କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଝାଡ଼ାବାନ୍ତି ବ୍ୟାପୁଥିବା ବେଳେ ଏଥିରୁ ରକ୍ଷା ପାଇଁ ଚାଲିଛି ପୂଜାପାଠ । ଡାକ୍ତରୀ ଟିମ୍ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଆକ୍ରାନ୍ତଙ୍କୁ ଔଷଧ ବାଣ୍ଟୁଛନ୍ତି । କିନ୍ତୁ ଅନ୍ଧବିଶ୍ବାସ ନେଇ ଉଦବେଗ ପ୍ରକାଶ ପାଇଛି । ଦୂଷିତ ପାଣି ପିଇ ଝାଡ଼ାବାନ୍ତି ସନ୍ଦେହ କରାଯାଉଥିବା ବେଳେ ବିଭିନ୍ନ ସଂସ୍ଥା ଅନ୍ୟକୁ ଦୋଷ ଦେଉଛନ୍ତି ।
ମାଆ ମଙ୍ଗଳାଙ୍କ ପାଇଁ ପ୍ରସ୍ତୁତ ହେଉଛି ଭୋଗ । କୌଣସି ପର୍ବ ପର୍ବାଣୀ ନୁହେଁ, ଝାଡ଼ାବାନ୍ତିରୁ ରକ୍ଷା ପାଇଁ ପୂଜା ସହ ମାଆଙ୍କୁ ଖିରି ଅର୍ପଣ କରାଯାଉଛି । ଏହା କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ରାଜଧାନୀ ଭୁବନେଶ୍ବରରେ ଏଭଳି ଦେଖିବାକୁ ମିଳିଛି । ନୀଳାଦ୍ରି ବିହାରର ନୀଳମାଧବ ନିବାସରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଏଥିରୁ ରକ୍ଷା ପାଇଁ ମାଆ ମଙ୍ଗଳାଙ୍କୁ ଲୋକ ପୂଜା କରୁଛନ୍ତି । ଗୋଟିଏ ପଟେ ଡାକ୍ତରୀ ଟିମ୍ ଚିକିତ୍ସା କରୁଥିବା ବେଳେ ଅନ୍ୟପଟେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ।
ନୀଳାଦ୍ରିବିହାର ଅଞ୍ଚଳରେ ଆତଙ୍କ ଖେଳାଇଛି ଝାଡ଼ାବାନ୍ତି । ୩ ଦିନ ମଧ୍ୟରେ ଆକ୍ରାନ୍ତ ସଂଖ୍ୟା ୧୬୦ ଟପିଲାଣି । ମେଡିକାଲ ଟିମ୍ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଉଛନ୍ତି । କିନ୍ତୁ ଔଷଧ କାମ କରୁନଥିବା ଅଭିଯୋଗ ହୋଇଛି । ବିଏମସି ମେୟର ସ୍ଥିତି ଅନୁଧ୍ୟାନ କରିଥିଲେ । ଅଳିଆ ସଂଗ୍ରହ କରୁଥିବା ସଂସ୍ଥା ପାଣିଟାଙ୍କି ପାଖରେ ଅଳିଆ ପକାଇ ଦେଇଥିବା ଲୋକେ ଅଭିଯୋଗ କରିଛନ୍ତି । ଫଳରେ ପାଣି ଦୂଷିତ ହୋଇଯାଇଛି । ଏବଂ ଲୋକଙ୍କୁ ଡାଇରିଆ ମାଡିବସିଛି ବୋଲି ଅଭିଯୋଗ ହୋଇଛି ।