ଆଇପିଏଲ୍‌ ଅଲୋଡ଼ାରୁ ବିଶ୍ବକପ୍‌ ନାୟକ, ଆଚମ୍ବିତ କଲେ ଆଲେନ

Advertisment

ଆଇସିସି ପ୍ରତିଯୋଗିତାରେ ସବୁବେଳେ ନିଜକୁ କଳା ଘୋଡ଼ା ସାବ୍ୟସ୍ତ କରି ଆସିଥିବା ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳର ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଫାଇନାଲ୍‌ ପ୍ରବେଶ ଯାତ୍ରା ରହିଛି ବେଶ୍‌ ନାଟକୀୟ।

ଆଇସିସି ପ୍ରତିଯୋଗିତାରେ ସବୁବେଳେ ନିଜକୁ କଳା ଘୋଡ଼ା ସାବ୍ୟସ୍ତ କରି ଆସିଥିବା ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳର ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଫାଇନାଲ୍‌ ପ୍ରବେଶ ଯାତ୍ରା ରହିଛି ବେଶ୍‌ ନାଟକୀୟ।

alen

alen Photograph: (Kanak news)

କନକ ବ୍ୟୁରୋ: ଲିଗ୍‌ରେ ଅସ୍ଥିର ପ୍ରଦର୍ଶନ। ସୁପର-୮ରେ ସଂଘର୍ଷ। ସିଧା ଟିକେଟ ବଦଳରେ ରନ୍‌ ରେଟ୍ ବଳରେ କଷ୍ଟେମଣ୍ଟେ ସେମିଫାଇନାଲ୍‌ ପ୍ରବେଶ। ସେମିଫାଇନାଲ୍‌ରେ କିନ୍ତୁ ଜବରଦସ୍ତ ବିଜୟ। ତାହା ପୁଣି ଏହି ଦୁଇ ପର୍ଯ୍ୟାୟରେ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷରେ। ଆଇସିସି ପ୍ରତିଯୋଗିତାରେ ସବୁବେଳେ ନିଜକୁ କଳା ଘୋଡ଼ା ସାବ୍ୟସ୍ତ କରି ଆସିଥିବା ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳର ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଫାଇନାଲ୍‌ ପ୍ରବେଶ ଯାତ୍ରା ରହିଛି ବେଶ୍‌ ନାଟକୀୟ। ଆଉ ଏହି ସଂଘର୍ଷ ଓ ସଫଳତାଭରା ଯାତ୍ରାର ମହାନାୟକ ପାଲଟିଛନ୍ତି ଯୁବ ଓପନର୍‌ ଫିନ୍‌ ଆଲେନ୍‌। ଏକଦା ଲଗାତାର ତିନି ବର୍ଷ ପାଇଁ ଆଇପିଏଲ୍‌ ନିଲାମରେ ଆଲୋଡ଼ା ହୋଇଥିଲେ। ଏପରିକି ତାଙ୍କୁ କୌଣସି ଦଳ କିଣି ନ ଥିଲେ। ଏବେ କିନ୍ତୁ ସେ ନ୍ୟୁଜିଲାଣ୍ଡର ବିଶ୍ବକପ୍‌ ନାୟକ ଭାବେ ଉଭା ହୋଇଥିଲେ। 

