କନକ ବ୍ୟୁରୋ: ବ୍ରହ୍ମୋସର ଶକ୍ତି ଦେଖିଲା ବିଶ୍ବ । ପ୍ରଥମ ଥର ପାଇଁ ଯୁଦ୍ଧ ମୈଦାନରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କଲା ଭାରତ । ଗୋଟିଏ କି ଦୁଇଟି ନୁହେଁ, ଅପରେସନ୍ ସିନ୍ଦୂରରେ ପାକିସ୍ତାନ ଉପରେ ୧୫ଟି ବ୍ରହ୍ମୋସ୍ ମିସାଇଲ୍ ମାଡ଼ କରିଛି ଭାରତ । ଜାତୀୟ ଗଣମାଧ୍ୟମ ସରବରାହ ସଂସ୍ଥା ଏଏନ୍ଆଇ ପକ୍ଷରୁ ଏନେଇ ସୂଚନା ମିଳିଛି । ପାକିସ୍ତାନକୁ ଚକମା ଦେବାକୁ ପ୍ରଥମେ ମାନବ ବିହୀନ ବିମାନକୁ ଛଡ଼ାଯାଇଥିଲା । ଏହାପରେ ୧୫ଟି ବ୍ରହ୍ମୋସ୍ ମିସାଇଲ୍ ଦ୍ବାରା ପାକିସ୍ତାନର ଏୟାରବେସ୍‌ ଉପରେ ଆକ୍ରମଣ କରାଯାଇଥିଲା । ବ୍ରହ୍ମୋସର ବେଗ ଆଗରେ ମାତ୍ ଖାଇଥିଲା ପାକିସ୍ତାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ । ମିସାଇଲକୁ ମାରି ଖସାଇବା ତ ଦୂରର କଥା, ଏହାକୁ ଟ୍ରାକ୍‌ କରିପାରିନଥିଲା ପାକିସ୍ତାନର ରାଡାର୍ । ଏହି ଆକ୍ରମଣ ଦ୍ବାରା ପାକିସ୍ତାନର ରଫିକ୍, ମୁରିଦ୍, ଚକଲାଲା, ରହିମ୍ ୟାର୍ ଖାନ୍, ସୁକ୍କୁର, ଚୁନିୟାନ୍, ସିୟାଲକୋଟ ଏୟାରବେସକୁ ଟାର୍ଗେଟ କରିଥିଲା ଭାରତ । ସାମରିକ ଦୃଷ୍ଟିକୋଣରୁ ଏହି ଏୟାରବେସ୍ ଗୁରୁତ୍ବପୂର୍ଣ୍ଣ । ତେଣୁ ପାକିସ୍ତାନର ବିମାନ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏୟାରବେସ୍ ଉପରେ ବ୍ରହ୍ମୋସ୍ ମିସାଇଲ୍ ଦ୍ବାରା ଏଭଳି ଆକ୍ରମଣ କରାଯାଇଥିଲା । ଏହି ଅପରେସନ୍ ପରେ ଏବେ ବିଶ୍ବରେ ବଢ଼ିବାରେ ଲାଗିଛି ବ୍ରହ୍ମୋସ୍ ମିସାଇଲର ଚାହିଦା । ବିଭିନ୍ନ ଦେଶ ଏବେ ଭାରତଠାରୁ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ବ୍ରହ୍ମୋସ୍ କିଣିବାକୁ ଆଗ୍ରହ ଦେଖାଇଛନ୍ତି । ଭିଏତନାମ୍, ସାଉଦି ଆରବ ସମେତ ଅନେକ ଦେଶ ଏହି ମିସାଇଲ୍ କିଣିବାକୁ ଚାହୁଥିବା ଜଣାଇଛନ୍ତି ।

Advertisment

ବ୍ରହ୍ମୋସର ଶକ୍ତି 

  • ଭାରତର ସୁପରସୋନିକ୍ କ୍ରୁଜ୍‌ ମିସାଇଲ୍
  • ଭାରତ ଓ ଋଷିଆର ମିଳିତ ଉଦ୍ୟମରେ ପ୍ରସ୍ତୁତ
  • ଜଳ, ସ୍ଥଳ, ଆକାଶରୁ ଉତ୍‌କ୍ଷେପଣ କରିହେବ
  • ୮୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା
  • ଶବ୍ଦଠାରୁ ୩ ଗୁଣା ଅଧିକ ବେଗରେ ଗତି କରିପାରେ
  • ଶତ୍ରୁର ରାଡାରକୁ ଚକମା ଦେବାରେ ସକ୍ଷମ