଆବଶ୍ୟକତା ରହିଛି ।