ବୁଧବାର ତାଙ୍କ ବ୍ୟାଟ୍‌ରୁ ବାହରିଥିବା ରନ୍‌ ଝଡ଼ କେବଳ ଦକ୍ଷିଣ ଆଫ୍ରିକାକୁ ବୁଡ଼ାଇ ଦେଇନି, ବରଂ ନ୍ୟୁଜିଲାଣ୍ଡକୁ ଦ୍ବିତୀୟ ଥର ଲାଗି ବିଶ୍ବକପ୍‌ ଟିକେଟ ଫାଇନାଲ୍‌ ପ୍ରଦାନ କରିଛି। ଦକ୍ଷିଣ ଆଫ୍ରିକା ଦଳର ଉଚ୍ଚମାନର ବୋଲିଂକୁ ଲଜ୍ଜିତ କରି ଆଲେନ୍‌ କେବଳ ୩୩ ବଲ୍‌ରୁ ଶତକ ହାସଲ କରିନାହାନ୍ତି। ୨୬ବର୍ଷୀୟ ଆଲେନଙ୍କ ଧୂଆଁଧାର, ଅସାଧାରଣ ଓ ଅବିସ୍ମରଣୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ ଇତିହାସରେ ପ୍ରଥମ ଥର ଲାଗି ଦକ୍ଷିଣ ଆଫ୍ରିକାକୁ ହରାଇଛି। ଇଡେନ୍‌ରେ ନ୍ୟୁଜିଲାଣ୍ଡ ନିଜ କ୍ରିକେଟ୍‌ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛି। ୨୦୨୧ ମସିହା ପରେ ପ୍ରଥମ ଥର ଲାଗି ବିଶ୍ବକପ୍‌ର ଫାଇନାଲ୍‌ ଲାଗି ଯୋଗ୍ୟତା ଅର୍ଜନ କରିଛି। ଦକ୍ଷିଣ ଆଫ୍ରିକାର ଅଭିଯାନ କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ବିପରୀତ ଧର୍ମୀ ରହିଛି। ଏହି ଦଳ ଲିଗ୍‌ ପର୍ଯ୍ୟାୟ ସହ ସୁପର-୮ ସବୁ ମ୍ୟାଚ୍‌ ଜିତି ଅପରାଜେୟ ଭାବେ ସେମିଫାଇନାଲ୍‌ ଆସିଥିଲା। 

ହେଲେ ବଡ଼ ମ୍ୟାଚ୍‌ରେ ବିଫଳତା ପାଇଁ ‘ଚୋକର’ ଆଖ୍ୟା ପାଇଥିବା ଦକ୍ଷିଣ ଆଫ୍ରିକାକୁ ନ୍ୟୁଜିଲାଣ୍ଡ ଶୃଙ୍ଖଳିତ କ୍ରିକେଟ୍‌ ଖେଳି ପୁଣି ଥରେ ଚେକ୍‌ ମେଟ୍‌ କରି ଦେଇଥିଲା। ଫଳରେ ପସନ୍ଦର ଦଳ ଭାବେ ଐତିହାସିକ ଇଡେନ୍‌ରେ ସେମିଫାଇନାଲ୍‌ ଖେଳିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ସେହି ‘ଚୋକର’ ଅପଯଶକୁ ଦୂର କରିବାରେ ପୁଣି ଥରେ ବିଫଳ ହୋଇଥିଲା। ସେମିରେ ନ୍ୟୁଜିଲାଣ୍ଡଠାରୁ ଐଦେନ ମାର୍କରାମଙ୍କ ଦଳ ୯ ୱିକେଟ୍‌ରେ ହାରିବାକୁ ‌କ୍ରିକେଟ୍‌ପ୍ରେମୀ ଆଦୌ ବିଶ୍ବାସ କରିପାରି ନ ଥିଲେ। ତେବେ ଆଲେନଙ୍କ ପାଳିକୁ ଇଡେନ୍‌ ଗାର୍ଡେନ୍ସରେ ଉପସ୍ଥିତ ୬୦,୦୦୦ରୁ ଅଧିକ ଦର୍ଶକ ମନଭରି ଉପଭୋଗ କରିଥିଲେ। ଆଲେନ ଆକ୍ରମଣ ଓ ଆତ୍ମବିଶ୍ବାସର ଅପୂର୍ବ ସମନ୍ବୟରେ କରିଥିବା ୧୦୦* ରନ୍‌ରେ ୮ଟି ବିଶାଳ ଛକା ଓ ୧୦ଟି ଦର୍ଶନୀୟ ଚୌକା ମାରିଥିଲେ। ୩୩ ବଲ୍‌ରୁ ଶତକ ଛୁଇଁ ୱେଷ୍ଟଇଣ୍ଡିଜ୍‌ର ଦୁର୍ଦ୍ଧର୍ଷ ଓପନର୍‌ କ୍ରିସ୍‌ ଗେଲ୍‌ (୪୭ ବଲ୍‌ ବନାମ ଇଂଲଣ୍ଡ)ଙ୍କ ରେକର୍ଡ ଭାଙ୍ଗି ବିଶ୍ବକପ୍‌ର ଦ୍ରୁତତମ ଶତକ ହାସଲକାରୀ ହୋଇଥିଲେ।

