କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଚାମ୍ପିୟନ୍ ହୋଇଛି । ଲଣ୍ଡନର ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଫାଇନାଲରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କରିଛି । ଦକ୍ଷିଣ ଆଫ୍ରିକାର ବିଜୟରେ ଏଡେନ୍ ମାର୍କରାମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଆଉ ୧୩୬ ରନର ଶତକୀୟ ପାଳି ଖେଳିଥିଲେ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ପ୍ରଥମ ବର୍ଷ ନ୍ୟୁଜିଲ୍ୟାଣ୍ଡ ଭାରତକୁ ପରାସ୍ତ କରି ପ୍ରଥମ ବିଜେତା ବନିଥିଲା । ପରେ ଦ୍ବିତୀୟ ବର୍ଷ ଅଷ୍ଟ୍ରେଲିଆ ଦଳ ଭାରତକୁ ପରାସ୍ତ କରି ଦ୍ୱିତୀୟ ଚାମ୍ପିୟନ ବନିଥିଲା । ଏବେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ପରାସ୍ତ କରି ପ୍ରଥମଥର ଚାମ୍ପିୟନ ବନିଛି ।
ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଜିତିବା ପରେ ଚାମ୍ପିୟନ ଦକ୍ଷିଣ ଆଫ୍ରିକା ଉପରେ ଟଙ୍କା ବର୍ଷା ହୋଇଛି । ଦକ୍ଷିଣ ଆଫ୍ରିକା ଦଳକୁ ୩.୬ ମିଲିୟନ ଆମେରିକୀୟ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୩୧ କୋଟି ଟଙ୍କା ପୁରସ୍କାର ମିଳିଛି । ଯାହା ୨୦୨୧ ଏବଂ ୨୦୨୩ରେ ଦିଆଯାଇଥିବା ୧.୬ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ଅପେକ୍ଷା ବହୁତ ଅଧିକ । ଯେତେବେଳେ ରନର୍ସ-ଅପ୍ ଦଳକୁ ୨.୧୬ ମିଲିୟନ ଆମେରିକୀୟ ଡଲାର (ପ୍ରାୟ ୧୮.୬୩ କୋଟି ଟଙ୍କା) ମିଳିଛି । ହେଲେ ଗତ ରନର୍ସ-ଅପ୍ ଦଳକୁ ୮୦, ୦୦୦ ଡଲାର ମିଳିଥିଲା ।
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ୨୦୨୩-୨୫ ପୁରସ୍କାର ରାଶି
ବିଜେତା (ଦକ୍ଷିଣ ଆଫ୍ରିକା) - ୩୧ କୋଟି ଟଙ୍କା
ରନର୍ସଅପ୍ (ଅଷ୍ଟ୍ରେଲିଆ) - ୧୮.୬୩ କୋଟି ଟଙ୍କା
ତୃତୀୟ ସ୍ଥାନ ଅଧିକାର ଦଳ (ଭାରତ) - ୧୨.୪୨ କୋଟି ଟଙ୍କା
ଚତୁର୍ଥ ସ୍ଥାନ ଅଧିକାର ଦଳ (ନ୍ୟୁଜିଲାଣ୍ଡ) - ୧୦.୩୫ କୋଟି ଟଙ୍କା
ପଞ୍ଚମ ସ୍ଥାନ ଅଧିକାର ଦଳ (ଇଂଲଣ୍ଡ) - ୮.୨୮ କୋଟି ଟଙ୍କା
ଷଷ୍ଠ ସ୍ଥାନ ଅଧିକାର ଦଳ (ଶ୍ରୀଲଙ୍କା) - ୭.୨୪ କୋଟି ଟଙ୍କା
ସପ୍ତମ ସ୍ଥାନ ଅଧିକାର ଦଳ (ବାଂଲାଦେଶ) - ୬.୨୧ କୋଟି ଟଙ୍କା
ଅଷ୍ଟମ ସ୍ଥାନ ଅଧିକାର ଦଳ (ୱେଷ୍ଟଇଣ୍ଡିଜ୍) - ୫.୧୭ କୋଟି ଟଙ୍କା
ନବମ ସ୍ଥାନ ଅଧିକାର ଦଳ (ପାକିସ୍ତାନ) - ୪.୧୪ କୋଟି ଟଙ୍କା
ଦକ୍ଷିଣ ଆଫ୍ରିକା ଦଳ ୨୦୨୩-୨୫ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପଏଣ୍ଟ ଟେବୁଲର ଶୀର୍ଷରେ ଥିଲା । ଦକ୍ଷିଣ ଆଫ୍ରିକା ପାକିସ୍ତାନ, ୱେଷ୍ଟଇଣ୍ଡିଜ୍, ବାଂଲାଦେଶ ଏବଂ ଶ୍ରୀଲଙ୍କା ବିପକ୍ଷରେ ସିରିଜ ଜିତିଥିଲା, ଯେତେବେଳେ ଭାରତ ବିପକ୍ଷ ଘରୋଇ ସିରିଜ ଡ୍ର କରିଥିଲା । ସେହି ସମୟରେ, ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ବିପକ୍ଷରେ ୩-୧ ବିଜୟ ସହିତ ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଥିଲା । କଙ୍ଗାରୁ ଦଳ ନିଜ ଘରୋଇ ମାଟିରେ ପାକିସ୍ତାନକୁ ୩-୦ରେ ପରାସ୍ତ କରିଥିଲା, ଆଉ ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ସିରିଜ ଜିତିଥିଲା ।