କନକ ବ୍ୟୁରୋ: ସୁସ୍ଥ ସମାଜ ଗଠନ ଓ ଭବିଷ୍ୟତ ପାଇଁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ । ଚଳିତ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ବାର୍ତ୍ତା ରହିଛି ମା ଓ ଶିଶୁର ସ୍ୱାସ୍ଥ୍ୟରେ ଉନ୍ନତି ଆଣି ସେମାନଙ୍କ ମୃତ୍ୟୁ ହାରକୁ କମାଇବା । ଗର୍ଭବତୀ ମହିଳାଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଥିଲେ ବି ଆଜି ବି ଅନେକ ଗର୍ଭବତୀ ମହିଳାଙ୍କ ପାଇଁ ଏସବୁ ଅପହଞ୍ଚ । କେଉଁଠି ସଚେତନତା ଅଭାବ ତ ଆଉ କେଉଁଠି ନିଜ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଉନାହାନ୍ତି ମହିଳା ।
ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକର ପାମଗେଡା ଗାଁରେ ଦୁଲେ କାର୍ତୀଙ୍କ ଘର । ମାଲକାନଗିରି ସହରଠାରୁ ୭୦ କିଲୋମିଟର ଦୁରରେ ଦୁଲେଙ୍କ ଗାଁ । ଗାଁକୁ ଯୋଗାଯୋଗର ସେଭଳି କିଛି ବିଶେଷ ସମସ୍ୟା ନାହିଁ । ତଥାପି ଗର୍ଭଧାରଣର ୬ ମାସ ପରେ ସେ ଆସିଛନ୍ତି ଡାକ୍ତରଖାନା । କେବଳ ଦୁଲେ ନୁହନ୍ତି ହିପରି ଯୋଗୀବାଟା ମଧ୍ୟ ବିଳମ୍ୱରେ ଆସିଛନ୍ତି ଡାକ୍ତରଖାନା । କେବଳ ଏହି ଦୁଇ ଜଣ ନୁହଁ ଅନେକ ମହିଳାଙ୍କର ସମାନ କାହାଣୀ । କିଏ ସଚେତନତା ଅଭାବରୁ ଡାକ୍ତରଙ୍କ ପରାମର୍ଶ ନେଉନାହାନ୍ତି ତ ଆଉ କିଏ ଏଥିପ୍ରତି ଦେଉନାହାନ୍ତି ଗୁରୁତ୍ୱ ।
ତେବେ ଏହି ଅବହେଳା ସାମାନ୍ୟ ନୁହଁ । ଏହି ଛୋଟ ଭୁଲ ପାଇଁ ଗର୍ଭବତୀ ଓ ନବଜାତ ଶିଶୁର ମୃତ୍ୟୁ ହେବାର ବହୁ ସମ୍ଭାବନା ରହିଥିବା କହିଛନ୍ତି ବିଶେଷଜ୍ଞ। ଏହାକୁ ନେଇ ଜାତିସଂଘ ଜାରି କରିଛି ଚିନ୍ତାଜନକ ତଥ୍ୟ । ଗର୍ଭାବସ୍ଥା କିମ୍ବା ପ୍ରସବ ସମୟରେ ପ୍ରତି ୨ ମିନିଟରେ ମହିଳାଙ୍କ ମୃତ୍ୟୁ ହେଉଛି । ସଠିକ ଯତ୍ନର ଅଭାବରୁ ଏଭଳି ମୃତ୍ୟୁ ହେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସର୍ଭେ ରିପୋର୍ଟ କହୁଛି, ପ୍ରତିବର୍ଷ ୩ ଲକ୍ଷ ମହିଳା ଗର୍ଭାବସ୍ଥା କିମ୍ବା ପ୍ରସବ ସମୟରେ ପ୍ରାଣ ହରାଉଛନ୍ତି । ୨୦ ଲକ୍ଷରୁ ଅଧିକ ଶିଶୁ ଜନ୍ମ ହେବାର ଏକ ମାସ ଭିତରେ ମୃତ୍ୟୁ ହେଉଛି । ୨୦ ଲକ୍ଷ ମୃତ ନବଜାତଙ୍କ ଜନ୍ମ ହେଉଛି ।
ତେବେ ସଠିକ ସମୟରେ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି ବିଶେଷଜ୍ଞ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ କହୁଛି, ୨୦୦୦ ମସିହା ପରଠାରୁ ବିଶ୍ୱସ୍ତରରେ ମାତୃ ମୃତ୍ୟୁହାର ୪୦ ପ୍ରତିଶତ ହ୍ରାସ ପାଇଛି । କିନ୍ତୁ ଏ ଦିଗରେ ଅଧିକ କାମ କରିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ କହିଛନ୍ତି ।