ଦକ୍ଷିଣ ଆଫ୍ରିକା ବୁଧବାର ୧୭୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ନ୍ୟୁଜିଲାଣ୍ଡ ୧୨.୫ ଓଭରରେ କେବଳ ଗୋଟିଏ ୱିକେଟ୍‌ ହରାଇ ହାସଲ କରି ନେଇଛି। ଫଳରେ ଅହମଦାବାଦ‌ଠାରେ ଆସନ୍ତା ୮ ତାରିଖରେ ଫାଇନାଲ୍‌ ଖେଳିବାକୁ ଟିକେଟ ହାସଲ କରିନେଇଥିଲା। ନ୍ୟୁଜିଲାଣ୍ଡର ପଶ୍ଚାତ୍‌ଧାବନ ଥିଲା ଦ୍ରୁତ, ଆକ୍ରମଣାତ୍ମକ ଓ ଆତ୍ମବିଶ୍ବାସରେ ଭରପୂର। ପ୍ରଥମ ୱିକେଟ୍‌ରେ ହିଁ ଦୁଇ ଓପନର୍‌ ଟିମ୍‌ ସେଫର୍ଟ ଓ ଫିନ୍‌ ଆଲେନ୍‌ ୧୧୭ ରନ୍‌ର ଭାଗୀଦାର ଗଢ଼ି ଦକ୍ଷିଣ ଆଫ୍ରିକା ହାତରୁ ଏକପ୍ରକାର ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ଉଭୟ ବିସ୍ଫୋରକ, କିନ୍ତୁ ଦାୟିତ୍ବବାନ ସଟ୍‌ର ବିସ୍ତୃତ ସମ୍ଭାରରେ କେବଳ ଦର୍ଶକଙ୍କର ମନୋରଞ୍ଜନ କରି ନଥିଲେ। ବରଂ ଅତ୍ୟନ୍ତ ନିର୍ଭୀକ ବ୍ୟାଟିଂ କରି ପାୱାର ପ୍ଲେ’ର ୬ ଓଭରରୁ ଅବିଶ୍ବସନୀୟ ଢଙ୍ଗରେ ୮୪ ରନ୍‌ ଅମଳ କରି ନେଇଥିଲେ। ଏହି ଧାରାକୁ ଆହୁରି ଆଗକୁ ନେଇ ନ୍ୟୁଜିଲାଣ୍ଡ ସ୍କୋର୍‌ରୁ କେବଳ ୭.୫ ଓଭରରେ ୧୦୦ ରନ୍‌ ପାର୍‌ କରାଇ ଦେଇଥିଲେ। ଆଲେନ ମାତ୍ର ୧୯ ଏବଂ ସେଫର୍ଟ ୨୮ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। 

ଆହୁରି ପଢ଼ନ୍ତୁ... ଦ ହଣ୍ଡ୍ରେଡ୍‌ ନିଲାମରେ ୧୨ ଭାରତୀୟ ମହିଳା କ୍ରିକେଟର୍‌: ରିଚାଙ୍କ ଦର ସବୁଠୁ ଅଧିକ

ଲୁଙ୍ଗି ଏନ୍‌ଗିଡ଼ି ଦଶମ ଓଭରର ପ୍ରଥମ ବଲ୍‌ରେ ସେଫର୍ଟଙ୍କୁ ବୋଲ୍‌ଡ କରି ନ୍ୟୁଜିଲାଣ୍ଡକୁ ପ୍ରଥମ ଓ ପ୍ରତୀକ୍ଷିତ ଝଟକା ଦେଇଥିଲେ। ସେତେବେଳକୁ କିନ୍ତୁ ଦକ୍ଷିଣ ଆଫ୍ରିକା ହାତରୁ ମ୍ୟାଚ୍‌ ପୂରା ଖସି ସାରିଥିଲା। କେବଳ ଯାହା ନ୍ୟୁଜିଲାଣ୍ଡ ବିଜୟର ଔପଚାରିକତା ବାକି ଥିଲା ଆଲେନ ଏହା ପରେ ଅଧିକ ଉଗ୍ର ହୋଇ ଦକ୍ଷିଣ ଆଫ୍ରିକା ବୋଲର୍‌ଙ୍କର ନିର୍ଧୂମ ଧୂଲେଇ କରିଥିଲେ। ଫଳରେ ନ୍ୟୁଜିଲାଣ୍ଡ ୪୩ ବଲ୍‌ ପୂର୍ବରୁ ଗୋଟିଏ ୱିକେଟ୍‌ ହରାଇ ୧୭୩ ରନ୍‌ କରିବା ସହ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପ୍ରଥମ ଥର ଦକ୍ଷିଣ ଆଫ୍ରିକାକୁ ହରାଇବାର ଅନନ୍ୟ ରେକର୍ଡ କରିଥିଲା। ପୂର୍ବ ୫ ବିଶ୍ବକପ୍‌ ମୁକାବିଲାରେ ଦକ୍ଷିଣ ଆଫ୍ରିକା ସବୁଥର ନ୍ୟୁଜିଲାଣ୍ଡକୁ ହରାଇଥିଲା। ସେହି ଦୃଷ୍ଟିରୁ ଇଡେନ୍‌ କିୱି ଦଳ ପାଇଁ ଶୁଭଙ୍କର ସାବସ୍ତ ହୋଇଥିଲା।

