କନକ ବ୍ୟୁରୋ: ଆଗକୁ ପାର୍ବଣ ଋତୁ ଓ ପର୍ଯ୍ୟଟନ ଋତୁ । ବିଶ୍ୱ ଐତିହ୍ୟ କୋଣାର୍କରେ ରାସ୍ତା ଏବେ ମରଣ ଯନ୍ତା । ପର୍ଯ୍ୟଟନ ସ୍ଥଳୀ କୋଣାର୍କର ରିଙ୍ଗ ରୋଡର ଲବଣ୍ୟ ଛକ ଛଅ ଲେନ ରାସ୍ତାର ଉଭୟ ପର୍ଶ୍ୱରେ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ଖାଲ ଖମାରେ ଭରପୁର, କେଉଁଠି ପାଣି ଜମି ରହି ପୋଖରୀର ଭ୍ରମ ସୃଷ୍ଟି କରୁଛି ତ ଆଉ କେଉଁଠି ବଡ଼ ବଡ଼ ଗର୍ତ ଗାଡ଼ି ଚାଳକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ବିଭିନ୍ନ ସମୟରେ ଦୃଘଟଣା ଘଟି ମୃତ ଆହତ ହୋଇଥିବା ନଜିର ରହିଛି ।
ରାଜ୍ୟରେ ସରକାର ବଦଳିବା ପୂର୍ବରୁ କୋଣାର୍କରେ ଅନେକ ଉନ୍ନୟମୂଳକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏବେ ସେଗୁଡ଼ିକ ଅଧାରେ ପଡ଼ିଛି । ପୂର୍ତ୍ତ ବିଭାଗ କି ସରକାରୀ ସ୍ତରରେ ଆନ୍ତରିକତା ଅଭାବରୁ ଦୀର୍ଘ ଦିନ ହେବ କାର୍ଯ୍ୟ ଗୁଡ଼ିକ ସରୁନାହିଁ । ଖାଲଖମା ଭର୍ତ୍ତି ରାସ୍ତାକୁ ନେଇ ଅସନ୍ତୋଷ ଝାଡ଼ୁଛନ୍ତି ପର୍ଯ୍ୟଟକ । କେନ୍ଦ୍ର ସରକାରଙ୍କ ୩୧୪ କୋଟିର ସହାୟତା ପ୍ରଦାନ ସତ୍ତ୍ୱେ ଉନ୍ନତୀକରଣ କାମ ନାଲି ଫିତା ତଳେ ଚାପି ହୋଇଯାଇଥିବା ଅଭିଯୋଗ ହୋଇଛି ।
ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ପ୍ରତିଦିନ ଦେଶ ବିଦେଶର ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ଆସିଥାନ୍ତି । ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ କୋଣାର୍କର କାରୁକାର୍ଯ୍ୟ ବୁଲି ଦେଖିଥାନ୍ତି । ସେଠାରୁ ଏହି ରାସ୍ତା ଦେଇ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଅଭିମୁଖେ ଯାଇଥାନ୍ତି। ହେଲେ ରାସ୍ତାର ଦୁରବସ୍ତା ଦେଖି ଗାଡି ଚାଳକ, ପର୍ଯ୍ୟଟକ, ସ୍ତାନୀୟ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି।
ଦଶହରା ସମୟରେ ଛୁଟି ପଡ଼େ । ଲୋକେ ବୁଲାବୁଲି କରିଥାନ୍ତି । ସେହି ସମୟରେ କୋଣାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ବି ବଢ଼ିଯାଏ । ତେଣୁ ପାର୍ବଣକୁ ଦୃଷ୍ଟିରେ ରଖି ରାସ୍ତା ମରାମତି କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଗାଡି ଚାଳକ, ପର୍ଯ୍ୟଟକ ।