କନକ ବ୍ୟୁରୋ: ରବିବାର ଭୋର ପ୍ରାୟ ୪ଟା ୩୦ମିନିଟରେ ଇରାନର ବାୟୁସୀମା ଲଙ୍ଘି ଲକ୍ଷ୍ୟଭେଦ କରିଛି ଆମେରିକାର ଲଢୁଆ ଯୁଦ୍ଧ ବିମାନ । ଇରାନର ୩ଟି ପରମାଣୁ ଘାଟି ଫେର୍ଡୋ, ନତାଞ୍ଜ ଓ ଏସ୍ଫାହାନ୍ ଉପରେ ବଙ୍କର ବ୍ଲଷ୍ଟର ବୋମାଦ୍ବାରା କରିଛି ପ୍ରଚଣ୍ଡ ଆକ୍ରମଣ । ମଧ୍ୟପ୍ରାଚ୍ୟ ଲଢ଼େଇକୁ ଲମ୍ଫ ମାରି ଯୁଦ୍ଧସ୍ଥିତିକୁ ଆହୁରି ଅଡୁଆ କରିଛି ଆମେରିକା । ତେବେ ବଡ଼ ଆକ୍ରମଣ ନେଇ ସୂଚନା ଦେବା ସହ ଇରାନ୍ ଯୁଦ୍ଧ ବନ୍ଦ ନକଲେ ପୁଣିଥରେ ଆକ୍ରମଣ କରିବୁ ବୋଲି ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏବେ ଇରାନକୁ ଶାନ୍ତିର ରାସ୍ତାରେ ଆସିବାକୁ ହେବ, ଯୁଦ୍ଧ ଶେଷ କରିବାକୁ ପଡ଼ିବ । ଆମେ ଶାନ୍ତି ଚାହୁଁ ସଂଘର୍ଷ ନୁହେଁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଏହାସହିତ ଆକ୍ରମଣ ପରେ ଯୁଦ୍ଧ ବିମାନ ସୁରକ୍ଷିତ ଭାବେ ଇରାନରୁ ଫେରିଥିବା ଆମେରିକା ପକ୍ଷରୁ କୁହାଯାଇଛି ।
- ଅପରେସନ୍ ସିନ୍ଦୂର ପରି ରଣନୀତି
- ସାତ ଦିନ ସମୟ ଦେଇ ଦୁଇ ଦିନରେ ଟ୍ରମ୍ପଙ୍କ ନିଷ୍ପତ୍ତି
ପ୍ରଥମେ ଆମେରିକା ଏବଂ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମିଶି ଇରାନର ପରମାଣୁ ସ୍ଥାନଗୁଡ଼ିକୁ ନିରୂପଣ କରିଥିଲେ । ଦୃଢ଼ ସୂଚନା ମିଳିବା ନେଇ ନିଶ୍ଚିତ ହେବା ମାତ୍ରେ ଆମେରିକା ଆକ୍ରମଣ ଯୋଜନାକୁ ଲକ୍ କରିବା ସହ କାର୍ଯ୍ୟକାରୀ କରିଥିଲା । ଅପରେସନର ପୂରା ପ୍ରକ୍ରିୟାକୁ ଡୋନାଲ୍ଡ ଟ୍ରମ୍ପ୍ ତାଙ୍କର ବିଶ୍ୱସ୍ତ ପରାମର୍ଶଦାତାମାନଙ୍କ ସହିତ ୱାର ରୁମ୍ରେ ବସି ନିରୀକ୍ଷଣ କରିଥିଲେ । ତେବେ ଆମେରିକାର ଏହି ଅପରେସନରେ ବି-୨ ବମ୍ବର ସବୁଠୁ ଆଧୁନିକ ଏୟାରକ୍ରାଫ୍ଟର ରହିଛି ପ୍ରମୁଖ ଭୂମିକା । ଜାଣନ୍ତୁ କଣ ଏହାର ବିଶେଷତ୍ବ…
- ବି-୨ ବମ୍ବର ଅତ୍ୟାଧୁନିକ ଏୟାରକ୍ରାଫ୍ଟ
- ଏହାକୁ ରାଡାର ସହଜରେ ଧରିପାରିନଥାଏ
- ୧୮ ହଜାର କିଲୋ ମାରଣାସ୍ତ୍ର ବୋହି ନେବାର କ୍ଷମତା
- ଏକାସଙ୍ଗେ ୧୬ଟି ପରମାଣୁ ବୋମା ଓ ୮୦ଟି ମିସାଇଲ୍ ନେବାର କ୍ଷମତା
- ଗଭୀର ମାଟି ତଳେ ଥିବା ଟାର୍ଗେଟ୍କୁ ଧ୍ବଂସ କରିପାରେ
- ୬୧ ମିଟର ଗଭୀର ପର୍ଯ୍ୟନ୍ତ ଲକ୍ଷଭେଦ କରିପାରେ
- ଦିନ ରାତି ଓ ଝଡ଼ତୋଫାନରେ ମଧ୍ୟ ଉଡ଼ିପାରିବ
- ଘଣ୍ଟାପ୍ରତି ୧ ହଜାର ୧୦ କିଲୋମିଟର ବେଗରେ ଯାଇପାରେ
- ୧୯୯୯ କୋସୋଭୋ ଯୁଦ୍ଧରେ ପ୍ରଥମେ ବ୍ୟବହାର ହୋଇଥିଲା
ସେପଟେ ପରମାଣୁ ଘାଟି ଗୁଡ଼ିକ ଉପରେ ଆକ୍ରମଣ ନେଇ ବଡ଼ ବୟାନ ରଖିଛି ଇରାନ । ଆମେରିକା ଯେଉଁ ଫୋର୍ଡୋ ସ୍ଥଳରେ ବୋମା ପକାଇଥିଲା, ଇରାନ ସେଠାରୁ ୟୁରାନିୟମ ହଟାଇ ସାରିଥିଲା ବୋଲି ସ୍ଥାନୀୟ ସାଂସଦ କହିଛନ୍ତି । ଏହି ଅଞ୍ଚଳର ଲୋକମାନଙ୍କୁ ମଧ୍ୟ ଆଶ୍ୱସ୍ତ କରିଛନ୍ତି ଯେ, ଆମେରିକା ଆକ୍ରମଣ ପରେ କୌଣସି ରେଡିଓ ଆକ୍ଟିଭ୍ ନିର୍ଗମନ ହୋଇନି । ଯାହା ଆମେରିକାର ଗୁଇନ୍ଦା ସଂସ୍ଥାର ବିଫଳତାକୁ ପଦାରେ ପକାଇଛି ବୋଲି ସେ ଦାବି କରିଛନ୍ତି ।