ଦାଦାଙ୍କ ପାଇଁ ଦୁଲୁକିଲା ଇଡେନ୍‌
ବୁଧବାର ରାତିରେ କୋଲକାତାର ଐତିହାସିକ ଇଡେନ୍‌ ଗାର୍ଡେନ୍ସ ଷ୍ଟାଡିୟମ୍‌ରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ ଭଳି ବଡ଼ ମ୍ୟାଚ୍‌ ଖେଳାଯାଉଥିଲା। ହେଲେ ଆକର୍ଷଣ ପାଲଟିଥିଲେ ପ୍ରିନ୍ସ ଅଫ୍‌ କୋଲକାତା ସୌରଭ ଗାଙ୍ଗୁଲି। ଭାରତୀୟ ଦଳର ପୂର୍ବତନ ଅଧିନାୟକ, ବିସିସିଆଇର ପୂର୍ବତନ ସଭାପତି ତଥା ଏବେକାର ବେଙ୍ଗଲ କ୍ରିକେଟ୍‌ ସଂଘ ସଭାପତି ଗାଙ୍ଗୁଲି ଯେତେବେଳେ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ ଦର୍ଶକମାନେ ତାଙ୍କୁ ପାଖରେ ପାଇ ସର୍ବାଧିକ ଖୁସି ଥିବା ଭାବନାକୁ ସମୂହ ତାଳିମାରି ଦର୍ଶାଇଥିଲେ। ମ୍ୟାଚ୍‌ ପୂର୍ବରୁ ଗାଙ୍ଗୁଲି ବିଶ୍ବକପ୍‌ ଟ୍ରଫି ସହ ପଡ଼ିଆ ଭିତରକୁ ଆସି ଦର୍ଶକଙ୍କ ଅଭିବାଦନ ଗ୍ରହଣ କରିବା ସହ ସାକ୍ଷାତ୍‌କାର ଦେଇଥିଲେ। ଏହା ପରେ ଟସ୍‌ ପଡ଼ିଥିଲା। ନ୍ୟୁଜିଲାଣ୍ଡ ଟସ୍‌ ଜିତିବା ପରେ ସ୍ଥାନୀୟ ସ୍କୁଲ୍‌ ପିଲାମାନେ ଦୁଇ ଦଳର ଖେଳାଳିଙ୍କ ଧରି ପଡ଼ିଆ ଭିତରକୁ ପ୍ରବେଶ କରିବା ଇଡେନ୍‌ ପଡ଼ିଆ ଉପରେ ଆୟତାକାରରେ ଦୁଇ ଦଳ ସହ ଆଇସିସିର ପାତକାକୁ ୨୦୦ ପାଖିପାଖି ସ୍କୁଲ୍‌ ପିଲା ଧରିବା ମାହୋଲକୁ ମନ୍ତ୍ରମୁଗ୍ଧ କରିଥିଲା।

