କନକ ବ୍ୟୁରୋ : ହ୍ୱାଇଟ ହାଉସ୍, ଏହା କୌଣସି ସାଧାରଣ ଘର ନୁହେଁ, ୧୩୨ଟି ରୁମ୍, ୩୨ଟି ବାଥରୁମ୍, ୪୧୨ ଟି କବାଟ, ୮ଟି ସିଢୀ, ୩ଟି ଲିଫ୍ଟ, ୧୪୭ ଝରକା ବିଶିଷ୍ଟ ଏହା ବିଶ୍ୱର ସବୁଠୁ ଶକ୍ତିଶାଳି ଘର । ଏହି ଘର ଏତେ ସୁରକ୍ଷିତ ଯେ, ନା ଏଠି କୌଣସି ଗୋଳା ବାରୁଦ କାମ କରିବ ନା କୌଣସି ମିସାଇଲ୍ । ଏପରିକି ପରମାଣୁ ଆକ୍ରମଣରୁ ରକ୍ଷା ପାଇଁ ଏହି ଘରେ ରହିଛି ସିକ୍ରେଟ୍ ଚାମ୍ୱର । ସବୁଠୁ ବଡ କଥା ହେଉଛି, ଯଦି ଏହି ଘରେ କୌଣସି ମୂଷା ଏପଟରୁ ସେପଟ୍ ହୁଏ ତେବେ ତୁରନ୍ତ ଜଣାପଡିଯିବ ମୂଷାର ଗତିବିଧି । ଘରର ତାପମାତ୍ର ବଦଳିଲେ ବି ଏହା ରେକର୍ଡ ହୋଇଯାଏ । 

Advertisment

ଏହି ଘର ହେଉଛି ବିଶ୍ୱର ଶକ୍ତିଶାଳି ରାଷ୍ଟ୍ର, ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ଠିକଣା । ଏହାକୁ ହ୍ୱାଇଟ୍ ହାଉସ୍ କୁହାଯାଏ । ୧୮୦୦ ମସିହାରୁ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ରହିଆସିଥିବା ଏହି ଘର ସାରା ବିଶ୍ୱରେ ଲୋକଙ୍କ ପାଇଁ ଆକର୍ଷିତ ହୋଇଆସିଛି । ତେବେ ୧୯୦୧ରେ ତତ୍କାଳିନ ରାଷ୍ଟ୍ରପତି ଥିଓଡୋର୍ ରୁଜବେଲ୍ଟ ଏହି ଘରକୁ ହ୍ୱାଇଟ୍ ହାଉସ୍ ଭାବେ ନାମକରଣ କରିଥିଲେ । ୮ଏକର ପରିବ୍ୟାପ୍ତ ହ୍ୱାଇଟ୍ କମ୍ପ୍ଲେକ୍ସରେ ୫୫୦୦୦ ବର୍ଗଫୁଟର ଫ୍ଲୋର୍ ରହିଛି । ବାକି ଅଂଶରେ ଗାର୍ଡେନ୍, ସ୍ୱିମିଂ ପୁଲ୍, ଟେନିସ୍, ବାସକେଟ୍ ବଲ୍, ଜଗିଂ ଟ୍ରାକ୍, ସିନେମା ହଲ୍, ଜିମ୍ ଭଳି ଅନେକ ସୁବିଧା ରହିଛି । ହ୍ୱାଇଟ୍ ହାଉସରେ ୧୩୨ଟି ରୁମ୍ ରହିଛି । ଆଉ ସବୁ ରୁମକୁ ପ୍ରତିଦିନ ଫୁଲରେ ସଜାଯିବାର ବ୍ୟବସ୍ଥା ରହିଛି ।

କୁହାଯାଉଛି ହ୍ୱାଇଟ୍ ହାଉସ ତଳେ ଦୁଇଟି ସୁଡଙ୍ଗ ଏବଂ ସିକ୍ରେଟ୍ ବଙ୍କର ରହିଛି । ଗୋଟିଏ ସୁଡଙ୍ଗ ଟ୍ରେଜେରୀ ବିଲ୍ଡିଂ ଆଡକୁ ଯାଉଥିବା ବେଳେ ଅନ୍ୟ ଟନେଲଟି ସାଉଥ୍ ଲେନରେ ବାହାରିଛି । ଯେଉଁଠି ମରାଇନ୍ ହେଲିକପ୍ଟର ପହଞ୍ଚିବାର ସୁବିଧା ରହିଛି । ହ୍ୱାଇଟ ହାଉସରେ ଏକ ବଙ୍କର ବି ରହିଛି । ରାଷ୍ଟ୍ରପତିଙ୍କ ଜରୁରୀକାଳୀନ ଅପରେସନ୍ ସେଣ୍ଟର ଭାବେ ଏହି ବଙ୍କରକୁ ବ୍ୟବହାର କରାଯାଏ । କୌଣସି ବିପଦ ଆସିଲେ, କିମ୍ୱା ଆକ୍ରମଣର ସମ୍ଭାବନା ଥିଲେ ରାଷ୍ଟ୍ରପତି ଓ ତାଙ୍କ ପରିବାରକୁ ସେଠାରେ ସୁରକ୍ଷିତ ରଖାଯାଇଥାଏ । କଂକ୍ରିଟ୍ ଓ ଷ୍ଟିଲରେ ନିର୍ମିତ ଏହି ବଙ୍କର ଉପରେ ପରମାଣୁ ବୋମା, ରେଡିଏସନ୍ ବା କୌଣସି ପ୍ରକାର ମିସାଇଲ୍ ପ୍ରଭାବ ପକାଇପାରିବ ନାହିଁ । 

ହ୍ୱାଇଟ ହାଉସ୍ ଛାତ ଉପରେ ହରଦମ୍ ସ୍ନାଇପର୍ସ, ଏସ.ଡବ୍ଲୁ.ଏ.ଟି ଟିମ୍ ମୁତୟନ ହୋଇ ରହିଥାନ୍ତି । ସେହିପରି ହ୍ୱାଇଟ୍ ହାଉସ୍ ଭିତରେ ହୋମଲ୍ୟାଣ୍ଡ ସିକ୍ୟୁରିଟି ଏଜେଣ୍ଟ, ଡଗ ସ୍କ୍ୱାର୍ଡ ହରଦମ୍ ପାଟ୍ରୋଲିଂ କରୁଥାନ୍ତି । ହ୍ୱାଇଟ ହାଉସର ୨୪ କିଲୋମିଟର ପର୍ଯ୍ୟନ୍ତ ନୋ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା କରାଯାଇଛି । ଅର୍ଥାତ୍ ୨୪ କିମି ଭିତରେ କୌଣସି ବିମାନ କି ଡ୍ରୋନ୍ ଉଡି ପାରିବ ନାହିଁ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୧୩୦୦ ଯବାନ ହରଦମ୍ ନିୟୋଜିତ ହୋଇ ରହିଥାନ୍ତି । ୟୁଏସର ସିକ୍ରେଟ୍ ସର୍ଭିସ୍ ହାତରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଭାର ରହିଛି । ଏଥିରୁ ହିଁ ଅନୁମାନ କରିହେଉଛି ହ୍ୱାଇଟ ହାଉସକୁ କାହିଁକି ବିଶ୍ୱର ସବୁଠୁ ଶକ୍ତିଶାଳି ଘର କୁହାଯାଏ ।