ବୁମ୍‌ରା ମୋ ଗୁରୁ: ଜାନସେନ୍‌
ଚଳିତ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡର୍‌ ମାର୍କୋ ଜାନସେନ ଅହେତୁକ ସଫଳତା ପାଇଛନ୍ତି। ଦକ୍ଷିଣ ଆଫ୍ରିକାକୁ ସେମିଫାଇନାଲ୍‌ ପର୍ଯ୍ୟନ୍ତ ଅପରାଜେୟ ରଖିବାରେ ସେ ନିର୍ଣ୍ଣାୟକ ଭୂମିକା ନେଇ ଆସୁଥିଲେ। ବିଶେଷ କରି ନିଜ ବୋଲିଂରେ ସେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଏହି ଅପ୍ରତ୍ୟାଶିତ ସଫଳତାର ରହସ୍ୟ ଇଡେନ୍‌ ଗାର୍ଡେନ୍ସରେ ବୁଧବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍‌ ପୂର୍ବରୁ ଖୋଲିଛନ୍ତି ସେ। ହଠାତ୍‌ ତାଙ୍କ ବୋଲିଂର ମାନ ବଢ଼ିଯିବାର ଶ୍ରେୟ, ଜାନସେନ୍‌ ଘରୋଇ ଦଳ ଅର୍ଥାତ୍‌ ଭାରତର ପ୍ରମୁଖ ବୋଲର୍‌ ଯଶପ୍ରୀତ୍‌ ବୁମ୍‌ରାଙ୍କୁ ଦେଇଛନ୍ତି। ସେ କହିଛନ୍ତି, ବୁମ୍‌ରାଙ୍କ ବୋଲିଂ କୌଶଳ ମୋ ବୋଲିଂକୁ ଉନ୍ନତ କରିବାରେ ପ୍ରମୁଖ ଭୂମିକା ନେଇଛି। ମୁଁ ନିୟମିତ ଭାବେ କ୍ରିଜ୍‌ରେ ତାଙ୍କ ବଲ୍‌ କିଭଳି ଏବଂ କେଉଁ ଦିଗରୁ ସିମ୍‌ ଓ ସୁଇଂ ହେଉଛି, ସେକଥା ଅନୁଧ୍ୟାନ କରି ଆସୁୂଛି।

ଫଳରେ ମୋ ବଲ୍‌କୁ ଖେଳିବା ପ୍ରତିପକ୍ଷ ବ୍ୟାଟର୍‌ଙ୍କ ପାଇଁ କ୍ରମଶଃ କଷ୍ଟକର ହେଉଛି। ସୂଚନାଯୋଗ୍ୟ ଯେ ଜାନସେନ୍‌ ଦକ୍ଷିଣ ଆଫ୍ରିକାର ପ୍ରଥମ ୫ ମ୍ୟାଚ୍‌ରୁ ୧୬.୭୨ ହାରରେ ୧୧ ୱିକେଟ୍‌ ନେଇ ସାରିଛନ୍ତି। ସେମିଫାଇନାଲ୍‌ରେ କିନ୍ତୁ ଫିନ୍‌ ଆଲେନଙ୍କ ରନ୍‌ ଝଡ଼ ସେତେଟା ପ୍ରଭାବୀ ବୋଲିଂ କରିପାରି ନଥିଲେ। ସେ ଆହୁରି କହିଛନ୍ତି ଗତ ଗସ୍ତରେ କୋଲକାତାରେ ଆମେ ଖେଳିଥିବା ପ୍ରଥମ ଟେଷ୍ଟ୍‌ରେ ମୁଁ ବୁମ୍‌ରାଙ୍କ ବୋଲିଂକୁ ରିପ୍ଲେ ମାଧ୍ୟମରେ ବାରମ୍ବାର ଦେଖିଥିଲି। ତାଙ୍କ ହାତ ଚାଳନାକୁ ଲକ୍ଷ୍ୟ କରି ସେହିଭଳି ବୋଲିଂ କରିବାକୁ ନିୟମିତ ଅଭ୍ୟାସ କରିଥିଲି। ତାଙ୍କ ନକଲ କରିବାକୁ ଚେଷ୍ଟା କରି କେତେକାଂଶରେ ସଫଳ ବି ହୋଇଥିଲି। ଏହା ଦ୍ବାରା ବଲ୍‌ ସତରେ ୱିକେଟ୍‌ରୁ ସାମାନ୍ୟ ବାହାରକୁ ଯାଇ ବ୍ୟାଟ୍ସମ୍ୟାନ୍‌ଙ୍କୁ ଅଡ଼ୁଆରେ ପକାଉଥିବା ହୃଦୟଙ୍ଗମ କରିଥିଲି। ବିଶ୍ବକପ୍‌ରେ ମଧ୍ୟ ଏହି ନୀତି ଆପଣାଇ ସଫଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe